ରାଜ୍ୟରେ ସୁସ୍ଥତା ହାର କମ୍

ଭୁବନେଶ୍ବର : କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି ସତ; କିନ୍ତୁ ଆରୋଗ୍ୟ ହାରରେ ଅନ୍ୟ ରାଜ୍ୟ ତୁଳନାରେ ଏହା ପଛୁଆ ରହିଛି। ଏପରିକି ଜାତୀୟ ଆରୋଗ୍ୟ ହାର ଠାରୁ ବି ଓଡ଼ିଶା ପଛରେ ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଜାତୀୟ ସ୍ତରରେ କୋଭିଡ୍-୧୯ ଆରୋଗ୍ୟ ହାର ୭୪.୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଆରୋଗ୍ୟ ହାର ହେଉଛି ୬୯ ପ୍ରତିଶତ। ଶନିବାର ସଂଧ୍ୟା ସୁଦ୍ଧା ରାଜ୍ୟରେ ୭୫,୫୩୭ ସଂକ୍ରମିତଙ୍କ ମଧ୍ୟରୁ ୫୨,୨୭୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫୨ ଜଣ ମୃତ୍ୟୁବରଣ କରିଥିବା ବେଳେ ସେଥିରୁ କୋଭିଡ୍ ପାଇଁ ୩୯୯ ଜଣ ପ୍ରାଣ ହରାଇଛନ୍ତି। ଏବେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ବେଳେ ଖୋର୍ଦ୍ଧାରେ ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଭୁବନେଶ୍ବରରେ ସଂକ୍ରମଣ ହାର ଶୀର୍ଷରେ ଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରରେ ପହଞ୍ଚିବ ବୋଲି ଶନିବାର ବିଏମ୍‌ସି କମିସନର ଡଃ ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି।

ଭୁବନେଶ୍ବର ସମେତ ଅନ୍ୟ ପ୍ରଭାବିତ ଜିଲାରେ ଯଦି ଏହି ଧାରା ଲାଗି ରହେ, ତା’ ହେଲେ ଆସନ୍ତା ମାସ ରାଜ୍ୟ ପାଇଁ ପରୀକ୍ଷାର ସମୟ ହେବ। ବର୍ତ୍ତମାନ ନମୁନା ପରୀକ୍ଷା କ୍ଷେତ୍ରରେ ଗୋଆ ପଛକୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ସୁସ୍ଥତା ହାରରେ ୯୦.୧% ସହିତ ଦିଲ୍ଲୀ ଶୀର୍ଷରେ ଥିବାବେଳେ ପଶ୍ଚିମବଙ୍ଗରେ ୭୭%, ବିହାରରେ ୭୮%, ଆସାମରେ ୭୫%, ଆନ୍ଧ୍ର ପ୍ରଦେଶରେ ୭୩%, ମହାରାଷ୍ଟ୍ରରେ ୭୨% ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ (୬୩.୮%), ଝାଡ଼ଖଣ୍ଡ (୬୩.୫%) ଜାତୀୟ ଆରୋଗ୍ୟ ହାରରେ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି।

Comments are closed.