କରୋନା ସଙ୍କଟ: ଯାତ୍ରା କଳାକାର ସଂଘର ଅଭିଯୋଗ ପରେ ମାଲିକ ସଂଘ ଖପ୍ପା

ଭୁବନେଶ୍ବର: ଯାତ୍ରାକୁ ନେଇ ଏବେ ଚାଲିଛି ଯାତରା । ମାଲିକ ସଂଘ ଓ କଳାକାର ସଂଘ ମୁହାଁମୁହିଁ । କଳାକାରମାନେ କରିଥିବା ଅଭିଯୋଗକୁ ନେଇ କ୍ଷୁବ୍ଧ ଯାତ୍ରାପାର୍ଟିର ମାଲିକ । ଯେଉଁ ଅଭିନେତାମାନେ ଅଧିକ ଟଙ୍କା ପାଉଛନ୍ତି, ଅଧିକ ସୁବିଧା ସୁଯୋଗ ନେଉଛନ୍ତି ସେହିମାନେ ହିଁ ସବୁ ବିଭ୍ରାଟ ଓ ଅଭିଯୋଗ କରୁଛନ୍ତି ବୋଲି ମାଲିକ ମହାସଂଘ ପାଲଟା ଅଭିଯୋଗ କରିଛି ।

କରୋନା ଲକ୍ଡ଼ାଉନ ଯୋଗୁଁ ଯାତ୍ରା ବନ୍ଦ । ସେହିପରି ନୂଆ ଯାତ୍ରା ବର୍ଷ ନିମନ୍ତେ ନାଟକ ଚୟନ, ରିହଲସେଲ ଆଦି ବି ହୋଇନାହିଁ । ଏହାକୁ ନେଇ ଦୁଇତିନିଦିନ ତଳେ କିଛି ଯାତ୍ରା କଳାକାର କିଛି ବିବାଦୀୟ ଟିପ୍ପଣୀ ଦେଉଥିଲେ । ଯାତ୍ରା କଳାକାରମାନେ ଖାଇବାକୁ ପାଉ ନାହାନ୍ତି ବୋଲି କହିଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ମାଲିକ ମହାସଂଘ। କଳାକାରଙ୍କ ଏହି ଅଭିଯୋଗକୁ ନିରାଧାର ବୋଲି କହିଛନ୍ତି ୧୭ ଯାତ୍ରାପାର୍ଟିର ମାଲିକ । କେବଳ ସେତିକି ନୁହେଁ, ଅନିର୍ଦିଷ୍ଟ କାଳ ପାଇଁ ଯାତ୍ରା କରାଯିବ ନାହିଁ ବୋଲି ମଧ୍ୟ ମାଲିକ ସଂଘ ଘୋଷଣା କରିଛି ।କଳାକାର ଆଣିଥିବା ଅଭିଯୋଗକୁ ମିଥ୍ୟ। କହିଲା ସଂଘ । ବର୍ଷ ଆରମ୍ଭରୁ ନାଟକ ପରିବେଷଣ ହୋଇଥିବା କିଛି ମାସର ପ୍ରାପ୍ୟ ଦିଆଯାଇଛି ।  ଯେଉଁମାନେ ବେଶୀ ଦରମା ପାଉଛନ୍ତି ସେହି କଳାକାର ମାନେ ହିଁ ଅଭିଯୋଗ କରୁଛନ୍ତି ।

ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପର ବାର୍ଷିକ କାରବାରଠାରୁ ଯାତ୍ରା ଶିଳ୍ପର କାରବାର ଢ଼େର ବେଶୀ । ଓଡ଼ିଶାରେ ବର୍ଷକୁ ସିନେମା ଶିଳ୍ପର କାରବାର ୨୦/୩୦ କୋଟି ମଧ୍ୟରେ । ହେଲେ ଯାତ୍ରା ଶିଳ୍ପର କାରବାର ଶତାଧିକ କୋଟି । ଯାତ୍ରାର କିଛି କଳାକାର ବାର୍ଷିକ ୨୦ରୁ ୩୦ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ବେତନ ପାଉଥିବା ଏବଂ ସେମାନଙ୍କ ପାଇଁ ମାଲିକଙ୍କୁ ଗାଡ଼ି, ହୋଟେଲ ଆଦି ବ୍ୟବସ୍ଥା କରିବାକୁ ପଡ଼ିଥାଏ । ଗୋଟିଏ ଗୋଟିଏ ଯାତ୍ରା ପାର୍ଟିରେ ଦେଢ଼ଶହରୁ ୩୦୦ ପର୍ଯ୍ୟନ୍ତ ଲୋକଙ୍କୁ କର୍ମ ନିଯୁକ୍ତି ମିଳିଥାଏ । ଗୀତ ଗାଇବାଠାରୁ ନାଚିବା, ବାଜା ବଜାଇବା, ଇଲେକ୍ଟିସିଆନ, ରୋଷେଇ କରିବା ଠାରୁ ଆରମ୍ଭ କରି ତମ୍ବୁ ଟାଣିବା, ଗାଡ଼ି ଚଳାଇବା ପର୍ଯ୍ୟନ୍ତ ବହୁ ବ୍ୟକ୍ତି ଏଥିରେ ନିଯୁକ୍ତି ପାଇଥାଆନ୍ତି ।  ସମସ୍ତେ ଅବଶ୍ୟ ବେଶୀ ଦରମା ପାଆନ୍ତି ନାହିଁ । ବର୍ତମାନ ସମୟରେ ସମସ୍ତେ କଷ୍ଟପ୍ରଦ ସମୟ ଦେଇ ଗତି କରୁଛନ୍ତି । ଏହା ସତ୍ତ୍ବେ ନିନ୍ଦିତ କରିବା ପରି ମନ୍ତବ୍ୟକୁ ମାଲିକ ସଂଘ ସହଜରେ ଗ୍ରହଣ କରିପାରି ନାହିଁ ।

ସେମାନେ କହିଛନ୍ତି କ୍ଷତି ସହିଲେ ପଛେ ସହିବୁ କିନ୍ତୁ  ସରକାରଙ୍କ ନିୟମ ଓ ନିଷ୍ପତ୍ତି ପାଳନ କରିବୁ । ଯାତ୍ରା ଆରମ୍ଭ କରିବୁ ନାହିଁ କି ଯାତ୍ରାପ୍ରେମୀଙ୍କ ଜୀବନକୁ ବିପଦରେ ପକାଇବୁ ନାହିଁ । ନିଜ ସ୍ବାର୍ଥ ପାଇଁ କିଛି ବ୍ୟକ୍ତି ମିଛ ଅଭିଯୋଗ କରୁଛନ୍ତି । ସେହି ବ୍ୟକ୍ତିମାନେ ଅଗ୍ରୀମ ଟଙ୍କା ନେଇଛନ୍ତି । ଏହା ସତ୍ବେ ସେମାନେ ଅଭିଯୋଗ କରୁଛନ୍ତି । ତଳସ୍ତରରେ କାମ କରୁଥିବା ଓ କମ୍ ଦରମା ପାଉଥିବା ଅଭିନେତାମାନଙ୍କର କିଛି ଅଭିଯୋଗ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Comments are closed.