ବନୀକରଣ ନାଁରେ ଦୁର୍ନୀତି ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର

ହରଭଙ୍ଗା ବ୍ଲକରେ ମନରେଗା ଦୁର୍ନୀତିର ଫିଟୁଛି ଗୁମର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ମନରେଗା କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ଚାଲିଥିବା ବାରମ୍ବାର ଅଭିଯୋଗ ଉଠୁଛି।କିଛିଦିନ ତଳେ ଲୁଣିବାହାଲ ପଂଚାୟତରେ ମନରେଗା ଯୋଜନାରେ ବିନା କାମରେ ରାସ୍ତା ଏବଂ ବନ୍ଧ ବିଲ ପଇଠକୁ ନେଇ ତୁମ୍ବି ତୋଫାନ ଥମିନାହିଁ। ଏଭଳି ପରିସ୍ଥିତିରେ ସମାନ ପଂଚାୟତରୁ ମନରେଗା ଯୋଜନାରେ ବନୀକରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି କେତେଜଣ ଗ୍ରାମବାସୀ ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସୋମବାର ଫେରାଦ ହୋଇଥିବା ଜଣାପଡିଛି । ଲୁଣିବାହାଲ ପଂଚାୟତର ସନ୍ତୋଷ ପ୍ରଧାନ,ଅନିଲ ଭୋକ୍ତା,କେଶବ ଭୋକ୍ତା ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ୨୦୨୦-୨୧ ଆର୍ଥୀକ ବର୍ଷରେ ତତକାଳୀନ ସରପଂଚଙ୍କ ସମୟରେ ମନରେଗା ଯୋଜନାରେ ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି । କଟିଂଆପଦର ଠାରୁ ତାଳପଦର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବ ବନୀକରଣ, ଜାତୀୟ ରାଜପଥଠାରୁ ମଧୁସୁଦରନପୁର ରାସ୍ତା ପାର୍ଶ୍ବ ବନୀକରଣ, ଜାତୀୟରାଜପଥ ଲୁଣିବାହାଲ ଠାରୁ ଭୂତେଶ୍ୱରମନ୍ଦିର ରାସ୍ତା ପାଶ୍ୱର୍ ବନୀକରଣ,ବଡବନ୍ଧ କନ୍ୟାଶ୍ରମ ବିଦ୍ୟାଳୟର ଖେଳପଡିଆ ଚର୍ତୁପାର୍ଶ୍ବ ବନୀକରଣ ଏବଂ ବାରବାଣି ପ୍ରାଥମିକ ବିଦ୍ୟାଳୟ ଚର୍ତୁପାର୍ଶ୍ବ ବନୀକରଣରେ ଦୁର୍ନୀତି ହୋଇଥିବା ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏହାର ତଦନ୍ତକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବୀ କରଛନ୍ତି। ସୂଚନା ଥାଉ ଯେ କିଛିଦିନ ତଳେ ଏହି ପଂଚାୟତରୁ ମନରେଗା ଯୋଜନାରେ ମାଟି, ମୋରମ୍ ରାସ୍ତା ସହିତ ବନ୍ଧ ଆଦି ନିର୍ମାଣ କାର୍ଯ୍ୟରେ ବିନା କାମରେ ସରପଂଚ ଏବଂ ପିଇଓଙ୍କ ଜରିଆ​ରେ ଲକ୍ଷାଧିକ ଟଙ୍କା ପଇଠ ହୋଇଥିବା ମନରେଗା ଆମ୍ବୁଡସମ୍ୟାନ ଏବଂ ବି.ଡି.ଓଙ୍କ ନିକଟରେ ଅଭିଯୋଗ ଉଠିଥିଲା। ଏହି ଘଟଣାରେ ଦାୟିତ୍ୱରେଥିବା ଜଣେ ଜିଆରଏସଙ୍କୁ ରାତିଅଧିଆ ବଦଳି କରି ଦିଆଯାଇଥିଲା।ମାତ୍ର ବିନା କାର୍ଯ୍ୟରେ କିପରି ଲକ୍ଷାଧିକ ଟଙ୍କା ବିଲ ପଇଠହେଲା ସେ ଦିଗରେ ତଦନ୍ତ କରାଯିବା ପରିବର୍ତେ ଏହାକୁ ଚାପିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୁଣି ଗୋଟିଏ ପଂଚାୟତରୁ ଏଭଳି ଦୁର୍ନୀତି ଘଟଣାର ପୁନରାବୃତ୍ତି ଅଭିଯୋଗକୁ ନେଇ ଏହା ବିଜେପି ଏବଂ ବିଜେଡି ଗୋଷ୍ଠି ମଧ୍ୟରେ କଳହ ଆରମ୍ଭ ହୋଇଥିବା ଆଲୋଚନା ମଧ୍ୟ ଜୋର ଧରିଛି। ପ୍ରକୃତ ଘଟଣାଗୁଡିକ ଉପରେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ଏହା ପଛରେ ରହିଥିବା ବଡ ବଡ ମାଛଙ୍କ ମୁଖା ଖୋଲନ୍ତା ବୋଲି ସବୁଠି ଚର୍ଚ୍ଚା ଚାଲିଛି ।

Comments are closed.