ଆଜି ବିଜେପି ସଭାପତି ନିର୍ବାଚନ ; ନୂଆମୁହଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଦୀର୍ଘ ୫ମାସର କସରତ ପରେ ଗୁରୁବାର ବିଜେପିର ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଘୋଷଣା ହୋଇଛି। ଏଥିପାଇଁ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସୁକତା ଦେଖାଦେଇଛି। ରାଜ୍ୟ ବିଜେପିର ମଙ୍ଗ କିଏ ଧରିବ, ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ଏଥର କିନ୍ତୁ ଜଣେ ନୂଆ ମୁହଁକୁ ଦାୟିତ୍ବ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି। ବୁଧବାର ରାତିରେ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଭିଡ଼ ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ ବୁଧବାର ବିଜେପିର ରାଷ୍ଟ୍ରୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ରାଜ୍ୟ ପ୍ରଭାରୀ ଡ. ଅରୁଣ ସିଂହ ଓ କେନ୍ଦ୍ରୀୟ ନେତା ସୈଦାନ ସିଂହ ବିଜେପି ନେତା ନିର୍ବାଚନ ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି । ତାଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଚଳଚଞ୍ଚଳ ଦେଖାଦେଇଛି। ଦଳୀୟ ନେତାଙ୍କ ସୂଚନା ଅନୁଯାୟୀ ଏଥର ପୁରୁଣା ମୁହଁ ତଥା ସାଂସଦ ବସନ୍ତ ପଣ୍ଡାଙ୍କୁ ଏହି ଅତିରିକ୍ତ ଦାୟିତ୍ବ ଦିଆଯିବ ନାହିଁ । ଜଣେ ନୂଆ ମୁହଁକୁ ସଭାପତି ନିର୍ବାଚିତ କରାଯିବ।
ଦଳୀୟ କର୍ମୀଙ୍କ ମଧ୍ୟରେ ତିନିଜଣ ନୂଆ ମୁହଁଙ୍କ ନାମ ଶୁଣା ଯାଉଛି। ସେଥିମଧ୍ୟରେ ଦୌଡ଼ରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ନାମ ରହିଥିବାବେଳେ ଏହି ପ୍ରକ୍ରିୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଶୁଣା ଯାଉଛି । କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ତା’ର ଦବଦବା ଦେଖାଇ ଥିବାରୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ମଧ୍ୟ ଦାୟିତ୍ବ ମିଳିପାରେ ବୋଲି କେତେକ ଚର୍ଚ୍ଚା କରୁଛନ୍ତି। ତେବେ ଆସନ୍ତାକାଲି ଅପରାହ୍ନ ୨ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ କିଏ ଦଳର ମୁଖିଆ ହେବ ତାହା ସ୍ପଷ୍ଟ ହୋଇଯିବ। ନୂଆବର୍ଷରୁ ବିଜେପି ନୂଆ ନେତାଙ୍କୁ ନେଇ ଦଳକୁ କିଭଳି ଆଗକୁ ନେଉଛନ୍ତି ତାହା ଦେଖିବାର ରହିଛି।
ଉଲ୍ଲେଖ ଯୋଗ୍ୟ ଯେ ବିଜେପି ପକ୍ଷରୁ ଜୁଲାଇରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ବ୍ଲକ ଓ ଜିଲାସ୍ତର ନିର୍ବାଚନ କରାଯାଇ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତାକାଲି ନାମାଙ୍କନ ପରେ ବିଜେପି ସଭାପତି କିଏ ହେବ ତାହା ସ୍ପଷ୍ଟ ହୋଇଯିବ।

Comments are closed.