ଦାଦନ ଖଟିବାକୁ ଯାଇ ଫେରିଲା ମୃତଦେହ, ଚିନ୍ତାରେ ଦୁଇ ଭଉଣୀ

ରେଙ୍ଗାଲିକ୍ୟାମ୍ପ: କମୁନି ଦାଦନ ଦୁଃଖ। କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ସଭିଏଁ। ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ କାହାର ମୃତଦେହ ଫେରୁଛି ତ କିଏ ବିକଳାଙ୍ଗ ହୋଇ ଫେରୁଛି। ଏମିତି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୩ ଅନ୍ତର୍ଗତ ଭାଲୁ ପାଲି ଗ୍ରାମର ଯୁବକ ପ୍ରେମରାଜ୍ ବାଗ (୩୨) ଗତ ୨୦୧୯ରୁ ଦାଦନ ଖଟିବା ପାଇଁ ଯାଇଥିଲେ ବିଶାଖାପାଟଣାକୁ। କରୋନା ମହାମାରୀ ସମୟରେ ବି ସେ ଫେରି ନଥିଲା। ଘରେ ଦୁଇ ଅବିବାହିତା ଭଉଣୀ ଅଛନ୍ତି। ବହୁତ୍ ଆଗରୁ ବାପା ମାଁ ଚାଲିଗଲେଣି। ଗତ କାଲି ସକାଳ ପ୍ରାୟ ୯ଟାରେ ହଠାତ୍ ପ୍ରେମରାଜ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାକୁ ନିଆଯାଇଛି ବୋଲି ଗାଁର ଆଉ ଏକ ଯୁବକ ଫୋନ୍ କରିଥିଲେ। ସେ ମଧ୍ୟ ବିଶାଖାପାଟଣାରେ ଦାଦନ ଖଟୁଛନ୍ତି।

ପରେ ଅପରାହ୍ନ ୨ ଟାରେ ପୁଣି ଉକ୍ତ ଯୁବକ ଫୋନ୍ କରି ପ୍ରେମରାଜଙ୍କ ମୃତ୍ୟୁ ହୋଇଥିବା ଜଣାଇଥିଲେ ଓ ସେମାନେ ସକାଳେ ୬ଟାରେ ପହଞ୍ଚିବେ ବୋଲି କହିଥିଲେ। ସକାଳେ ଏକ ଆମ୍ବୁଲାନ୍ସରେ ପ୍ରେମରାଜଙ୍କ ମୃତ ଦେହକୁ ଆଣି ଘର ଆଗରେ ପକେଇ ଦେଇ ଡାକ୍ତରୀ ଚିକିତ୍ସା ହୋଇଥିବା କିଛି କାଗଜ ପତ୍ର ଦେଇ କମ୍ପାନୀ ଚାଲିଯାଇଥିଲା। କମ୍ପାନୀ ପାଖରେ ସମୟ ନଥିଲା ମୃତ ପ୍ରେମରାଜଙ୍କ ପରିବାର କଥା ବୁଝିବା। ପ୍ରେମରାଜଙ୍କ ଦୁଇ ଭଉଣୀଙ୍କ ପାଖରେ ତାଙ୍କର ଶବ ସତ୍କାର ପାଇଁ ବି ପଇସାଟିଏ ନଥିବା ତାଙ୍କ ପରିସ୍ଥିତିରୁ ବେଶ୍ ଅନୁମାନ କରିହେଉଛି। ଏନଏସି ପକ୍ଷରୁ ମଧ୍ୟ ଶବ ସତ୍କାର ପାଇଁ କୌଣସି ଅର୍ଥରାଶି ମିଳିନଥିବା ସେମାନେ ପ୍ରକାଶ କରିଛନ୍ତି। ଭାଇର ଶବ ସତ୍କାର କରିବା ପାଇଁ ଭଉଣୀ ମାନେ ଏବେ ଅର୍ଥ ଯୋଗାଡ କରିବେ ନା ଭାଇ ପାଇଁ ଶୋକ କରିବେ ବୁଝି ପାରୁ ନାହାଁନ୍ତି। ତେବେ ଏମାନଙ୍କ ଭବିଷ୍ୟତ କଣ ହେବ।

Comments are closed.