ଓଡ଼ିଶା​‌ରେ ବ୍ୟାଙ୍କର କୃଷି ଋଣ ହାର କମ୍ : ମନ୍ତ୍ରୀ

କୃଷି ଓଡ଼ିଶା-୨୦୨୦ରେ ବ୍ୟାଙ୍କର୍ସ ମିଟ୍

ଭୁବନେଶ୍ୱର : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବାବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡିକ ଚାଷୀମାନଙ୍କୁ କୃଷି ଋଣ ଯୋଗାଣ ପାଇଁ ଆଗଭର ହୁଅନ୍ତୁ । ରାଜ୍ୟ​‌ରେ ୮୦ ପ୍ରତିଶତରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି । ସମ୍ପ୍ରତି କୃଷି କାର୍ଯ୍ୟରେ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଅନୁସରଣ କରାଯାଉଥିବାବେଳେ ଏଥିନିମନ୍ତେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ବ୍ୟାଙ୍କଗୁଡିକ ସହଜରେ ଓ ସୁବିଧାରେ ଚାଷୀମାନଙ୍କୁ ଅଧିକରୁ ଅଧିକ ଋଣ ଯୋଗାଇଦେଇ ରାଜ୍ୟର ପ୍ରଗତିରେ ଭାଗିଦାର ହୋଇପାରିବେ ା ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ନିର୍ଦେଶାବଳୀ ଅନୁଯାୟୀ ମୋଟ ଋଣର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ରରେ ଦିଆଯିବା କଥା । ମାତ୍ର ବ୍ୟାଙ୍କଗୁଡିକ ଦ୍ୱାରା ଚାଷୀମାନଙ୍କୁ ଅନୁରୂପ ପରିମାଣର ଋଣ ଯୋଗାଇ ଦିଆଯାଉନାହିଁ । ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ବାଣିଜ୍ୟିକ ବ୍ୟାଙ୍କଗୁଡିକର କୃଷି ଋଣ ହାର ଢେର କମ୍ ରହିଥିବା କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।

ବୁଧବାର କୃଷି ଓଡ଼ିଶା-୨୦୨୦ ଅବସରରେ ପୂର୍ବାହ୍ନରେ ଜନତା ମଇଦାନଠାରେ ଆୟୋଜିତ ବ୍ୟାଙ୍କର୍ସମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେଇ ଶ୍ରୀ ସାହୁ କହିଲେ, ସମ୍ପ୍ରତି ଉଚ୍ଚଶିକ୍ଷିତ ଯୁବକଯୁବତୀମାନେ କୃଷି କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି । ଏପରି କ୍ଷେତ୍ରରେ ସେମାନଙ୍କୁ ସହଜରେ ଓ ସୁବିଧାରେ ଋଣ ଯୋଗାଇଦେବା ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଉଚିତ୍। ମୋଟ ଘରୋଇ ଉତ୍ପାଦନର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ରରୁ ଆସୁଥିବାବେଳେ ଏ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ହୋଇପାରିଲେ କୃଷି ଅଧିକ ଉନ୍ନତ ଓ ଲାଭଜନକ ହୋଇପାରିବ ା ଏହି ପରିପ୍ରେକ୍ଷୀରେ କୃଷି ଅଧିକାରୀମାନେ ନିୟମିତ ବ୍ୟାଙ୍କଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷି ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସେ ନିର୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍. ରଘୁପ୍ରସାଦ କହିଲେ, ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଜାତ ଦ୍ରବ୍ୟର ବହୁତ ଚାହିଦା ରହିଥିବାରୁ ଏ ଦିଗରେ ଅଧିକରୁ ଅଧିକ ପୁଞ୍ଜିନିବେଶର ସୁଯୋଗ ରହିଛି । ବ୍ୟାଙ୍କଗୁଡ଼ିକ ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଋଣ ପ୍ରଦାନ କଲେ ଚାଷୀମାନେ ରିଆତିର ଲାଭ ପାଇପାରନ୍ତେ । ବୈଠକରେ ୟୁକୋ ବ୍ୟାଙ୍କର ଭୁବନେଶ୍ୱର ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜର ଏସ୍. କୁମାର ଓଡ଼ିଶାର କୃଷକମାନଙ୍କର ଉନ୍ନତି ନିମନ୍ତେ ବ୍ୟାଙ୍କମାନେ ନିଶ୍ଚିତ ରୂପେ ଆଗେଇ ଆସିବେ ବୋଲି କହିଥିଲେ। ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସୋନାଲି ଦାଶଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ଏମ୍. ମୁଥୁକୁମାର, ମତ୍ସ୍ୟ ନିର୍ଦେଶକ ଡ ଏନ୍. ତିରୁମାଲା ନାୟକ, ପ୍ରାଣୀ ସମ୍ପଦ ବିକାଶ ନିର୍ଦେଶକ ରତ୍ନାକର ରାଉତଙ୍କ ସମେତ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟର ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇ କୃଷିଋଣ କ୍ଷେତ୍ରର ବିଭିନ୍ନ ଦିଗ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.