୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ; ସୃଷ୍ଟି ହେବ ୪୬୩୧ ନିଯୁକ୍ତି ସୁଯୋଗ 

ଭୁବନେଶ୍ବର :  ସିମେଣ୍ଟ, ଲୌହ ଓ ରିଫାଇନାରୀ କ୍ଷେତ୍ରରେ ୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ୩ଟି ପ୍ରମୁଖ କ୍ଷେତ୍ରରେ ମଞ୍ଜୁରୀ ପାଇଥିବା ୩ଟି ପ୍ରମୁଖ ପ୍ରକଳ୍ପରେ  ୫୩୫୮.୨୪ କୋଟି ଟଙ୍କା ନିବେଶ ହେବ ଏବଂ ଏଥିରେ  ୩୬୬୭ ଜଣ ନିଯୁକ୍ତି ପାଇବେ ବୋଲି ଆକଳନ ହୋଇଛି । ଅବଶିଷ୍ଟ ଶିଳ୍ପଗୁଡ଼ିକରେ ପ୍ରାୟ ୧୧୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଛି ଏବଂ ଏଥିରେ ପ୍ରାୟ ୧ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏହି ନିବେଶ ପ୍ରସ୍ତାବ ସହ ଚଳିତ ବର୍ଷ ଫେବ୍ରୁଆରୀଠାରୁ ଏ ପର୍ଯ୍ୟନ୍ତ ୧୧୯୨୧୪.୭୨ କୋଟି ଟଙ୍କାର ପୁଞ୍ଜିବିନିଯୋଗ ନିମନ୍ତେ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୫ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କମିଟି ଯେଉଁ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ସେଗୁଡ଼ିକ ମଧ୍ୟରେ ୟାଜଦାନୀ ଷ୍ଟିଲ ଏଣ୍ଡ ପାୱାର ଲିଃର ସମନ୍ବିତ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ଅନ୍ତର୍ଭୁକ୍ତ । ଏହି ପ୍ଲାଣ୍ଟର କ୍ଷମତା ୦.୦୭ ନିୟୁତ ଟନରୁ ୧.୧୯ ନିୟୁତ ଟନକୁ ବୃଦ୍ଧି କରାଯିବ । ଯାଜପୁରର କଳିଙ୍ଗନଗରରେ ଏହି କାରଖାନାରେ ୨୪୧୫ କୋଟି ଟଙ୍କା ନିବେଶ ହେବ ଏବଂ ଏଥିରେ ୨୮୬୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଅନୁରୂପ ଭାବରେ ସୁନ୍ଦରଗଡ଼ର କୁତ୍ରାଠାରେ ଶିବା ସିମେଣ୍ଟର ସମ୍ପ୍ରସାରଣ ନିମନ୍ତେ ୧୫୨୩.୨୪ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି କାରଖାନାରେ ଆଉ ୬୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃ​ଷ୍ଟି ହେବ । ଜଗତସିଂହପୁରର ପାରାଦ୍ବୀପଠାରେ ନୁମାଲିଗନ ରିଫାଇନାରୀ ପକ୍ଷରୁ ଅଶୋଦିତ ତୈଳ ଟର୍ମିନାଲର ବିକାଶ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି । ଏହି ପ୍ରକଳ୍ପରେ ୧୪୨୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ଓ ୨୦୦ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ରହିଛି ।

ଏହାପୂର୍ବରୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ୧୦୮୫.୦୮ କୋଟି ଟଙ୍କାର ୫ଟି ନିବେଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛି । ଏହି ଶିଳ୍ପଗୁଡ଼ିକରେ ପ୍ରାୟ ୯୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାମଦ୍ୟରେ ପାରାଦ୍ବୀପର ଇଫକୋର ସଲଫ୍ୟୁରିକ ଏସିଡ଼ ସମ୍ପ୍ରସାରଣ ୟୁନିଟ୍ । ଏଥିରେ ୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି ଏବଂ ଏଥିରେ ୨୧ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ରହିଛି । ସେହିପରି ସୁନ୍ଦରଗଡ଼ରେ ପଟ୍ଟନାୟକ ମିନେରାଏ ଦ୍ବାରା ୧୮ ମେଗାୱାଟ ପାୱାର ପ୍ଲାଣ୍ଟ ନିମନ୍ତେ ୨୪୩ କୋଟି  ଟଙ୍କାର ପ୍ରସ୍ତାବ, ସମ୍ବଲପୁରର ବାମରାଠାରେ ଶସ୍ୟ ଆଧାରିତ ଡ଼ିଷ୍ଟଲାରୀ ୟୁନିଟ୍ ସ୍ଥାପନ ପ୍ରସ୍ତାବ ରହିଛି । ଏଥିରେ ୨୭୫ କୋଟି ଟଙ୍କା ନିବେଶ ହେବ । ସେହିପରି କଟକ ଜିଲାର ମୁଣ୍ଡଳୀଠାରେ ଏକ ବିଦେଶୀ ମଦ ବଟଲିଂ ପ୍ଲାଣ୍ଟ ପାଇଁ ୧୧୨.୫ କୋଟି ଟଙ୍କା, ପୁରୀ ଜିଲାର ଜାସୁଆପୁରଠାରେ ଏସ.ଜେ.ଡ଼େଭଲପର୍ସ ପକ୍ଷରୁ ଏକ ୪ ତାରକା ହୋଟେଲ ସ୍ଥାପନ ପ୍ରସ୍ତାବ ମଞ୍ଜୁରୀଲାଭ କରିଛି ।

ଅନ୍ୟପକ୍ଷରେ ଇପିକଲକୁ ଦେଶର ପ୍ରମୁଖ ବିନିଯୋଗ ପ୍ରୋତ୍ସାହନ ଏଜେନ୍ସିର ମାନ୍ୟତା ମିଳିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଇନଭେଣ୍ଟ ଇଣ୍ଡିଆ ଓ ବିଶ୍ବବ୍ୟାଙ୍କ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରେ ଇପିକଲ ୨୦ଟି ରାଜ୍ୟର ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି (ଆଇପିଏସ) ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀର ମାନ୍ୟତା ଲାଭ କରିଛି ।

Comments are closed.