ଓଡ଼ିଶା ଉପନିର୍ବାଚନରେ ବିଜେଡି ଆଗରେ – ବିଜୟ ମୁହାଁ ବାଲେଶ୍ୱରରେ ସ୍ୱରୂପ ଓ ତିର୍ତ୍ତୋଲରେ ବିଜୟ

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ସେମାନଙ୍କ ନିକଟତମ ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି। ତିର୍ତ୍ତୋଲରେ ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୯ ହଜାର ୨୬୪ ଖଣ୍ଡ ଭୋଟରେ ଆଗରେ ରହିଛି। ବିଜେଡି ମୋଟ ୪୩ ହଜାର ୯୫୪, ବିଜେପି ୨୪ ହଜାର ୬୯୦ ଓ କଂଗ୍ରେସ ୧୦ ହଜାର ୭୬୬ ଖଣ୍ଡ ଭୋଟ ପାଇଛନ୍ତି। ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୪୩ ହଜାର ୯୫୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ୨୪ ହଜାର ୬୯୦ ଏବଂ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୦ ହଜାର ୭୬୬ ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ବାଲେଶ୍ୱରରେ ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗରେ ରହିଛି। ବିଜେଡ଼ି ପ୍ରାର୍ଥୀ ୬୨୬ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି। ଏହି ରାଉଣ୍ଡରେ ବିଜେଡ଼ି ମୋଟ ୩ ହଜାର ୪୧୮ ଓ ବିଜେପି ୨ ହଜାର ୭୯୪ ଖଣ୍ଡ ଭୋଟ ପାଇଛନ୍ତି। ଏହା ସହିତ ବିଜେଡ଼ି ସମୁଦାୟ ୫ ହଜାର ୭୧୩ ଭୋଟରେ ଆଗୁଆ ରହିଛି। ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୪୭ ହଜାର ୯୯୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ୪୨ ହଜାର ୪୩ ଏବଂ କଂଗ୍ରେସର ମମତା କୁଣ୍ଡୁ ୩ ହଜାର ୨୦୭ ଖଣ୍ଡ ପାଇଛନ୍ତି।

ଚଳିତ ଉପନିର୍ବାଚନରେ ତିର୍ତ୍ତୋଲରେ ମୋଟ ୨ କୋଟି ୩୯ ହଜାର ୧୫୩ ଜଣ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୫ ଲକ୍ଷ ୧୫୮ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ଭୋଟ ହାର ୬୯.୬୦ ପ୍ରତିଶତ ରହିଥିଲା। ୩ଟି ବ୍ଲକ ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁରର ୬୧ଟି ଗ୍ରାମପଞ୍ଚାୟତରେ ୩୭୩ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସେହିପରି ବାଲେଶ୍ୱରରେ ମୋଟ ୨ କୋଟି ୩୦ ହଜାର ୨୯୭ ଜଣ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୨ ଲକ୍ଷ ୮୦୫ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ୨୬ଟି ଗ୍ରାମପଞ୍ଚାୟତ ଓ ୩୧ଟି ମୁନିସିପାଲିଟି ଅଂଚଳରେ ୩୪୬ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Comments are closed.