ଆଗୁଆ ଆକଳନ : ଜିଡିପି ଅଭିବୃଦ୍ଧି ୮.୪% ଛୁଇଁବ

ଭୁବନେଶ୍ବର : ୨୦୧୮-୧୯ ବର୍ଷରେ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି) ୮.୪ ପ୍ରତିଶତରେ ପହଞ୍ଚିବ ବୋଲି ଆଗୁଆ ଆକଳନ କରାଯାଇଛି। ୨୦୧୧-୧୨ ଆର୍ଥିକ ବର୍ଷଠାରୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବାର୍ଷିକ ୮.୧୦ ପ୍ରତିଶତ ହାରରେ ବଢ଼ୁଛି। କେବଳ ୨୦୧୪-୧୫ ଆର୍ଥିକ ବର୍ଷକୁ ଛାଡ଼ିଦେଲେ ଜାତୀୟ ହାର ତୁଳନାରେ ରାଜ୍ୟର ଜିଡ଼ିପି କ୍ରମାଗତ ଭାବେ ଆଗରେ ରହିଛି। ୨୦୧୭-୧୮ରେ ରାଜ୍ୟର ଜିଡ଼ିପି ଅଭିବୃଦ୍ଧି ହାର ଥିଲା ୭.୪ପ୍ରତିଶତ। ୨୦୧୮-୧୯ରେ ଅଭିବୃଦ୍ଧି ହାର ବଢ଼ିବା ପଛରେ ଶିଳ୍ପ କ୍ଷେତ୍ରରେ ଅବଦାନ ଅଧିକ ରହିଛି। ରାଜ୍ୟର ମୋଟ ଉତ୍ପାଦନରେ ଶିଳ୍ପର ଅଂଶ ବଢ଼ୁଥିବାବେଳେ ୨୦୧୮-୧୯ରେ ଶିଳ୍ପର ଅବଦାନ ଜିଡ଼ିପିର ୩୯.୪୭ପ୍ରତିଶତ ରହିବ ବୋଲି ଆଗୁଆ ଆକଳନ କରାଯାଇଛି। ରାଜ୍ୟର ତିନିଟି କ୍ଷେତ୍ର ଭିତରୁ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧିରେ ଆଗରେ ରହିଛି। କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ନିର୍ମାଣ(ମାନୁଫାକଚରିଂ) କ୍ଷେତ୍ରର ଅଭିବୃ୍ଦ୍ଧି ଦୁଇ ଅଙ୍କରେ ରହୁଛି। ଓଡ଼ିଶାରେ ଦେଶର ସର୍ବାଧିକ ଖଣିଜ ସମ୍ପଦ ଥିବାରୁ ଖଣିଜ ଓ ନିର୍ମାଣ କ୍ଷେତ୍ରରେ ବିକାଶ ପାଇଁ ବହୁ ସୁଯୋଗ ରହିଛି। ୨୦୧୮-୧୯ ସୁଦ୍ଧା ଏହି ଦୁଇଟି ଉପକ୍ଷେତ୍ର ମିଳିତ ଭାବେ ରାଜ୍ୟର ମୋଟ ଉତ୍ପାଦନର ଏକ ତୃତୀୟାଂଶ ବହନ କରୁଛନ୍ତି। ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା କନକ୍ଲେଭ, ୨୦୧୫ ଶିଳ୍ପ ନୀତି ଏବଂ ଇଜ ଅଫ ଡୁଇଙ୍ଗ ବିଜନେସ୍ କାର୍ଯ୍ୟକ୍ରମ ଜରିଆରେ ଶିଳ୍ପ ଓ ନିର୍ମାଣ କ୍ଷେତ୍ର ଉତ୍ପାଦନ ବଢ଼ିଥିବା ଜଣାପଡ଼ିଛି।
୨୦୧୭-୧୮ରେ ମରୁଡ଼ି ଯୋଗୁଁ କୃଷି ଉତ୍ପାଦନ ୮.୨ପ୍ରତିଶତ ହ୍ରାସ ପାଇଥିଲା। ତେବେ ୨୦୧୮-୧୯ରେ କୃଷିରେ ଉନ୍ନତି ଘଟିବା ସହିତ ଅଭିବୃଦ୍ଧି ହାର ୮.୩ପ୍ରତିଶତରେ ପହଞ୍ଚିବାର ଆଶା ରହିଛି।
ରାଜ୍ୟରେ ନିଯୁକ୍ତି ସ୍ଥିତି ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ଅପେକ୍ଷାକୃତ ଭଲ ରହିଛି। ଗ୍ରାମାଞ୍ଚଳରେ ଶ୍ରମଶକ୍ତି ବିନିଯୋଗ ହାର ୪୯ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୪୪.୮ପ୍ରତିଶତ ରହିଛି। ସେହିପରି ଗ୍ରାମାଞ୍ଚଳରେ ବେକାରୀ ହାର ୬.୯ଭାଗ ଥିବାବେଳେ ସହରାଞ୍ଚଳରେ ରହିଛି ୮.୪ପ୍ରତିଶତ। ଶ୍ରମ କ୍ଷେତ୍ରରେ ପୁରୁଷଙ୍କ ନିଯୁକ୍ତି ହାର ୭୮.୬ପ୍ରତିଶତ ଥିବାବେଳେ ମହିଳା ନିଯୁକ୍ତି ହାର ମାତ୍ର ୧୯.୫ ପ୍ରତିଶତ ରହୁଛି। ନିର୍ମାଣ କ୍ଷେତ୍ରରେ ସବୁଠ ଅଧିକ ୧୭.୩ପ୍ରତିଶତ ଶ୍ରମିକଙ୍କୁ କାମ ମିଳୁଥିବାବେଳେ ପରିବହନରେ ସବୁଠୁ କମ ୪.୪ପ୍ରତିଶତ କାମ ପାଉଛନ୍ତି।
ଜାତୀୟ ହାର ତୁଳନାରେ ଓଡ଼ିଶାରେ ଶ୍ରମିକ ନିଯୁକ୍ତି ହାର କମ୍ ରହୁଛି। ଜାତୀୟ ସ୍ତରରେ ଏହି ହାର ୪୯ପ୍ରତିଶତରୁ ଅଧିକ ଥିବାବେଳେ ଓଡ଼ିଶାରେ ୪୮ପ୍ରତିଶତ। ସେହିପରି ବେକାରୀ ହାର ଜାତୀୟ ସ୍ତରରେ ୬.୩ପ୍ରତିଶତ ଥିବାବେଳେ ଓଡ଼ିଶାରେ ୭.୧ପ୍ରତିଶତ।
ଓଡ଼ିଶାରେ ବାର୍ଷିକ ଅଭିବୃଦ୍ଧି ହାର କ୍ରମଶଃ ବଢ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅଭିବୃଦ୍ଧି ବାଧାପ୍ରାପ୍ତ ହେଉଛି। ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ ତଥ୍ୟ କହୁଛି ୧୭ଟି ରାଜ୍ୟ ଭିତରୁ ହାରାହାରି ବାର୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା(୮.୧୦) ପ୍ରମୁଖ ପାଞ୍ଚଟି ରାଜ୍ୟ ମଧ୍ୟରେ ପଞ୍ଚମରେ ରହିଛି। ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦେଶାଳୟ ତଥ୍ୟ ଅନୁସାରେ ଓଡ଼ିଶା ଉପରେ ଅଛନ୍ତି ଗୁଜରାଟ, କର୍ଣ୍ଣାଟକ, ଅରୁଣାଞ୍ଚଳ ପ୍ରଦେଶ ଏବଂ ତେଲଙ୍ଗାନା।

Comments are closed.