ପୁଞ୍ଛରେ ବୀର ଯବାନ ଦେବାଶିଷ ଶହୀଦ ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜମ୍ମୁ କାଶ୍ମୀରର ପୁଞ୍ଛରେ ସେନା ଗାଡ଼ିରେ ଆତଙ୍କବାଦୀ ଆକ୍ରମଣରେ ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳଙ୍କ ଶହୀଦ ହୋଇଥିବା ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ଶହୀଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ଦେବାଶିଷଙ୍କ ଘର ପୁରୀ ଜିଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ।


ଏହି ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ, ଗତକାଲି ସେନାଗାଡି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୫ ଜଣ ଯବାନ ଶହୀଦ ହେବା ସହ ଜଣେ ଯବାନ ଆହତ ହୋଇଛନ୍ତି। ପ୍ରଥମେ ସେନାଙ୍କ ଗାଡିରେ ନିଆଁ ଲାଗିବା ଯୋଗୁଁ ଯବାନ ଶହୀଦ ହୋଇଥିଲେ ବୋଲି ଜଣାପଡିଥିଲା ମାତ୍ର ପରେ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଥିଲା।

Comments are closed.