ଖାଦ୍ୟ ସୁରକ୍ଷାକୁ ଓଡ଼ିଶାର ଗୁରୁତ୍ବ

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ବର: ସମସ୍ତଙ୍କ ସହଯୋଗରେ ଜାତିସଂଘ ଦ୍ୱାରା ସ୍ଥିରୀକୃତ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ଆଡ଼କୁ ଓଡ଼ିଶା ବଢିଚାଲିଛି। ରାଜ୍ୟବାସୀଙ୍କ ଜୀବନଜୀବିକା ସୁରକ୍ଷା କରିବା ସହିତ ସମସ୍ତଙ୍କୁ କିଭଳି ଖାଦ୍ୟ ସୁରକ୍ଷା ବଳୟ ଭିତରକୁ ଅଣାଯାଇ ପାରିବ, ତାହା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଡବ୍ଲୁଏଫପି, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାରେ ଯେଭଳି ଜଣେ ହେଲେ ଭୋକିଲା ରହିବେ ନାହିଁ, ତାକୁ ଦୃଷ୍ଟିରେ ରଖି ସରକାର ‘କ୍ଷୁଧା-ମୁକ୍ତ’ ରାଜ୍ୟ ଗଠନ ଦିଗରେ ଅଗ୍ରସର ହେଉଛନ୍ତି। ଶୁକ୍ରବାର ରୋମସ୍ଥିତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫପି)ର ମୁଖ୍ୟାଳୟଠାରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଶେଷକରି ମହିଳା ଓ ଅବହେଳିତବର୍ଗଙ୍କ ପାଇଁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ପରିବର୍ତ୍ତିତ ପାଣିପାଗର ମୁକାବିଲା କରି ଅଧିକରୁ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରିବା ସହିତ କୁପୋଷଣ ଦୂର କରିବା, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହେବା, ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା ଭଳି ଅନେକ ଦିଗରେ ଓଡ଼ିଶା ନମୁନା ରାଜ୍ୟ ପାଲଟିଛି। ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଏହାର ସହଯୋଗୀ ସଂସ୍ଥା ଦ୍ୱାରା ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକରି ସାରା ବିଶ୍ୱକୁ ଓଡ଼ିଶାର ଅଭିଜ୍ଞତା ପହଞ୍ଚାଇବାରେ ସେ ଖୁବ୍‌ ଆନନ୍ଦିତ। ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସମସ୍ତେ ଅବଗତ ଥିବା ଏବଂ ଗର୍ବ ଅନୁଭବ କରୁଥିବା ଜାଣି ଖୁସି ହେଲେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି।

ସେ କହିଥିଲେ ଯେ, ଜୀବନଜୀବିକାକୁ ସୁଦୃଢ଼ କରିବା ସହିତ ଓଡ଼ିଶାବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଆଗାମୀ ଦିନରେ ଏକ ସମୃଦ୍ଧ ଓ ନୂତନ ଓଡ଼ିଶା ଗଠନରେ ସହାୟକ ହେବ। ବିଶେଷକରି ମହିଳାମାନଙ୍କ ସହାୟତାରେ ଓଡ଼ିଶା କ୍ଷୁଧାମୁକ୍ତ ରାଜ୍ୟରେ ପରିଗଣିତ ହେବା ସହିତ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ କରିପାରିବ।

ଏହି ଅବସରରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାଭିଡ ବିସ୍‌ଲେ ଓଡ଼ିଶା ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ହୋଇଥିବା ରୂପାନ୍ତରଣକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ର ଗୁଡ଼ିକ ପାଇଁ ଏହା ଖୁବ୍ ଉପାଦେୟ ହେବ।

ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅନ୍ୟ ରାଜ୍ୟ ଓ ଦେଶକୁ ଓଡ଼ିଶା ପ୍ରଶିକ୍ଷଣ ଦେବ। ବିଶ୍ବଖାଦ୍ୟ କାର୍ଯ୍ୟକ୍ରମ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଆଜିର କାର୍ଯ୍ୟକ୍ରମରେ ଡବ୍ଲୁଏଫପିର ସହ କାର୍ଯ୍ୟନିର୍ବାହୀ ନିର୍ଦେଶକ ଏନ. ଗୁଆରନିଆରୀ, ଅନ୍ୟତମ ସହ କାର୍ଯ୍ୟନିର୍ବାହୀ ନିର୍ଦେଶକ ମନୋଜ ଜୁନେଜା, କଣ୍ଟ୍ରି ଡାଇରେକ୍ଟର ବିଶ୍ବ ପାରାଜୁଲି ଏବଂ ରାଜ୍ୟ ଅଧିକାରୀ ହିମାଂଶୁ ବଳ ପ୍ରମୁଖ ସାମିଲ ଥିଲେ। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ, ଖାଦ୍ୟଯୋଗାଣ ବିଭାଗ ପ୍ରମୁଖ ସଚିବ ବୀରବିକ୍ରମ ଯାଦବ, ଆବାସିକ ଆୟୁକ୍ତ ରବିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.