ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କ ଚାକିରି ସ୍ଥାୟୀ ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଅପିଲ ସୁପ୍ରିମକୋର୍ଟରେ ଖାରଜ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ମୋବାଇଲ ହେଲ୍‍ଥ ୟୁନିଟ୍‍ରେ ନିଯୁକ୍ତ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କୁ ଚାକିରିରେ ସ୍ଥାୟୀ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଅପିଲ୍‍ ଖାରଜ ହୋଇଛି। ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅପିଲ ବିଚାର ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି। ସବୁ ଯୋଜନା ଓ ସମିତି ଅଧୀନରେ କାର୍ୟ୍ୟ କରୁଥିବା ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କୁ ୨୦୧୯ ନିୟମାବଳୀ ଅନୁଯାୟୀ ସ୍ଥାୟୀ ହେବା ପାଇଁ ଯୋଗ୍ୟ ବୋଲି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

୧୯୯୯ ମସିହାରୁ ଜିଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ବାବଧାନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୋବାଇଲ ହେଲଥ୍‍ ୟୁନିଟ୍‍ରେ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ କାର୍ୟ୍ୟ କରୁଛନ୍ତି। ଏଥିସହ ଫାର୍ମାସିଷ୍ଟ ପାରାମେଡିକାଲ କର୍ମଚାରୀଙ୍କ ଭଳି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ମଧ୍ୟ କାର୍ୟ୍ୟ କରୁଛନ୍ତି; କିନ୍ତୁ ରାଜ୍ୟ ସରକାର ଏହି ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କୁ ନିୟମିତ ନ କରିବାରୁ ବଲାଙ୍ଗୀର ଜିଲାରେ ଏମ୍‍ଏଚ୍‍ୟୁରେ କାର୍ୟ୍ୟରତ କେତେଜଣ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ ସ୍ୟାଟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶ୍ରୀ ସାହୁ କହିଛନ୍ତି, ସ୍ୟାଟର ବିଚାର ବିଭାଗୀୟ ସଦସ୍ୟ ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ଏହି ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କ ଚାକିରି ସ୍ଥାୟୀ କରିବାକୁ ନିର୍ଦେଶ ଦେଇଥିଲେ।

ସ୍ୟାଟ୍‌ଙ୍କ ଏହି ରାୟକୁ ରାଜ୍ୟ ସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରାଜ୍ୟ ସରକାରଙ୍କ ଅପିଲକୁ ହାଇକୋର୍ଟ ଖାରଜ କରି ସ୍ୟାଟ୍‍ ନିର୍ଦେଶକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ତେବେ ସରକାର ହାଇକୋର୍ଟଙ୍କ ନିର୍ଦେଶକୁ କାର୍ୟ୍ୟକାରୀ ନ କରିବାରୁ ଆବେଦନକାରୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପୁନଃ ଆବେଦନର ବିଚାର କରି ସ୍ୟାଟ୍‍ ଓ ହାଇକୋର୍ଟଙ୍କ ନିର୍ଦେଶକୁ ରାଜ୍ୟ ସରକାର ଦେଢମାସ ମଧ୍ୟରେ କାର୍ୟ୍ୟକାରୀ କରି ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟଙ୍କ ଚାକିରି ସ୍ଥାୟୀ କରିବାକୁ ରାୟ ଦେଇଥିଲେ। ପରବର୍ତ୍ତୀ ସମୟରେ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ।

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ସୁପ୍ରିମକୋର୍ଟରେ (ଭର୍ଚୁଆଲରେ) ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୁରାନି ଓ କୃଷ୍ଣଚନ୍ଦ୍ର ସାହୁ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶୋଭନ ମିଶ୍ର ମାମଲା ପରିଚାଳନା କରୁଥିଲେ।

Comments are closed.