ଅସନ୍ତୋଷ ତେଜିବା ପରେ ବଦଳିଲା ଓଡ଼ିଶା ହକି ଆଡ୍‌ହକ କମିଟି

କଟକ: ପ୍ରତିବାଦ, ବିରୋଧ ଓ ଅସନ୍ତୋଷ ତେଜିବା ପରେ ନିଷ୍ପତ୍ତି ପରିବର୍ତ୍ତନ କରିଛି ହକି ଇଣ୍ଡିଆ। ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ପକ୍ଷରୁ ଗଠିତ ଆଡ୍‌ହକ୍‌ କମିଟି ଅଧ୍ୟକ୍ଷ ବଦଳିଛନ୍ତି। ଭୋଳାନାଥଙ୍କ ବଦଳରେ ଆଡ୍‌ହକ କମିଟିର ଅଧ୍ୟକ୍ଷ ଭାବେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ନିଯୁକ୍ତ କରିଛି ହକି ଇଣ୍ଡିଆ। ସେହିପରି କମିଟିର ଆବାହକ ଭାବେ ରାଜ୍ୟ କ୍ରୀଡ଼ା ବିଭାଗର ଉପ ସଚିବ ଶୈଳେନ୍ଦ୍ର ଜେନା ରହିଥିବାବେଳେ ଅନୁ ସଚିବ ରାଜେନ୍ଦ୍ର ପାଣି, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ପକ୍ଷରୁ ଅଧିପ ଦାସ, ହକି ଇଣ୍ଡିଆର ଉପ ସଭାପତି ଭୋଳାନାଥ ସଦସ୍ୟ ରହିଛନ୍ତି। ଏ ନେଇ ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ଆଭାସୀ ବୈଠକରେ ଘୋଷଣା କରାଯାଇଛି।

ଆଡ୍‌ହକ କମିଟି ଓଡ଼ିଶାରେ ହକିର ପରିଚାଳନା, ବିକାଶ, ଖେଳାଳି ମନୋନୟନ ଓ ତୃଣମୂଳସ୍ତରରୁ ଖେଳାଳି ସୃଷ୍ଟି ଦିଗରେ କାର୍ଯ୍ୟ କରିବ। ଆଡ୍‌ହକି କମିଟିର ଅଧ୍ୟକ୍ଷ ନିଯୁକ୍ତି ହୋଇଥିବା ଦିଲୀପ କୁହନ୍ତି, ଏହା ମୋ ପାଇଁ ଏକ ଗୌରବର ବିଷୟ। ତୃଣମୂଳସ୍ତରରୁ ଓଡ଼ିଶା ହକିର ବିକାଶ ନେଇ କମିଟି କାର୍ଯ୍ୟ କରିବ ବୋଲି ଦିଲୀପ କହିଛନ୍ତି। ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆଡ୍‌ହକ କମିଟିର ଅଧ୍ୟକ୍ଷ ଭାବେ ଝାଡଖଣ୍ଡର ଭୋଳାନାଥଙ୍କୁ ନିଯୁକ୍ତ କରାଯାଇଥିଲା। ଯାହାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Comments are closed.