ଓଡ଼ିଶା ବିଧାନସଭାକୁ ନିର୍ବାଚିତ ବିଧାୟକଙ୍କ ଭିତରୁ ୬୭ ଦାଗୀ, ୯୫ କୋଟିପତି

ଭୁବନେଶ୍ବର : ବିଧାନସଭାକୁ ନିର୍ବାଚିତ ୧୪୬ ବିଧାୟକଙ୍କ ଭିତରୁ ୬୭(୪୬ପ୍ରତିଶତ)ଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ପ୍ରାୟ ୯୫(୬୫ଭାଗ) ବିଧାୟକ ହେଉଛନ୍ତି କୋଟିପତି। ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଅପରାଧିକ ସମ୍ପୃକ୍ତି ତଥା କୋଟିପତି ବିଧାୟକଙ୍କ ସଂଖ୍ୟା ଅଧିକ ରହିଛି। ୨୦୧୪ ନିର୍ବାଚନରେ ୧୪୭ ବିଧାୟକଙ୍କ ଭିତରୁ ୪୧ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ଥିବାବେଳେ କୋଟିପତି ସଂଖା ଥିଲା ୭୬। ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକଙ୍କ ଅପରାଧ ପୃଷ୍ଠଭୂମି, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା, ବୟସ, ଲିଙ୍ଗଗତ ଅନୁପାତ ସମ୍ପର୍କରେ ସେମାନଙ୍କ ଦ୍ବାରା ଦାଖଲ ସତ୍ୟପାଠ ଆଧାରରେ ଏଡ଼ିଆର ଏବଂ ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ହୋଇଥିବା ଅନୁଧ୍ୟାନ ରିପୋର୍ଟରୁ ଏହା ଜଣାପଡ଼ିଛି। ୧୪୭ ନିର୍ବାଚନମଣ୍ଡଳୀରୁ କେବଳ ପାଟକୁରା ନିର୍ବାଚନ ଘୁଞ୍ଚିଥିବାରୁ ଏହାକୁ ବାଦ ଦେଇ ଅବଶିଷ୍ଟ ୧୪୬ଟିରେ ବିଜୟୀ ପ୍ରାର୍ଥୀଙ୍କ ସତ୍ୟପାଠ ସଂକ୍ରାନ୍ତ ରିପୋର୍ଟ ତର୍ଜମା କରାଯାଇଥିଲା।
ନବନିର୍ବାଚିତ ବିଧାୟକଙ୍କ ଭିତରୁ ୬୭ଜଣଙ୍କ ବିରୋଧରେ ଅପରାଧ ମାମଲା ଥିବାବେଳେ ସେମାନଙ୍କ ଭିତରୁ ୪୯ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ଗୁରୁତର ଅପରାଧ ମାମଲା ରହିଛି। ବିଜେଡ଼ିରେ ସର୍ବାଧିକ ୪୬, ବିଜେପିରେ ୧୪ ଓ କଂଗ୍ରେସର ୬ଜଣଙ୍କ ବିରୋଧରେ ଅପରାଧ ମାମଲା ରହିଛି। ଏଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ହାରାହାରି
ସମ୍ପତ୍ତିର ପରିମାଣ ହେଉଛି ୪.୪୧କୋଟି ଟଙ୍କା। ପ୍ରାୟ ୨୮ଜଣ ବିଧାୟକଙ୍କ ସମ୍ପତ୍ତିର ପରିମାଣ ୫କୋଟିରୁ ଅଧିକ ଥିବାବେଳେ ୩୭ଜଣଙ୍କର ସମ୍ପତ୍ତି ୨ରୁ ୫କୋଟି ଏବଂ ୫୦ଜଣଙ୍କ ସମ୍ପତ୍ତି ୫୦ଲକ୍ଷରୁ ୨କୋଟି ଭିତରେ। ବିଧାୟକମାନଙ୍କ ଭିତରେ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଧନୀ। ତାଙ୍କ ସମ୍ପତ୍ତିର ପରିମାଣ ୬୩ କୋଟିରୁ ଅଧିକ। ଦ୍ବିତୀୟ ଧନୀ ବିଧାୟକ ହେଉଛନ୍ତି ଝାରସୁଗୁଡ଼ାରୁ ନିର୍ବାଚିତ ବିଧାୟନ ନବ ଦାସ ଏବଂ ତାଙ୍କ ସମ୍ପତ୍ତିର ପରିମାଣ ୩୩କୋଟିରୁ ଅଧିକ। ପ୍ରାୟ ୩୧କୋଟିରୁ ଅଧିକ ସମ୍ପତ୍ତି ସହ ତୃତୀୟ ଧନୀ ବିଧାୟକ ତାଲିକାରେ ଅଛନ୍ତି ବଲାଙ୍ଗିର ଜିଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀରୁ ଜିତିଥିବା ସରୋଜକୁମାର ମେହେର।
ସେହିପରି ସବୁଠୁ କମ୍ ସମ୍ପତ୍ତି ଥିବା ବିଧାୟକ ତାଲିକାରେ ଅଛନ୍ତି ରାୟଗଡ଼ାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିବା ମକରନ୍ଦ ମୁଦୁଲି। ତାଙ୍କ ସମ୍ପତ୍ତିର ପରିମାଣ ୧୫ହଜାର ଟଙ୍କା। ଦ୍ବିତୀୟରେ ବାଲେଶ୍ବରର ବିଧାୟକ ମଦନମୋହନ ଦତ୍ତଙ୍କର ୩ଲକ୍ଷ ଟଙ୍କା ସମ୍ପତ୍ତି ଥିବାବେଳେ ବରିରୁ ନିର୍ବାଚିତ ସୁନନ୍ଦା ଦାସ କମ ସମ୍ପତ୍ତି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଏବଂ ତାଙ୍କ ସମ୍ପତ୍ତି ପରିମାଣ ୮ଲକ୍ଷ।
ବିଧାୟକ ନବ ଦାସଙ୍କ ଉପରେ ସବୁଠୁ ଅଧିକ ଋଣର ବୋଝ ପ୍ରାୟ ୨୧କୋଟି ଥିବାବେଳେ ସଞ୍ଜୀବ ମଲ୍ଲିକଙ୍କ ଉପରେ ୭କୋଟି ଏବଂ ବିକ୍ରମ ପଣ୍ଡାଙ୍କ ଉପରେ ୪କୋଟି ଋଣ ଭାର ରହିଛି। ବିଧାୟକମାନଙ୍କ ଭିତରେ ବାରବାଟୀ କଟକରୁ ନିର୍ବାଚିତ କଂଗ୍ରେସ ବିଧାୟକ ମହମ୍ମଦ ମୁକିମଙ୍କ ଆୟ ସବୁଠୁ ଅଧିକ । ତାଙ୍କର ବାର୍ଷିକ ଆୟ ୪କୋଟି ଥିବାବେଳେ ଦ୍ବିତୀୟ ଅଧିକ
ଆୟକାରୀ ବିଧାୟକ ଭାବେ ନବ ଦାସଙ୍କର ବାର୍ଷିକ ଆୟ ୧ କୋଟି ଏବଂ ତୃତୀୟରେ ସୁଧୀର ସାମଲଙ୍କର ବାର୍ଷିକ ଆୟ ୧କୋଟି ଟଙ୍କା।
ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ଭିତରୁ ୪୩ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ବାଦଶ। ୧୦୧ ବିଧାୟକଙ୍କ ଯୋଗ୍ୟତା ସ୍ନାତକ ଏବଂ ୨ଜଣ ବିଧାୟକ ହେଉଛନ୍ତି ଡ଼ିପ୍ଲୋମାଧାରୀ। ନବନିର୍ବାଚିତ ବିଧାୟକଙ୍କ ଭିତରୁ ୨ଜଣଙ୍କ ବୟସ ୨୫ରୁ ୩୦ବର୍ଷ ଭିତରେ ଥିବାବେଳେ ୮ଜଣ ବିଧାୟକଙ୍କ ବୟସ ୭୧ରୁ ୮୦ବର୍ଷ ଭିତରେ। ୧୩ ବିଧାୟକଙ୍କ ବୟସ ୩୧ରୁ ୪୦ ବର୍ଷ ଭିତରେ ଥିବାବେଳେ ୧୨୩ଜଣଙ୍କର ୪୧ରୁ ୭୦ବର୍ଷ ଭିତରେ।
୧୪୬ ବିଧାୟକଙ୍କ ଭିତରୁ ୧୩ଜଣ ମହିଳା ଥିବାବେଳେ ୨୦୧୪ରେ ମହିଳାଙ୍କ ସଂଖ୍ୟା ଥିଲା ୧୧। ଏଥର ବିଧାନସଭାକୁ ୬୦ଜଣ ପୁନଃନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ହାରାହାରି ସମ୍ପତ୍ତି ପରିମାଣ ହେଉଛି ୨.୬୯କୋଟି ଟଙ୍କା। ପୁନଃନିର୍ବାଚିତ ବିଧାୟକଙ୍କ ସମ୍ପତ୍ତି ୧୨୨ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂଆ ବିଧାୟକଙ୍କ ଭିତରେ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳଙ୍କ ବୟସ ସବୁଠୁ କମ ୨୭ବର୍ଷ ଥିବାବେଳେ ଖଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ବୟସ ୩୦ ଓ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ବୟସ ୩୧ବର୍ଷ। ଏଥର ବିଧାନସଭାରେ ନରସିଂହ ମିଶ୍ର(୭୮) ଓ ଅନନ୍ତ ଦାସ(୭୮) ସବୁଠୁ ବରିଷ୍ଠ ବିଧାୟକ ଥିବାବେଳେ ସୌଭିକ୍‌ କନିଷ୍ଠ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.