ବିଜୁଳି ଖାଉଟି ବୋହିବେ ଡିସକମ୍ ବୋଝ!

ବଢ଼ିଚାଲିଛି ବକେୟା, ଚାପରେ ଗ୍ରିଡ୍‌କୋ

ଭୁବନେଶ୍ବର : ବିଜୁଳି ବଣ୍ଟନକାରୀ ସଂସ୍ଥା ଉପରେ ହଜାର ହଜାର କୋଟି ଟଙ୍କା ବକେୟା। ଗ୍ରିଡ଼କୋକୁ ଏହି ବଣ୍ଟନକାରୀ ସଂସ୍ଥାଗୁଡ଼ିକ ବର୍ଷବର୍ଷ ଧରି ବକେୟା ଦେୟ ପଇଠ କରୁନାହାନ୍ତି । ବଢ଼ିବଢ଼ି ଏହି ପରିମାଣ ୬୮୦୩ କୋଟି ଟଙ୍କା ଅତିକ୍ରମ କଲାଣି। ଗତ ମାର୍ଚ୍ଚ ସୁଦ୍ଧା ଏହି ପରିମାଣ ୬୦୧୯ କୋଟି ଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଏହି ବକେୟା ୮ଶହ କୋଟି ଟଙ୍କା ବୃଦ୍ଧି ପାଇଛି। ଆର୍ଥିକ ଦୃଷ୍ଟିରୁ ଗ୍ରୀଡ଼କୋ ଦୁର୍ବଳ ହୋଇ ଚାଲିଛି ଏବଂ କ୍ଷତି ଭରଣା ପାଇଁ ବିଜୁଳି ବିଲ୍ ବଢ଼ାଇବାକୁ ବାରମ୍ବାର ଓଇଆରସି (ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ)ଙ୍କ ନିକଟରେ ଆବେଦନ କରୁଛି। ପୂର୍ବବର୍ଷଗୁଡ଼ିକରୁ ବାରମ୍ବାର ଗ୍ରୀଡ଼କୋ ଏପରି ଆବେଦନ ଗ୍ରିଡ଼କୋ କରି ଆସୁଛି। ଓଇଆରସି ପୂର୍ବରୁ ଏପରି ଆବେଦନକୁ ଖାରଜ କରିଥିଲେ ହେଁ ଗତ ଫେବ୍ରୁଆରୀ ଆବେଦନ ଆଧାରରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଥିଲେ, ଯାହା ଅକ୍ଟୋବର ମାସରୁ ଖାଉଟିଙ୍କୁ ଦେବାକୁ ପଡ଼ୁଛି । ମାତ୍ର ଏବେ ପୁଣି ଥରେ ଓଇଆରସି ନିକଟରେ ଗ୍ରୀଡ଼କୋ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ୨୦୨୦ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସେସୁ (ବର୍ତ୍ତମାନ ଟାଟା ପାୱାର) ଉପରେ ଗ୍ରିଡ଼କୋର ବକେୟା ପରିମାଣ ୨୨୩୮.୫ କୋଟି ଟଙ୍କାରେ ପହଞ୍ଚିଛି। କିଛିମାସ ହେଲା ସେସୁ ଅଧିଗ୍ରହଣ କରିଥିବା ଟିପିସିଓଡ଼ିଏଲ୍ ଉପରେ ବକେୟା ୪୨୮.୩୨ କୋଟି ଟଙ୍କାରେ ପହଞ୍ଚିଲାଣି। ୱେସ୍କୋ ଉପରେ ଗ୍ରିଡ଼କୋର ୧୪୬୭.୬୧ କୋଟି ଟଙ୍କା ବକେୟା ରହିଛି। ନେସ୍କୋ ଉପରେ ୧୨୭୨.୬୩ କୋଟି ଟଙ୍କା ବକେୟା ରହିଥିବାବେଳେ ସାଉଥକୋ ଉପରେ ଥିବା ବକେୟା ପରିମାର ୧୩୯୬.୨୧ କୋଟି ଟଙ୍କା। ଏହି ସବୁ ମୋଟ ବକେୟା ପରିମାଣ ଯୋଡ଼ିଲେ ତାହା ୬୮୦୦ କୋଟି ଟଙ୍କା ଅତିକ୍ରମ କରିବ।

ପରିଚାଳନା ଓ ପରିବହନଜନିତ କ୍ଷତି ଦର୍ଶାଇ ବିଜୁଳିବଣ୍ଟନକାରୀ ସଂସ୍ଥାଗୁଡ଼ିକ ଗ୍ରିଡ଼କୋକୁ ବକେୟା ପଇଠ କରୁ ନାହାନ୍ତି । ଆଉ ଏହା ପଇଠ ନ କରିବା ପଛରେ ରହିଛି ଏକ ବିଧିବଦ୍ଧ ଯୋଜନା। କ୍ଷତି ଦର୍ଶାଇ ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ବିଜୁଳି ବଣ୍ଟନକାରୀ ସଂସ୍ଥା (ଡ଼ିସକମ୍) ଗ୍ରିଡ଼କୋ ଜରିଆରେ ଓଇଆରସି ଉପରେ ଚାପ ପକାଇବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗ୍ରିଡ଼କୋ ନିକଟରେ ଓଇଆରସି ନିକଟରେ ୟୁନିଟ୍ ପିଛା ସର୍ବନିମ୍ନ ବିଦ୍ୟୁତ୍ ଶୁଳ୍କ ୨.୭୦ ଟଙ୍କାରୁ ୩.୯୩ ଟଙ୍କାକୁ ବୃଦ୍ଧି ନିମନ୍ତେ ଆବେଦନ କରିଥିବା କୁହାଯାଉଛି।

ଏହି ଆବେଦନପତ୍ରରେ ଗ୍ରୀଡ଼କୋର ବାର୍ଷିକ ବ୍ୟୟ ଅଟକଳ ୧୦୭୩୮ କୋଟି ଟଙ୍କା ଆକଳନ କରାଯିବା ସହ ୭୮୪୬ କୋଟି ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିବା ଉଲ୍ଲେଖ କରି ନିଅଣ୍ଟ ପ୍ରାୟ ୨୮୯୯ କୋଟି ଟଙ୍କା ରାଜସ୍ବ ନିଅଣ୍ଟ ଭରଣା ପାଇଁ ବିଜୁଳି ଶୁଳ୍କ ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦେଇଛି। ଏବେ ଗ୍ରିଡ଼କୋ ୯୩୨୩ କୋଟି ଟଙ୍କା ବିଜୁଳି କ୍ରୟ ନିମନ୍ତେ ବ୍ୟୟବରାଦ କରିଥିବାବେଳେ ଅବଶିଷ୍ଟ ପ୍ରାୟ ୧୪୦୦ କୋଟି ଟଙ୍କା ସୁଧ ଓ ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ଅଟକଳ କରିଛି।

ଗ୍ରିଡ଼କୋର ଏହି ପ୍ରସ୍ତାବରେ କିଛି ନୂଆ କଥା ନାହିଁ । ପ୍ରାୟ ପ୍ରତିବର୍ଷ ଗ୍ରିଡ଼କୋ ଶୁଳ୍କ ନିର୍ଦ୍ଧାରଣ ନିମନ୍ତେ ଓଇଆରସି ନିକଟରେ ଆବେଦନ କରିଥାଏ। ତେବେ ଶୁଳ୍କ ବୃଦ୍ଧି ହେବ କି ନାହିଁ ତାହା ଓଇଆରସି ସ୍ଥିର କରନ୍ତି। ଆବଶ୍ୟକସ୍ଥଳେ ଗ୍ରୀଡ଼କୋର ଶୁଳ୍କ ବୃଦ୍ଧି ଆବେଦନକୁ ଓଇଆରସି ଖାରଜ କରିପାରନ୍ତି। ମାତ୍ର ପ୍ରଶ୍ନ ଉଠୁଛି ଗ୍ରିଡ଼କୋ କାହିଁକି ରାଜସ୍ବ ନିଅଣ୍ଟର ସମ୍ମୁଖୀନ ହେଉଛି ? କାହିଁକି ଡ଼ିସକମମାନଙ୍କଠାରୁ ବକେୟା ଦେୟ ଆଦାୟ ହୋଇପାରୁ ନାହିଁ ? କାହିଁକି ସେମାନେ ଗ୍ରୀଡ଼କୋକୁ ବକେୟା ଦେୟ ପଇଠ କରୁନାହାନ୍ତି ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସଂଖ୍ୟା ୧୨ ଲକ୍ଷରୁ ୬୭ ଲକ୍ଷରେ ପହଞ୍ଚିଛି । ମାତ୍ର ବିଜୁଳି କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କଠାରୁ ବିଜୁଳି ଦେୟ ଆଦାୟ କରିବାରେ ବ୍ୟର୍ଥ ହେଉଛନ୍ତି । ସହରାଞ୍ଚଳରେ ବିଜୁଳି ବିଲ ପଇଠ ନ କଲେ ଯେପରି ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଉଛି ଗ୍ରାମାଞ୍ଚଳରେ ବିଜୁଳି ଦେୟ ନ ଦେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କମ୍ପାନୀଗୁଡ଼ିକ ବିଫଳ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ଉପରେ ପ୍ରାୟ ୬୩୦୦ କୋଟି ଟଙ୍କାରୁ ଅଧିକ ଦେୟ ବକେୟା ରହିଛି । କେବଳ ଘରୋଇ ଉପଭୋକ୍ତାଙ୍କ ଉପରେ ପ୍ରାୟ ୪୦୦୦ କୋଟି ଟଙ୍କା ବକେୟା ରହିଛି । ଏହାମଧ୍ୟରୁ ବିପିଏଲ୍ ଉପଭୋକ୍ତାଙ୍କ ଉପରେ ପ୍ରାୟ ୪୦୦ କୋଟି ଟଙ୍କା ବାକି । ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଏହି ବିଜୁଳି ଦେୟ ଆଦାୟ ହୋଇ ପାରୁନାହିଁ ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇ ପାରୁ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି ।

କେବଳ ଘରୋଇ ଉପଭୋକ୍ତା ନୁହନ୍ତି ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହଜାର ହଜାର କୋଟି ଟଙ୍କା ବାକି। ଏଥିରୁ ଅଧିକାଂଶ ଦେୟ ଦାବି ମାମଲା ଅଦାଲତରେ ଗଡ଼ୁଛି। ସେହିପରି ଖୋଦ୍‍ ସରକାରୀ ବିଭାଗ, ପୌରପାଳିକା ଓ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକ ମଧ୍ୟ ଦେୟ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସେସୁ ଅଧୀନସ୍ଥ ଅନୁଗୋଳ, କଟକ, ଢ଼େଙ୍କାନାଳ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ ଜିଲାଗୁଡ଼ିକରେ ବିଭିନ୍ନ ସରକାରୀ ବିଭାଗ ଉପରେ ଶହଶହ କୋଟି ଟଙ୍କା ବକେୟା ଅଛି । ଏହି ବକେୟା ଦେୟ ବିତରକ କମ୍ପାନୀଗୁଡ଼ିକୁ ଆଦାୟ କରି ପାରୁନାହାନ୍ତି, ଅନ୍ୟପକ୍ଷରେ ନିଜ କ୍ଷତି ଭରଣା କରିବା ଓ ଅପାରଗତା ଢ଼ାଙ୍କିବା ପାଇଁ ଗ୍ରୀଡ଼କୋକୁ ଢ଼ାଲ କରି ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି ।

Comments
Loading...