ଏକକାଳୀନ ୩ ମାସର ଆଗୁଆ ରାସନ୍‌ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ

ଖାଦ୍ୟ ସୁରକ୍ଷା ଯୋଜନାରେ  ୯୯ ହଜାର ୨୮୭ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ-୧୯)କୁ ପ୍ରତିହତ କରିବା ପାଇଁ ସାରା ଦେଶ ସମେତ ରାଜ୍ୟରେ ଲକ୍‌ ଡାଉନ୍‌ ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ଜନ ସାଧାରଣଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କ ଗଠିତ ଉଚ୍ଚସ୍ତରୀୟ ସଚିବସ୍ତରୀୟ କମିଟି ପ୍ରତ୍ୟେକ ସ୍ତରରେ ଚବିଶ ଘଣ୍ଟିଆ ତଦାରଖ କରୁଛି। ଏହା ଦ୍ୱାରା ରାଜ୍ୟର ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି। ସେହିପରି କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ annavitaran.nic.in ପୋର୍ଟାଲ୍‌ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ କି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ଏକକାଳୀନ ୩ ମାସର ଚାଉଳ ଓ ଡାଲି ବିନାମୂଲ୍ୟରେ ଯୋଗାଇଦେବା ସହିତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ଅତିରିକ୍ତ ଚାଉଳ ବାବଦକୁ ଏକକାଳୀନ ୩ ମାସର ଚାଉଳ ଓ ଡାଲି ବିନାମୂଲ୍ୟରେ ଯୋଗାଇ ଦେଉଛି। କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ରାସନ କାର୍ଡଧାରୀ ପିଛା ନଗଦ ରିଲିଫ ଆକାରରେ ୧୦୦୦ ଟଙ୍କା ଯୋଗାଇ ଦିଆଯାଉଛି। ଆଜି ପର୍ଯ୍ୟନ୍ତ ଏହି ବାବଦରେ ୯୧ ଲକ୍ଷ ୧ ହଜାର ୭୪୩ଜଣ କାର୍ଡଧାରୀଙ୍କୁ ମୋଟ ୯୧୦ କୋଟି ୧୭ଲକ୍ଷ ୪୩ ହଜାର ଟଙ୍କା ବଣ୍ଟନ କରାଯାଉଛି। ଲକ୍‌ ଡାଉନ୍‌ ଅବଧି ମଧ୍ୟରେ ଆଜିସୁଦ୍ଧା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୬ ହଜାର ୫୧୮ଟି ପରିବାରର ୯୯ ହଜାର ୨୮୭ ଜଣ ନୂତନ ହିତାଧିକାରୀଙ୍କୁ ସାମଲ କରାଯାଇଛି। ଏହି ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡଧାରୀମାନଙ୍କୁ ଆଗୁଆ ୩ ମାସର ରାସନ୍‌ ସାମଗ୍ରୀ ଏକକାଳୀନ ଯୋଗାଇ ଦିଆଯାଇଛି। ସାରା ଦେଶରେ ଏକକାଳୀନ ଅଗ୍ରୀମ ୩ ମାସର ରାସନ୍‌ ସାମଗ୍ରୀ ଯୋଗାଇଦେବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଏପି୍ରଲ, ମେ ଓ ଜୁନ୍‌ ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାପାଇଁ ଆବଣ୍ଟିତ ସମସ୍ତ ୫.୬୫ ଲକ୍ଷ ମେଟ୍ରିକ ଟନ ଚାଉଳ ଓ ଗହମ ଉଠାଣ କରାଯାଇ ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଯୋଗାଇ ଦିଆଯାଇଛି । ଆଜି ସୁଦ୍ଧା ରାଜ୍ୟର ମୋଟ ୮୮ଲକ୍ଷ ୭୧ ହଜାର ୬୧୪ଜଣ କାର୍ଡଧାରୀଙ୍କୁ ଆଗୁଆ ତ୍ରୈମାସିକ ରାସନ ଯୋଗାଇ ଦିଆଯାଇଛି ଯାହା ମୋଟ ରାସନକାର୍ଡଧାରୀଙ୍କ ସଂଖ୍ୟାର ୯୪.୭ ପ୍ରତିଶତ ।
ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ
ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ବିନାମୂଲ୍ୟରେ ମୁଣ୍ଡପିଛା ୫ କେଜି ଚାଉଲ ୩ ମାସ ପାଇଁ ଏବଂ କାର୍ଡପିଛା ଏକ କେଜି ହରଡ଼ ଡାଲି ତିନିମାସ ଯୋଗାଇ ଦିଆଯାଉଛି । ଏଥି ନିମନ୍ତେ ଆଜି ସୁଦ୍ଧା ୨ ଲକ୍ଷ ୬୬ ହଜାର ୭୯ ମେଟି୍ରକ ଟନ ଚାଉଳ ଉଠାଣ ସରିଛି । ଯାହାକି ମୋଟ ପରିମାଣର ୫୪.୫ ପ୍ରତିଶତ ଅଟେ । ଆଜି ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୨ ଲକ୍ଷ ୧୨ ହଜାର ୩୩୮ ଜଣ କାର୍ଡଧାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ମାସ ପାଇଁ ଚାଉଳ ବିନାମୂଲ୍ୟରେ ଯୋଗାଇ ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଅତିରିକ୍ତ ଚାଉଳ ଭାବରେ ମୁଣ୍ଡପିଛା ୫ କେଜି ଚାଉଳ ଏବଂ କାର୍ଡପିଛା ୧ କେଜି ଡାଲି ୩ ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଚାଉଳ ବାବଦରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୯୮୮ ଜଣ କାର୍ଡଧାରୀଙ୍କୁ ୩ ମାସ ପାଇଁ ଚାଉଳ ମାଗଣାରେ ଯୋଗାଇ ଦିଆଯାଇଛି।

Comments are closed.