ଓଡ଼ିଶାରେ ଜନ୍ମ ହୋଇ ପଶ୍ଚିମବଙ୍ଗକୁ କର୍ମଭୂମି ଭାବେ ଗ୍ରହଣ କରିଥିବା ଓଡ଼ିଆଙ୍କ ମାତୃଭୂମି ଓ ମାତୃଭାଷାର ପ୍ରଚାର ପ୍ରଶଂସନୀୟ।
କଲକାତାରେ ୮୬ତମ ଉତ୍କଳ ଦିବସ ପାଳିତ

କଲକାତା: କଲକାତାର ନ୍ୟାସନାଲ ଲାଇବ୍ରେରୀ ଭାଷାଭବନଠାରେ ଆୟୋଜିତ ୮୬ତମ ଉତ୍କଳ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଲେ ଯେ ଓଡ଼ିଶାରେ ଜନ୍ମ ହୋଇ ପଶ୍ଚିମବଙ୍ଗକୁ କର୍ମଭୂମି ଭାବେ ଗ୍ରହଣ କରି ଓଡ଼ିଆ ଭାଇଭଉଣୀମାନେ ମାତୃଭୂମି ଓ ମାତୃଭାଷାର ପ୍ରଚାର, ପ୍ରସାର ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଓ ଉତ୍କଳୀୟ ମିଳିତ ମଞ୍ଚ ସହଯୋଗରେ ଅତ୍ୟନ୍ତ ଆନନ୍ଦଉତ୍ସାହ ଓ ଉଦ୍ଦୀପନାର ସହିତ ଓଡ଼ିଆମାନେ ଉତ୍କଳ ଦିବସ ପାଳନ କରିଥିଲେ। ସାଧାରଣ ସଭାରେ ମଞ୍ଚର ସଭାପତି ରବିନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରିୟଦର୍ଶୀ ମିଶ୍ର ଓଡ଼ିଶା ହାଇସିଂ ବୋର୍ଡ ଚେୟାରମ୍ୟାନ, ସମ୍ମାନିତ ଅତିଥି ଭାବେ ଦିଲ୍ଲୀପ ବିଷୋୟୀ, ରାଜ୍ୟ ସୂଚନା କମିଶନର, କଲକାତାର ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଅନୁଷ୍ଠାନର ସଂପାଦକ ବିଜୟ କୁମାର ବାରିକ ଓ ମିଳିତ ମଞ୍ଚର ଶିକ୍ଷା ସେଲର ଆବାହକ ପ୍ରଶାନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏହି ଅବ ସର ରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର କୋଲ କାତା ଓଡ଼ିଆ ସଂଗଠନ ସମୂହର ମୁଖପତ୍ର ‘ଉତ୍କୃଷ୍ଟ ୨୦୨୧’ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟ କ୍ଷୀରୋଦ ଧଳ ସୂଚନା ପ୍ରଦାନ କରିଥିବାବେଳେ ସହସଂପାଦକ ନାରାୟଣ ପ୍ରସାଦ ବାରକି ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ୨୧ଟି ଶିକ୍ଷାନୁଷ୍ଠାନ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ସେମାନଙ୍କ ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀମାନେ ତାହା ଗ୍ରହଣ କରିଥିଲେ। ସର୍ବଶେଷରେ ଗୁରୁମା’ ଅଳକା କାନୁନ୍ଗୋଙ୍କ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସକାଳେ ଲେଲିନ୍ ସରଣୀଠାରେ ସୂଚନା ଅଧିକାରୀ ଶ୍ରୀ ବେହେରା, ଉତ୍କଳ ଭବନର ପ୍ରବନ୍ଧକ କୁମୁଦ ରଞ୍ଜନସାହୁଙ୍କ ସମେତ କୋଲକାତା ମହାନଗରୀର କାର୍ଯ୍ୟରତ ୩୫ଟି ଓଡ଼ିଆ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖଙ୍କ ଦ୍ୱାରା ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।