ଆତିକଙ୍କ ଖେଳ ଖତମ

ଲକ୍ଷ୍ନୌ : ମାସାଧିକ କାଳ ଧରି ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚିତ ଥିବା ଆତିକ ଅହମ୍ମଦଙ୍କ ଖେଳ ଏମିତି ସମୟରେ ଶେଷ ହୋଇଛି ଯେ ସମସ୍ତଙ୍କୁ ବିସ୍ମିତ କରିଛି। ପୁଲିସ ଗୁଳିରେ ପୁଅର ମୃତ୍ୟୁ ପରେ ଶେଷକୃତ୍ୟରେ ଉପସ୍ଥିତ ହେବା ପାଇଁ ଅଦାଲତର ଅନୁମତି ନମିଳିବାରୁ ଭାଙ୍ଗି ପଡ଼ିଥିଲେ। ଶନିବାର ମଧ୍ୟାହ୍ନରେ ପୁଅର ଶେଷକୃତ୍ୟ ହୋଇଥିଲା ଏବଂ ଏହା ଦେଖିବାକୁ ଲୁଚିଲୁଚି କବରସ୍ଥାନକୁ ଆସିଥିଲେ ପତ୍ନୀ। ସେହି ରାତିରେ ଆତିକ ପୁଲିସ ଜିମାରେ ପ୍ରୟାଗରାଜ ଆସିଥିଲେ ଓ ତାଙ୍କୁ ହତ୍ୟା କରାଗଲା। ଦୁଇ ଦିନରେ ଦୁଇ ଭାଇ ଓ ପୁଅର ମୃତ୍ୟୁ ସହ ଆତିକଙ୍କ ହଜାର ହଜାର କୋଟି ମୂଲ୍ୟର ବ୍ୟବସାୟ ଏବେ ଧୂଳିସାତ୍‌ ହୋଇଯାଇଛି। ଆତିକ ସମାଜବାଦୀ ପାର୍ଟିରୁ ଆଲ୍ଲାହାବାଦ (ପଶ୍ଚିମ) ଆସନରୁ କ୍ରମାଗତ ୫ ଥର ବିଧାୟକ ଥିଲେ। ଫୁଲପୁର ଆସନରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ; ଯେଉଁଠାରୁ ଏକଦା ଜବାହରଲାଲ ନେହରୁ ନିର୍ବାଚିତ ହୋଇଥିଲେ। ମାତ୍ର ୧୭ବର୍ଷ ବୟସରେ ୧୯୭୯ରେ ସେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିଲେ। ଏବେ ତାଙ୍କୁ ୬୦ବର୍ଷ ହୋଇଥିଲା ଏବଂ ୪ଦଶନ୍ଧି ମଧ୍ୟରେ ତାଙ୍କ ନାମରେ ୧୦୦ରୁ ଅଧିକ ହତ୍ୟା, ଅପହରଣ ଆଦି ମାମଲା ରହିଥିଲା। ଅପରାଧୀରୁ ଜଣେ ସଫଳ ରାଜନେତା ହୋଇଥିବା ଆତିକ ୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାର ପ୍ରତ୍ୟକ୍ଷଦର୍ଶୀ ଉମେଶ ପାଲଙ୍କୁ ୨୦୨୨ରେ ହତ୍ୟା କରାଯିବା ଘଟଣାରେ ଚର୍ଚ୍ଚାକୁ ଆସିଥିଲେ। ଅତି ଦରିଦ୍ର ପରିବାରରେ ଜନ୍ମିତ ଆତିକ ହାଇସ୍କୁଲ ଶିକ୍ଷା ସମାପ୍ତ କରିନଥିଲେ। କୋଇଲା ଚୋରିରୁ ଅପରାଧ ଜୀବନ ଆରମ୍ଭ ହୋଇଥିଲା। ରେଳବାଇ ସ୍କ୍ରାପ୍‌ ଚୋରି ତାଙ୍କୁ ବଡ଼ଲୋକ କରିଥିଲା। ମାତ୍ର ୨୭ବର୍ଷରେ ସେ ‘ବାହୁବଳୀ’ ଭାବରେ ପ୍ରଥମେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବା ସହ ସ୍ବାଧୀନ ପ୍ରାର୍ଥୀ ଭାବେ ଆଲ୍ଲାହାବାଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ୧୯୯୮ରେ ଆପ୍‌ନା ଦଲ୍‌ରେ ଯୋଗଦେଇ ଏହାର ସଭାପତି ହୋଇଥିଲେ। ୨୦୦୩ରେ ପୁଣି ସମାଜବାଦୀ ପାର୍ଟିକୁ ଫେରିଥିଲେ। ୨୦୧୯ରେ ସେ ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଏହା ତାଙ୍କର ଶେଷ ନିର୍ବାଚନ ଥିଲା। ତେବେ ୨୦୦୫ରେ ଆଲ୍ଲାହାବାଦ ହାଇକୋର୍ଟରୁ ୧୦ଜଣ ବିଚାରପତି ତାଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ମନା କରିବା ଓ ପରେ ଏକାଦଶ ବିଚାରପତି ତାଙ୍କୁ ଜାମିନ ଦେବା ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ୨୦୧୪ ଲୋକସଭା ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନ ଥିବା ଉଲ୍ଲେଖ କରିଥିଲେ। ଗୁଜରାଟର ସାବରମତୀ ଜେଲ୍‌ରୁ ଉତ୍ତର ପ୍ରଦେଶକୁ ସ୍ଥାନାନ୍ତର ସମୟରେ ସେ ତାଙ୍କୁ ହତ୍ୟା କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆତିକଙ୍କ ପରି ମାଫିଆଙ୍କୁ ମାଟିରେ ମିଶାଇଦେବେ ବୋଲି ଘୋଷଣା କରିଥିଲେ ଏବଂ ଏ ସବୁ ଏବେ ସତ୍ୟ ହୋଇଛି।

Comments are closed.