ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

କଟକ: ଓଡ଼ିଶା ଭିତ୍ତିକ ଆଇଏସ୍‌ଏଲ କ୍ଳବ ଓଡ଼ିଶା ଏଫ୍‌ସି ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ) -୨୦୨୧ ଅଷ୍ଟମ ସଂସ୍କରଣ ଲାଗି ପ୍ରସ୍ତୁତି ଆରମ୍ଭ କରିଛିି। ସ୍ପେନର ଫୁଟବଲ କିମ୍ବଦନ୍ତୀ ଡେଭିଡ୍‌ ଭିଲ୍ଲାଙ୍କୁ କ୍ଲବର ଫୁଟବଲ କମିଟିରେ ନିଯୁକ୍ତି କରିଥିବା ବେଳେ ଶୁକ୍ରବାର ନୂତନ ଭାବେ ଦୁଇ ଖେଳାଳିଙ୍କୁ ସାମିଲ କରିଛି। ଭାରତୀୟ ଜୁନିୟର ଦଳର ପୂର୍ବତନ ଅଧିନାୟକ ତଥା ହାଇଦରାବାଦ୍‌ ଏଫ୍‌ସିର ଡିଫେଣ୍ଡର ସାହିଲ୍‌ ପନୱାର ଓ ଆଇ-ଲିଗ୍‌ ଚମ୍ପିଆନ ଗୋକୁଳମ୍‌ ଏଫ୍‌ସିର ମଧ୍ୟପନ୍ଥି ଖେଳାଳି ସେବାଷ୍ଟିଆନ ଥାଙ୍ଗମାୱାଙ୍ଗସାଙ୍ଗଙ୍କୁ ଓଡ଼ିଶା ଏଫ୍‌ସି ଦଳରେ ସାମିଲ କରିଛି। ସାହିଲ ଓ ସେବାଷ୍ଟିଆନଙ୍କ ସହ ଓଡ଼ିଶା ଏଫ୍‌ସି ଦୁଇବର୍ଷ ଲାଗି ଚୁକ୍ତି ସ୍ବାକ୍ଷରିତ କରିଛି। ୨୧ ବର୍ଷୀୟ ସାହିଲଙ୍କ ସହ ହାଇଦରାବାଦ୍‌ ଏଫ୍‌ସି ଦୁଇବର୍ଷ ପାଇଁ ଦଳରେ ସାମିଲ କରିଥିଲା। ଚଳିତ ବର୍ଷ କ୍ଳବ ସାହିଲଙ୍କୁ ଛାଡ଼ିଥିବାବେଳେ ଓଡ଼ିଶା ଏଫ୍‌ସି ସାମିଲ କରିଛି।

ସେହିପରି ୨୨ ବର୍ଷୀୟ ମଣିପୁରର ସେବାଷ୍ଟିଆନ ଗୋକୁଳମ କେରଳ ଏଫ୍‌ସି ପକ୍ଷରୁ ଖେଳୁଥିଲେ। ନିକଟରେ ଗୋକୁଳମ କେରଳ ଏଫ୍‌ସି ଆଇ-ଲିଗ୍‌ ଚମ୍ପିଆନ ହୋଇଥିବାବେଳେ ସେବାଷ୍ଟିଆନ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। ସେବାଷ୍ଟିଆନ ପୂର୍ବରୁ ମଧ୍ୟ ନେରୋକା ଏଫ୍‌ସି ଓ ଚେନ୍ନଇ ସିଟି ଏଫ୍‌ସି ପକ୍ଷରୁ ଯୁବ ଆଇ-ଲିଗରେ ଖେଳିଥିଲେ। ଓଡ଼ିଶା ଏଫ୍‌ସି ମୁଖ୍ୟ କାର୍ଯ୍ୟନିର୍ବାହୀ ରୋହନ ଶର୍ମା କହିଛନ୍ତି ଯେ, ସାହିଲ ଓ ସେବାଷ୍ଟିଆନଙ୍କୁ କ୍ଲବରେ ସାମିଲ କରି ଆମେ ବହୁତ ଖୁସି। ଦଳ ଉକ୍ତ ଦୁଇ ଖେଳାଳିଙ୍କୁ ସ୍ବାଗତ କରୁଛି।

ଉଭୟେ ଗତ କିଛି ବର୍ଷ ହେବ ଆଇଏସ୍‌ଏଲ ମଧ୍ୟ ଖେଳୁଛନ୍ତି। ତାଙ୍କ ନିକଟରେ ରହିଥିବା ଦକ୍ଷତା ଓ ଅଭିଜ୍ଞତା ଓଡ଼ିଶା ଏଫ୍‌ସି ପାଇଁ ସହାୟକ ହେବ ବୋଲି ଶର୍ମା କହିଛନ୍ତି। ସେବାଷ୍ଟିଆନ ବର୍ତ୍ତମାନ ଯୁବ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଆଗଧାଡ଼ିର ମଧ୍ୟପନ୍ଥି ଖେଳାଳି। ତାଙ୍କ ଉପସ୍ଥିତ ଦଳକୁ ଆଗାମୀ ସଂସ୍କରଣରେ ମଜବୁତ କରିବ ବୋଲି କ୍ଲବର ସଭାପତି ରାଜ୍‌ ଅଥ୍‌ୱାଲ କହିଛନ୍ତି।

Comments are closed.