MEllora 950×100

ନେତାଜୀଙ୍କ ବୀରତ୍ୱ, ତ୍ୟାଗ ଓ ବଳିଦାନର ତୁଳନା ନାହିଁ, ଆଠଗଡ଼ରେ ନେତାଜୀ ଜୟନ୍ତୀ

ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ଼ ବିକାଶ ପରିଷଦ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଉତ୍ସବ ମହାସମାରୋହରେ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ବିକାଶ ପରିଷଦର ସଭାପତି ରାମନାରାୟଣ ମହାନ୍ତିଙ୍କ ପୌରୋହିତ୍ୟରେ ବିଶ୍ୱନାଥ ବିଦ୍ୟାପୀଠ ସମ୍ମୁଖରେ ଅନୁଷ୍ଠିତ ସଭାରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ବୀରତ୍ୱ, ତ୍ୟାଗ ଓ ବଳିଦାନର ତୁଳନା ନାହିଁ ବୋଲି ପ୍ରକାଶ କରିବା ସହ ସେହି ମହାନ ରାଷ୍ଟ୍ରଭକ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ବିକାଶ ସଂସ୍ଥାନର କଟକ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ସାମନ୍ତ, ଆଇନଜୀବୀ ବିକ୍ରମ କେଶରୀ ଦାଶ, ମହାତ୍ମାଗାନ୍ଧୀ ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷା ପୁଲିନ ମିଶ୍ର ପ୍ରମୁଖ ଯୋଗଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ନୂଆ ବସଷ୍ଟାଣ୍ଡ ନିକଟରୁ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ବିଶ୍ୱନାଥ ବିଦ୍ୟାପୀଠ ନିକଟରେ ପହଞ୍ଚିବା ପରେ ଅତିଥିମାନେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହି ଅବସରରେ ଭାରତୀୟ ସେନା ବାହିନୀରୁ ସେବା ନିବୃତ ହୋଇଥିବା ସୈନିକ ପବିତ୍ର ମୋହନ ସାହୁ ଓ ରବୀନ୍ଦ୍ର କୁମାର ନାୟକ ଏବଂ ଏକ ଘରୋଇ ଟିଭି ଚାନେଲର ରାଜ୍ୟସ୍ତରୀୟ ସଂଗୀତ କାର୍ଯ୍ୟକ୍ରମରେ ବିଜେତା ହୋଇଥିବା ଆଠଗଡ଼ ମାଟିର ଝିଅ ସୌଜନ୍ୟା ରଥ ଓ ପ୍ରାଚୀସ୍ମିତା ସାହୁଙ୍କୁ ଅତିଥିଗଣ ବିକାଶ ପରିଷଦ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ରାସରସିକପୁର ଓ ଗାନ୍ଧୀମାର୍ଗସ୍ଥିତ ୨ଟି ଯାକ ସରସ୍ୱତୀ ଶିଶୁମନ୍ଦିର, ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା କଲେଜ ଓ ଏବିସିଡି ଡ୍ୟାନ୍ସଗୃପର କଳାକାରମାନେ ଦେଶାତ୍ମବୋଧକ ନୃତ୍ୟସଂଗୀତ ପରିବେଷଣ କରିବା ପରେ ସେମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ନୀଳକଣ୍ଠ ଦୋରା, ଉପେନ୍ଦ୍ର କୁମାର ବାରିକ, ମହେଶ୍ୱର ଲେଙ୍କା, ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଉପଦେଷ୍ଟା ଆଇନଜୀବୀ ପ୍ରମୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଆଠଗଡ଼ ଗାନ୍ଧୀମାର୍ଗସ୍ଥିତ ବିଜେପି କାର୍ଯ୍ୟାଳୟରେ ସୋମବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଜଗଦାନନ୍ଦ ତ୍ରିପାଠୀ, ବରିଷ୍ଠ ନେତା ହେମନ୍ତ କୁମାର ମହାନ୍ତି, ରମାକାନ୍ତ ସେନାପତି, ଦିଲ୍ଲୀପ ସେଠୀ, ପ୍ରକାଶ କୁମାର ସେଠୀ, ସୁନିଲ ମିଶ୍ର ଓ ବାଞ୍ଚାନିଧି ଜେନା ପ୍ରମୁଖ ଯୋଗଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନାଦର୍ଶ ଓ ସ୍ୱାଧିନତା ସଂଗ୍ରାମରେ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ମହମ୍ମଦ ଇସଲାମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆଠଗଡ଼ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ଉପକାରାଗାର ମଧ୍ୟରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଏଥିରେ ଯୋଗଦେଇ କାରାଗାରର ଅନ୍ତେବାସୀଙ୍କ ମଧ୍ୟରେ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ଶ୍ରୀ ବସ୍ତିଆ ଏବଂ ଉପକାରାଗାର ଅଧିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଉଦ୍‌‌ବୋଧନ ଦେଇ ନେତାଜୀ ସୁଭାଷ ବୋଷଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିକାଶ ମଞ୍ଚର ଅନ୍ୟ ସଦସ୍ୟ ଏଥିରେ ଯୋଗଦାନ କରିଥିଲେ।

Comments are closed.