‘ପ୍ରଥମ ଆଞ୍ଚଳିକ ଭାଷାର ସ୍ରଷ୍ଟା ସାରଳା ଦାସ’

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଦ୍ବି୍ତୀୟ ‘ସାରଳା ଦାସ ସ୍ମୃତି’ ସମ୍ମାନ

ଭୁବନେଶ୍ବର : ଆଦିକବି ସାରଳା ଦାସ ଭାରତବର୍ଷର ପ୍ରଥମ ଆଞ୍ଚଳିକ ଭାଷାର ସ୍ରଷ୍ଟା ଥିଲେ। ଓଡ଼ିଆ ଭାଷାର ପଞ୍ଜୀକରଣ ପ୍ରଥମେ ସେ ସାରଳା ମହାଭାରତରେ କରିଥିଲେ। ସାରଳା ମହାଭାରତର ଅନୁଧ୍ୟାନ ଓ ଅନୁଶୀଳନ ଅଧିକରୁ ଅଧିକ ହେ‌େଲ ଏହା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଛନ୍ତି।
ସାରଳା ଦାସ ସ୍ମୃତି ସଂସଦ ଆନୁକୂଲ୍ୟରେ ଜୟଦେବ ଭବନରେ ଓଡ଼ିଆ ନବବର୍ଷ ଓ ଦ୍ବିତୀୟ ସାରଳା ଦାସ ସ୍ମୃତି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସଭାପତି ଡ. ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ‘ନିତିଦିନ’ ସମ୍ପାଦକ ମନୋଜ କୁମାର ମହାପାତ୍ର କହିଥିଲେ, ଧର୍ମ ସହ ଆମ ସଂସ୍କୃତି ଓତଃପ୍ରୋତ ଭାବେ ଜଡ଼ିତ। ଓଡ଼ିଆ ସଂସ୍କୃତି ଆଜି ବିପନ୍ନ ହୋଇଛି। ବାହ୍ୟ ସଂସ୍କୃତି ପ୍ରତି ମୁହୂର୍ତ୍ତରେ ଆମ ସଂସ୍କୃତି ଉପରେ ଆକ୍ରମଣ କରୁଛି। ଏପରିସ୍ଥିତିରେ ସାହିତ୍ୟ କେମିତି ସୃଷ୍ଟି ହେବ ବୋଲି ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର କହିଥିଲେ, ଭାଷା ନଥିଲେ ସାହିତ୍ୟ ସୃଷ୍ଟି ହୁଏନା। ସତ୍ୟାନୁସନ୍ଧାନ ଏବଂ ନିର୍ଭୀକତା ଲେଖକର ଧର୍ମ। ସତ୍ୟ ହେଉଛି ଭାଷାର ଶବ୍ଦ ଏବଂ ସମ୍ପତ୍ତି। ସାରଳା ଦାସଙ୍କ ନାମରେ ବହୁତ ଅନୁଷ୍ଠାନ ହେଉଥିବାବେଳେ ଅଧିକାଂଶ ଏହା ମାଧ୍ୟମରେ କେବଳ ଆତ୍ମପ୍ରଚାର କରୁଥିବା   ସେ କହିଥିଲେ। ଏହି ଅବସରରେ ଅଧ୍ୟାପିକା ଡ. ବାସନ୍ତୀ ମହାନ୍ତି, ଡ. ପୀତବାସ ରାଉତରାୟ, ସାହିତ୍ୟିକା ଡ. ଆରତି କର ପ୍ରମୁଖ ସାରଳା ଦାସଙ୍କ ସମ୍ପର୍କରେ ଉଦ୍‌ବୋଧନ ରଖିଥିଲେ।
ପ୍ରଦୀପ୍ତ କୁମାର ବିଶ୍ବାଳ  ବିବରଣୀ ପାଠ କରି ସାରଳା ଦାସଙ୍କ ନାମରେ ବିଶ୍ବବିଦ୍ୟାଳୟ ସ୍ଥାପନ କିମ୍ବା ନାମିତ କରାଯାଉ ବୋଲି କହିଥିଲେ। ଏହାସହ ବିଧାନସଭାରେ ସାରଳା ଦାସଙ୍କ ପ୍ରତିମୂର୍ତ୍ତି, ସମସ୍ତ ସଦର ମହକୁମାରେ ସାରଳା ମନ୍ଦିର ଓ ସାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉପରେ ସେ ଗୁରୁତ୍ବାରୋପ କରିଥିଲେ।  କାର୍ଯ୍ୟକ୍ରମରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ  ଦ୍ବିତୀୟ ସାରଳା ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ମଞ୍ଚ ଅଭିନୟ ଓ ନାଟ୍ୟ ନିର୍ଦେଶନାରେ ଜୀବନବ୍ୟାପୀ ସାଧନା ପାଇଁ ତ୍ରିନାଥ ବାରିକ ପ୍ରଥମ ସାରଳା ଦାସ ସ୍ମୃତି ସମ୍ମାନ‌େ‌ର ସମ୍ମାନିତ ହୋଇଥିଲେ। ଆବାହକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ଅମର କବି ସାରଳା ଦାସ’ ପୁସ୍ତକ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟସ୍ତରରେ ହୋଇଥିବା ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସାରଳା ଦାସଙ୍କ ଅବଦାନ’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଇଂ ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.