ଏନସିପିସିଆର ଗାଇଡଲାଇନ୍‌ କାର୍ଯ୍ୟକାରୀ ମାମଲାରେ ୮ ସପ୍ତାହରେ ପଦକ୍ଷେପ ନିଅ : ହାଇକୋର୍ଟ

କଟକ : ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଗାଇଡ଼ଲାଇନକୁ କାର୍ଯ୍ୟକାରୀ କରିବା ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି କେ.ଏସ ଝାଭେରୀ ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୮ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଦରଖାସ୍ତ ଉପରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ସମଗ୍ର ରାଜ୍ୟରେ ଶିଶୁଙ୍କୁ ଶିକ୍ଷାଦାନ ଓ ସୁରକ୍ଷା ନିମନ୍ତେ ବିଭିନ୍ନ ବେସରକାରୀ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ସଂସ୍ଥା ଖୋଲି ଅସହାୟ, ଗରିବ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବାବେଳେ ଉକ୍ତ ଅନୁଷ୍ଠାନଗୁଡିକର ପଞ୍ଜିକରଣ କରିବା ନେଇ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହି। ତେବେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ କିଛି ଆଇନ ବ୍ୟବସ୍ଥା ନଥିବାବେଳେ ଅନେକ ସମୟରେ ସିଡବ୍ଲ୍ୟୁସି ପକ୍ଷରୁ ବିଭିନ୍ନ ଅଭିଯୋଗ ନେଇ ଚଢାଉ କରାଯାଉଛି। ଫଳରେ ଅନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଉଛି। ସେଠାରେ ରହିଥିବା ଶିଶୁ ପାଠପଢାରୁ ବଞ୍ଚିତ ହେଉଛି। ଏଭଳି କ୍ଷେତ୍ରରେ ଏନସିପିସିଆର ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ପ୍ରତ୍ୟେକ ରାଜ୍ୟ ପାଳନ କରିବା କଥା। କିନ୍ତୁ ଏହି ନିର୍ଦେଶନାମା ଓଡିଶାରେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବାବେଳେ ଏହି ଗାଇଡଲାଇନ କାର୍ଯ୍ୟକାରୀ କରିବା ନେଇ ପ୍ରାର୍ଥନା କରି କ୍ଲାପ ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ବିକାଶ ଦାସଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା।

Comments are closed.