ବିବାଦୀୟ ପରିସ୍ଥିତିରେ ହେମନ୍ତ ବିଦା: କୋବିଦ ସାମଗ୍ରୀ କିଣାର ତଦନ୍ତ ଦାବି କଲେ ବିରୋଧୀ

ସାମଗ୍ରୀ କିଣାରେ ବିପୁଳ ଅନିୟମିତତା ଅଭିଯୋଗ

ଭୁବନେଶ୍ଵର: କୋବିଦ ସାମଗ୍ରୀ କିଣା କମିଟିରୁ ବାଦ ପଡ଼ିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଅକସ୍ମାତ ହେମନ୍ତ ଶର୍ମାଙ୍କ ଅବ୍ୟାହତି ଅୟୁତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାର ଗୁରୁତ୍ଵ ନ ଥିଲେ ସରକାର ଏପରି ସମୟରେ ଆକସ୍ମିକ ଭାବରେ ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ନ ଥାନ୍ତେ ବୋଲି ସ୍ବାଭାବିକ ଚର୍ଚା ଆରମ୍ଭ ହୋଇଛି ।

କୋବିଦ ସାମଗ୍ରୀ କିଣା କମିଟିରେ ହେମନ୍ତ

ହେମନ୍ତ ଶର୍ମା ହେଉଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ସଚିବ।  ୨୩ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାସ୍କ, ପିପିଓ, ଭେଣ୍ଟିଲେଟର ଓ କରୋନା ସଂକ୍ରାନ୍ତ ଅନ୍ୟାନ୍ୟ ସାମଗ୍ରୀ କିଣିବା ନିମନ୍ତେ ଯେଉଁ କ୍ରୟ କମିଟି ଗଠନ କରାଯାଇଥିଲା ସେଥିରେ ହେମନ୍ତ ଶର୍ମାଙ୍କୁ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ସହଯୋଗ ନିମନ୍ତେ ନିର୍ଦେଶ ଦିଆଯାଇଥିଲା ।  ମାତ୍ର ପରବର୍ତୀ ସମୟରେ  କରୋନା ଯୋଦ୍ଧାଙ୍କ ନିମନ୍ତେ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ କ୍ରୟ ଦାୟିତ୍ଵ ହେମନ୍ତ ନିଜେ ନେଇଥିଲେ । ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କିମ୍ବା ସ୍ବାସ୍ଥ୍ୟ ବିଭାଗର ତଦାରଖ ଦାୟିତ୍ଵ ଦିଆଯାଇଥିବା ଏସିଏସ୍ (ଅତିରିକ୍ତ ମୁଖ୍ୟ ସଚିବ) ପ୍ରଦୀପ୍ତ ମହାପାତ୍ରଙ୍କ ସହ ସାମଗ୍ରୀ କ୍ରୟ ନେଇ କୌଣସି ଆଲୋଚନା ନ କରି ଏକାକୀ ନିଷ୍ପତ୍ତି ନେଇଥିବା କ୍ଷମତା ଅଳିନ୍ଦରେ ଚର୍ଚା ଚାଲିଛି ।

କେମିତି ବିବାଦକୁ ଆସିଲେ ହେମନ୍ତ

ତେବେ ବିବାଦ ଆରମ୍ଭ ହୋଇଥିଲା ସେତେବେଳେ, ଯେତେବେଳେ ରାଜ୍ୟ ସରକାର ବିଭିନ୍ନ କମ୍ପାନୀକୁ ବରାଦ କରିଥିବା ୩୩ ଟ୍ରକ୍ ସାନିଟାଇଜର, ମାସ୍କ, ପିପିିଇ ଓ ଭେଣ୍ଟିଲେଟର ଓଡ଼ିଶାରେ ପହଞ୍ଚିଲା । ଏହି ସାମଗ୍ରୀଗୁଡ଼ିକ ଓଡ଼ିଶାରେ ପହଞ୍ଚିବା ପରେ ତାହାକୁ ଗ୍ରହଣ କରିବାକୁ ମନା କରି ଦିଆଗଲା । ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଦୁଇ ଟ୍ରକ୍ ମାସ୍କ, ସାନିଟାଇଜର ଓ ଗୋଟିଏ ଟ୍ରକ ଭର୍ତି ଭେଣ୍ଟିଲେଟର ଫେରାଇ ଦିଆଗଲା  ।

କୁହାଗଲା ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ପହଞ୍ଚିବା ଯୋଗୁଁ ଏହି ସାମଗ୍ରୀଗୁଡ଼ିକ ଫେରାଇ ଦିଆଗଲା । ଆଉ ଏହି ସମୟରେ କ୍ରୟ କମିଟର ଅନ୍ୟତମ ତତ୍ଵାବଧାରକ ଶ୍ରୀ ଶର୍ମା ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିଲେ । ଏହି ଘଟଣାର କିଛି ଘଣ୍ଟାର ବ୍ୟବଧାନ ପରେ ଶ୍ରୀ  ଶର୍ମାଙ୍କୁ କ୍ରୟ କମିଟିରେ ଥିବା ତାଙ୍କର ଭୂମିକାକୁ ଶେଷ କରିଦିଆଗଲା ଏବଂ ତାଙ୍କୁ ତୁରନ୍ତ ଏହି ଦାୟିତ୍ଵରୁ ସରକାର ଅପସାରଣ କରିନେଲେ । କୋବିଦ ସାମଗ୍ରୀ କିଣିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ତାହା ଶେଷ ହୋଇଛି । ତେଣୁ ଏହାର ଦେଖାଶୁଣା ନିମନ୍ତେ ଜଣେ ପ୍ରମୁଖ ସଚିବ ପାହ୍ୟାର ଅଧିକାରୀଙ୍କ ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅତିରିକ୍ତ ପାହ୍ୟାର ଅଧିକାରୀ ସେତେବେଳେ ସୂଚନା ଦେଇଥିଲେ ।

ବିଶ୍ଵାସରେ ଦେଇ ନାହାନ୍ତି ତ ବିଷ?

କୋବିଦ ନିୟନ୍ତ୍ରଣ ଓ ରାଜ୍ୟବାସୀଙ୍କ ସୁରକ୍ଷା ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ଧାର୍ଯ୍ୟ ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭିନ୍ନ ଜିଲା ବୁଲି କୋବିଦ ଡ଼ାକ୍ତରଖାନାର ଅନୁଧ୍ୟାନ କରିଥିଲେ । ସେହିପରି ସଂକ୍ରମଣ ପ୍ରବଣ ଜିଲାଗୁଡ଼ିକରେ କୋବିଦ ପରିଚାଳନା ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଥିଲା । ଏପରିକି ନିଜେ ହେମନ୍ତ ଶର୍ମା  କୋବିଦ ସାମଗ୍ରୀ କ୍ରୟ ନିମନ୍ତେ ସରକାର ବ୍ଲାଙ୍କ ଚେକ୍ ଦେଇଥିବା କଥା ଗତ ଏପ୍ରିଲ ୨୮ ତାରିଖରେ ପ୍ରକାଶ କରିଥିଲେ । ତେବେ ପ୍ରଶ୍ନ ଉଠୁଛିସରକାର ତାଙ୍କ ଉପରେ ଯେଉଁ ବିଶ୍ଵାସ ସ୍ଥାପନ କରିଥିଲେ ସେଥିରେ ହେମନ୍ତ ବିଷ ମିଶାଇ ନାହାନ୍ତି ତ?

ଚଢ଼ା ଦରରେ ସାମଗ୍ରୀ କିଣା ଅଭିଯୋଗ

ହେମନ୍ତ ଯେଉଁ କ୍ରୟ କମିଟିର ତତ୍ଵାବଧାନ କରୁଥିଲେ ସେହି କମିଟି ଗ୍ରହଣ କରିଥିବା ପଦକ୍ଷେପର ବିଶ୍ଵସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ​‌। ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । କଂଗ୍ରେସ କହିଛି ଯେ  ୯.୯୦ ପଇସାରେ ଗୋଟେ କମ୍ପାନୀ ପାଖରୁ ମାସ୍କ କିଣିବାର ୨ ଦିନ ପରେ ଆଉଗୋଟେ କମ୍ପାନୀ ଠାରୁ ସମାନ ମାନର ମାସ୍କ ୧୬ ଟଙ୍କାରେ କିଣା ଯାଇଥିଲା। ସେହି ବାବଦକୁ କୋଟି କୋଟି ଟଙ୍କା ତୋଷରପାତ ହୋଇଛି। ସେହିଭଳି ରିଏଲ ଟାଇମ ପିସିଆର ମେସିନ ଏବଂ ସେଥିରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ କିଣାରେ ସାଙ୍ଘାତିକ ଦୁର୍ନୀତି ହୋଇଥିବାର ସ୍ପଷ୍ଟ ପ୍ରମାଣ ରହିଛି। ଗୋଟିଏ କମ୍ପାନୀ ପାଖରୁ ଔଷଧ ନିଗମ ପ୍ରତି ପିସିଆର ପିଛା ୧୨ ଲକ୍ଷ ୯୦ ହଜାର ଟଙ୍କା ଦେଇ ୧୦୦ ଟି ମେସିନ କିଣିବା ବାବଦକୁ ୧୨ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମେସିନ ଖୋଲା ବଜାରରେ ୪-୫ ଲକ୍ଷ ଟଙ୍କାରେ ଉପଲବ୍ଧ ଥିଲାବେଳେ ୧୨ ଲକ୍ଷ ୯୪ ହଜାର ଟଙ୍କାରେ କିଣାହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଏହି ରିଏଲ ଟାଇମ ପିସିଆର ମେସିନ ରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ ଯାହାର ବଜାର ମୂଲ୍ୟ ୭୦୦ – ୮୦୦ ଟଙ୍କା। ତାହାକୁ ୧୩୧୪ ଟଙ୍କାରେ ଔଷଧ ନିଗମ କିଣିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପକ୍ଷରେ କୋବିଦ ପରି ମହାମାରୀ ସମୟରେ ଔଷଧ ନିଗମ ପକ୍ଷରୁ ସାମଗ୍ରୀ କିଣାରେ ଯେଉଁ କେଳେଙ୍କାରୀ ହୋଇଛି ତାହା ଅକ୍ଷମଣୀୟ ବୋଲି ଅଭିହିତ କରିଛି ବିଜେପି ।  କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସୁଦର୍ଶନ ଦାସ, ବିଜେପି ନେତ୍ରୀ ଏହାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେଡ଼ି ସାଂସଦ ସୁବାସ ସିଂହ ଓ ବିଧାୟକ ଶଶିଭୂଷଣ ବେହେରା ଏଥିରେ କୌଣସି ଅନିୟମିତତା ହୋଇଥିଲେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ପାଲଟା ଜବାବ ଦେଇଛନ୍ତି । 

 

 

Comments are closed.