ବିଦେଶରେ ଓଡ଼ିଆ ବିଭବ

ଆଜି କାର୍ତ୍ତିକ ପୂର୍ଣ୍ଣିମା। ପାହାନ୍ତା ପହରୁ ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି ଶବ୍ଦରେ ପ୍ରତିଧ୍ୱନିତ ହେଉଥାନ୍ତା ପରିବେଶ। ପାନ,ଗୁଆ ଥୋଇ ଡଙ୍ଗା ଭସାଇ ଅତୀତର ନୌବାଣିଜ୍ୟ ଗୌରବ ଗାଥା ମନେପକାଉଥାନ୍ତେ ଓଡ଼ିଆମାନେ। ପୁଣି କାର୍ତ୍ତିକର ଧର୍ମଡଙ୍ଗାରୁ ପରକାଳ ପାଇଁ ଧର୍ମ ସଞ୍ଚୟ କରୁଥାନ୍ତେ। କରୋନା କଟକଣାରେ ଚାରିଆଡ ଖାଁ ଖାଁ..। ହେଲେ, ସ୍ମୃତି ତ ଭୁଲିବାର ନୁହେଁ। ବୋଇତ ବନ୍ଦାଣ,ବାଲିଯାତ୍ରା ସିନା କଟକଣାରେ ଅଟକି ଯାଇଛି, କିନ୍ତୁ ପୂର୍ବପୁରୁଷଙ୍କ ବୀରତ୍ୱ କଥା, ବିଦେଶ ମାଟିରେ ଓଡ଼ିଆ ସଂସ୍କୃତି ପ୍ରତିଫଳନର ଛିଟା, ନିଜ ପରମ୍ପରା ସାଇତି ରଖିବାର ଦାୟିତ୍ୱବୋଧ ମନେପକାଇଦେବା ଲାଗି ଆଜିର ତିଥି ହିଁ ଯଥେଷ୍ଟ।

ପ୍ରାଚୀନ କାଳରେ ଜାଭା, ବାଲି, ବୋର୍ଣ୍ଣିଓ, ସୁମାତ୍ରା, କାମ୍ବୋଡିଆ, ଇଣ୍ଡୋନେସିଆ, ମାଲେସିୟା, ଶ୍ରୀଲଙ୍କା, ମ୍ୟାଁମାର, ମାଳଦ୍ୱୀପ ଏବଂ କେତେକ ପୂର୍ବ ଆଫ୍ରିକୀୟ ଦେଶ ତଥା ଆରବ ଦେଶ ସହ ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କ ଗଢିଉଠିଥିଲା। ଏହି ବାଣିଜ୍ୟିକ ସମ୍ପର୍କ ଅର୍ଥନୀତି ସହ ସେସବୁ ଦେଶରେ ଓଡ଼ିଶାର ସାମାଜିକ ଏବଂ ସାଂସ୍କୃତିକ ବିବିଧତାର ସ୍ପଷ୍ଟ ଛାପ ସୃଷ୍ଟି କରିପାରିଥିଲା। ଏସବୁର ପ୍ରମାଣ ଏବେ ବି ଏହି ଦେଶଗୁଡିକରେ ଦେଖିବାକୁ ମିଳେ। ସେଠାକାର ଭାଷା, ସଂସ୍କୃତି, ସ୍ଥାପତ୍ୟରେ ଝଲକ ଦେଖାଯାଏ ଓଡ଼ିଆତ୍ୱର। ଇତିହାସରୁ ଜଣାପଡେ, ପ୍ରାୟ ସପ୍ତମ ଶତାବ୍ଦୀରେ ବର୍ମା ବା ମ୍ୟାଁମାର କଳିଙ୍ଗରାଟ ଭାବେ ନାମିତ ଥିଲା ଯାହାର ଅର୍ଥ କଳିଙ୍ଗ ରାଷ୍ଟ୍ର। କଳିଙ୍ଗ ସାଧବମାନେ ହିଁ ବର୍ମାରେ ବୌଦ୍ଧଧର୍ମର ପ୍ରଚାର, ପ୍ରସାର କରାଇଥିବା ସେଠାକାର ପ୍ରାଚୀନ ଆଲେଖ୍ୟରେ ବର୍ଣ୍ଣିତ। ସେହିପରି ଜାଭା, ବାଲି ଆଦି ସ୍ଥାନରେ ଏହି ସାଧବମାନଙ୍କ ଦ୍ୱାରା ହିନ୍ଦୁଧର୍ମ ପ୍ରସାର ଲାଭ କରିଥିବା ଜଣାଯାଏ। ବାଲିର ଭାଷାରେ ବାପା, ବୋଉ ଆଦି ସମ୍ବୋଧନ ମଧ୍ୟ ରହିଛି। ଏହା ସହିିତ ଇସ୍ତେରୀ, ସୁଆମି, ଶକ୍ତି, ସାକ୍ଷୀ, ଯୋଗ୍ୟ, ଯୋଦା, ଉତମ, ପଦମ, ୱିଜୟ, ପୱନ, ଗଜଃ, ପୁଷ୍ପ, ଅକ୍ଷର, ଗୀତା, ପୂର୍ଣ୍ଣମା, କର୍ମ, ଧର୍ମ, ନିର୍ଭୟ, ଭୟଙ୍କର ଆଦି ଶବ୍ଦ ସେଠାରେ ବ୍ୟବହାର କରାଯାଉଛି। କାମ୍ବୋଡିଆର ମନ୍ଦିର କାନ୍ଥରେ କଳିଙ୍ଗ ଓ ସଂସ୍କୃତ ଲିପିର ଉପସ୍ଥିତି ଏବେ ବି ଦେଖିବାକୁ ମିଳେ। ସେଠାରେ ପ୍ରଖ୍ୟାତ ସ୍ଥାପତ୍ୟ ଆଙ୍ଗକୋରୱାଟ ମନ୍ଦିରର ନିର୍ମାଣ ଶୈଳୀରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର କଳାସ୍ଥାପତ୍ୟର ଛିଟା ରହିଛି। ସମଗ୍ର ଇଣ୍ଡୋନେସିଆରେ ପ୍ରଚଳିତ କେତେକ ଭାଷା ମଧ୍ୟ ଓଡ଼ିଆ ଶବ୍ଦ ସହ ସାମଞ୍ଜସ୍ୟ ରଖିଥିବା ଜଣାଯାଏ। ମନୁଷିଆ (ମନୁଷ୍ୟ), ଅୱତାର (ଅବତାର), ଅନିଆୟ (ଅନ୍ୟାୟ), ଦୁକ (ଦୁଃଖ), ବୋଗ (ଭୋଗ), ସିଟ୍ର (ଚିତ୍ର) ଆଦି ଏହାର କେତେକ ଝଲକ। ସେଠାକାର ବସ୍ତ୍ର ଉଦ୍ୟୋଗରେ ବି ଓଡ଼ିଆ ବୟନକଳାର ପ୍ରଭାବ ରହିଛି।

ଭିଏତନାମସ୍ଥିତ ୧୦ମ ଶତାବ୍ଦୀର ଭଗବତୀ ମନ୍ଦିର

ଶ୍ରୀଲଙ୍କା, ଥାଇଲାଣ୍ଡର ସଂସ୍କୃତିକୁ ମଧ୍ୟ ଓଡ଼ିଶାର ନୌବାଣିଜ୍ୟ ବେଶ୍‍ ପ୍ରଭାବିତ କରିଥିବା ପ୍ରମାଣିତ। ସେଠାକାର ସଂସ୍କୃତି, ଭାଷା, ଆଧ୍ୟାତ୍ମିକତାରେ ଏହାର ଛାପ ଦେଖାଯାଏ। କିଛିଦିନ ତଳେ ଶିଶୁପାଳଗଡରୁ ମିଳିଥିବା ରୋମାନ୍‍ ମୁଦ୍ରା, ଟେରାକୋଟା ପାତ୍ର ଆଦି ରୋମ୍‍ ସହ ମଧ୍ୟ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିବାର ପ୍ରମାଣ ଦେଇଛି। ତେବେ ସମୟ ସୁଅରେ ପ୍ରୋତ୍ସାହନ ଅଭାବରୁ ଉଜୁଡି ଯାଇଛି ଓଡ଼ିଶାର ପ୍ରାଚୁର୍ଯ୍ୟମୟ ନୌବାଣିଜ୍ୟ। ଏବେ ବି ମହାନଦୀ, ବୈତରଣୀ, ଋଷିକୁଲ୍ୟା ବହୁଛି, ବଙ୍ଗୋପସାଗରର ଜଳରାଶି ଲହଡି ମାରୁଛି, ହେଲେ ବୋଇତ ନାହିଁ କି ସମୁଦ୍ର ବିଜୟୀ ସାଧବପୁଅ ନାହାନ୍ତି। କେବଳ ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ଚାଲିଛି, ସମୁନ୍ନତ ଐତିହ୍ୟର ସ୍ମୃତିଚାରଣ କରି ସୁନାବ୍ୟା ଜଳରାଶିରେ ବୋଇତ ଭାସିବାର କଳ୍ପନା ହିଁ କରାଯାଉଛି।

ଐତିହ୍ୟ ସାଉଁଟୁଛନ୍ତି ସୁଦୀପ

ବିଦେଶମାଟିରେ ନିଜସ୍ୱ ବିଭବ ସାଇତି ରଖାଯାଇଥିବାର ଦୃଶ୍ୟ ନିଶ୍ଚୟ ଉତ୍‍ଫୁଲ୍ଲିତ କରେ। ଏଭଳି କେତେକ ସ୍ମୃତି ସାଉଁଟିବାର ଚେଷ୍ଟା କରିଛନ୍ତି କଟକ ବାସିନ୍ଦା ସୁଦୀପ ସେନ। ପେସାରେ କମ୍ୟୁନିକେସନ୍‍ କନ୍‍ସଲଟାଣ୍ଟ ହୋଇଥିଲେ ବି ନିଶା ତାଙ୍କର ଲେଖାଲେଖି, ଫଟୋଗ୍ରାଫି ଏବଂ ଫିଲ୍ମ ନିର୍ମାଣ କରିବା। ପିଲାଦିନୁ ବୋଇତ ବନ୍ଦାଣ ଓ ବାଲିଯାତ୍ରାର ରୂପ ଦେଖି ବଡ ହୋଇଥିବା ସୁଦୀପ ଏହି ଐତିହ୍ୟକୁ ସର୍ବସମକ୍ଷରେ ପୁଣି ସଜୀବ କରାଇବାକୁ ଚାହିଁଲେ। ଏଥିପାଇଁ ନିଜ ପ୍ରତିଷ୍ଠିତ ‘ରିସୋର୍ସ ଇଣ୍ଡିକା: ରୁଟ୍‍ସ ଆଣ୍ଡ୍‍ ରେଭିଲେସନ୍‍ସ’ ଦ୍ୱାରା ବାଲିଯାତ୍ରାର ଯଶ-ଗୌରବ ସମ୍ପର୍କିତ ନୂଆନୂଆ ଦିଗ ବର୍ଷକୁ ବର୍ଷ ଉନ୍ମୋଚନ କରିବାର ପ୍ରୟାସ ଜାରି ରଖିଛନ୍ତି। ବିଶେଷକରି ଓଡ଼ିଶାର ଗୌରବୋଜ୍ଜ୍ୱଳ ନୌବାଣିଜ୍ୟ ଐତିହ୍ୟ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଓଡ଼ିଆ ସଂସ୍କୃତିର ପ୍ରଭାବ ତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏସବୁକୁ ନେଇ ‘ଦି ପ୍ରାଇଡ ଆଣ୍ଡ୍‍ ଗ୍ଲୋରୀ ଅଫ୍‍ ବାଲି-ଯାତ୍ରା’ ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ଫଟୋଚିତ୍ର ପ୍ରଦର୍ଶନୀ, କଫିଟେବୁଲ ବହି, ବୃତ୍ତଚିତ୍ର ନିର୍ମାଣ କରୁଛନ୍ତି ସେ। ଗଭୀର ଅଧ୍ୟୟନ, ଇଣ୍ଡୋନେସିଆ, କାମ୍ବୋଡିଆ ଏବଂ ଭିଏତନାମକୁ ବାରମ୍ବାର ଯାଇ ସେଠାକାର ଅଧିବାସୀଙ୍କ ସହ ଆଲୋଚନା କରିବା ତଥା ସେଠାକାର କଳା, ସ୍ଥାପତ୍ୟକୁ କ୍ୟାମେରାରେ ଧରି ସୁଦୀପ ଏକପ୍ରକାର ଗବେଷଣା ଚଳାଇଛନ୍ତି କହିଲେ ଭୁଲ୍‍ ହେବନାହିଁ। ପିଲାଦିନୁ ବାଲିଯାତ୍ରା ଶବ୍ଦ ଶୁଣି ଓଡ଼ିଶା ଏବଂ ସୁଦୂର ବାଲି ମଧ୍ୟରେ ଯୋଗାଯୋଗର ଖିଅ ଖୋଜିଆସିଛନ୍ତି ସେ। ୨୦୧୩ରେ କଟକସ୍ଥିତ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟଠାରେ ସୁଦୀପଙ୍କର ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଏଭଳି ପଦକ୍ଷେପକୁ ଖୁବ୍‍ ସ୍ୱାଗତ କରିଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ୬ଟି ପର୍ଯ୍ୟାୟ ନୂଆଦିଲ୍ଲୀ, କୋଲକାତା, ଭୁବନେଶ୍ୱର ଏବଂ କଟକରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ଇଣ୍ଡିଆନ୍‍ କାଉନ୍‍ସିଲ ଫର କଲ୍‍ଚରାଲ ରିଲେସନ୍‍ସ (ଆଇସିସିଆର୍‍), ଇଣ୍ଡିଆନ୍‍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ, କଲ୍‍ଚର ଆଣ୍ଡ୍‍ ହେରିଟେଜ୍‍ (ଇନ୍‍ଟାକ), ଦି ଏସିଆଟିକ୍‍ ସୋସାଇଟି, ଆଲିଆନ୍ସ ଫ୍ରାନ୍‍ସେସ୍‍, ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତା କରିଥିଲେ। ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆର କର୍ତ୍ତୃପକ୍ଷ ଏହି ପଦକ୍ଷେପକୁ ବେଶ୍‍ ପ୍ରଶଂସା କରିବା ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ।

‘ଦି ପ୍ରାଇଡ ଆଣ୍ଡ୍‍ ଗ୍ଲୋରୀ ଅଫ୍‍ ବାଲି-ଯାତ୍ରା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୁଦୀପ ଆଲୋଚନା କରୁଛନ୍ତି

ଭାରତ, ଇଣ୍ଡୋନେସିଆ, କାମ୍ବୋଡିଆ ଏବଂ ଭିଏତନାମର ଐତିହାସିକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସୁଦୀପଙ୍କୁ ଏହି ସଫଳତା ଲାଗି ୨୦୧୮ରେ କଳିଙ୍ଗ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀଲଙ୍କା ସାଂସଦ ଜେମିନି ଜୟବିକ୍ରମ ପେରେରା, କଳିଙ୍ଗ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ଅଧ୍ୟକ୍ଷ ଲଳିତ ମାନସିଂହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଏହି ଅବସରରେ ଇଣ୍ଡୋନେସିଆ, ଭିଏତନାମ ଏବଂ ଥାଇଲାଣ୍ଡର ରାଷ୍ଟ୍ରଦୂତ, ଫିଲିପାଇନ୍‍ସ ଓ ଶ୍ରୀଲଙ୍କାର ହାଇକମିଶନର ଏବଂ ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶର ପ୍ରତିନିଧି ଉପସ୍ଥିତ ଥିଲେ। ଏବେ ୨୦୨୦ରେ କରୋନା କଟକଣା ଯୋଗୁ ‘ଦି ପ୍ରାଇଡ ଆଣ୍ଡ୍‍ ଗ୍ଲୋରୀ ଅଫ୍‍ ବାଲି-ଯାତ୍ରା’ର ଅଷ୍ଟମ ଭାଗ ଅନ୍‍ଲାଇନରେ ଆୟୋଜିତ ହେଉଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ତିଥିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଇଣ୍ଡୋନେସିଆର ବକ୍ତାମାନେ ୱେବିନାରରେ ଅଂଶଗ୍ରହଣ କରିବେ। ଏ ସଂକ୍ରାନ୍ତ ଏକ ୱେବ୍‍ଚ୍ୟାନେଲ ମଧ୍ୟ ଆରମ୍ଭ ହେବ। ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସିଆର ସମ୍ମିଳିତ ଐତିହ୍ୟକୁ ନେଇ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚନ କରାଯିବ। ଏହାପରେ ଥାଇଲାଣ୍ଡ, ମାଲେସିଆ, ଲାଓସ୍‍, ମ୍ୟାଁମାର ଏବଂ ଫିଲିପାଇନ୍‍ସ ସହ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିବାର ଲକ୍ଷ୍ୟ ରଖିଛନ୍ତି ସୁଦୀପ। 

Comments
Loading...