ରାଜ୍ୟରେ ମାନବାଧିକାର ସ୍ଥିତି ଉଦବେଗଜନକ

ଭୁବନେଶ୍ବର: ମାନବାଧିକାର ଉଲଘଂନରେ ଓଡିଶା ସାରା ଭାରତରେ ତ୍ବତୀୟ ସ୍ଥାନରେ ରହିଛି। ୨୦୧୯-୨୦ରେ ଓଡିଶାରେ ୪ ହଜାର ୮ ଶହଟି ମାନବାଧିକାର ଉଲଘଂନ ସମ୍ପର୍କିତ ମାମଲା ରାଷ୍ଟ୍ରିୟ ଏବଂ ରାଜ୍ୟ ମାନବାଧିକାର ଆୟୋଗରେ ଦାଖଲ ହୋଇଥିବା ଜଣାପଡିଛି। ମଙ୍ଗଳବାର ଭୁବନେଶ୍ବର ଜୟଦେବ ଭବନର ଗୀତଗୋବିନ୍ଦ ଭବନରେ ଆୟୋଜିତ ମାନବାଧିକାର ଦିବସ ପାଳନ ଅବସରରେ ବକ୍ତାମାନେ ଏହା କହିଛନ୍ତି। ଓଡିଶାରେ ମାନବାଧିକାର ଉଲଘଂନ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ଜନକ ହୋଇପଡିଛି। ଏହି ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରି ନିର୍ବାଚନ ଆୟୋଗର ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶ କହିଛନ୍ତି ମାନବାଧିକାର ଉଲଘଂନ କ୍ଷେତ୍ରରେ ସରକାର ଏବଂ ବିଭାଗୀୟ ଅଧିକାରୀଙ୍କ ଭୂମିକା ରହିଛି।

ରାଜ୍ୟ ମାନବାଧିକାର କୋର କମିଟିର ସଦସ୍ୟ ମନୋଜ ଜେନା କହିଥିଲେ ଯେ, ଚଳିତ ବର୍ଷ ରାଷ୍ଟ୍ରିୟ ଓଡିଶାରୁ ମାନବାଧିକାର ଆୟୋଗଙ୍କ ନିକଟରେ ୨୭୩୬ଟି ମାନବାଧିକାର ଉଲଘଂନ ମାମଲା ଦାଖଲ ହୋଇଥିବା ବେଳେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ୨୦୮୩ଟି ମାମଲା ଦାଖଲ ହୋଇଛି।

ଗୀତଗୋବିନ୍ଦ ଭବନରେ ଅୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ସଦସ୍ୟ ସ୍ନେହାଞ୍ଜଳି ମହାନ୍ତି, ମହିଳା ଅଧିକାର ଅଭିଯାନର ଉପାଧ୍ୟକ୍ଷ ରୀନା ରାଉତରାୟ, ଡା.ମାନସ ରଞ୍ଜନ ରାୟ, ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ପୂର୍ବତନ ବିଚାରପତି ବି. କେ.ମିଶ୍ର ଏବଂ ପୂର୍ବତନ ଡିଜିପି ରବି ତ୍ରୀପାଠି ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ଜିଲ୍ଲାର ୨୫ ଜଣ ମାନବାଧିକାର କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା।

Comments are closed.