ଆଜିଠୁ ଦଶମ ସାରାଂଶ ମୂଲ୍ୟାୟନ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠୁ ଦଶମ ବିଦ୍ୟାର୍ଥୀଙ୍କ ୧ମ ସାରାଂଶ ମୂଲ୍ୟାୟନ (ସମ୍ମେଟିଭ ଆସେସମେଣ୍ଟ) ପରୀକ୍ଷା ଆରମ୍ଭ ହେବ। ପ୍ରତ୍ୟେକ ବିଷୟରେ କେବଳ ବସ୍ତୁନିଷ୍ଠ ସଂକ୍ଷିପ୍ତ ପ୍ରଶ୍ନ ରହିବ।  ଏଥିପାଇଁ ସମଗ୍ର ରାଜ୍ୟରେ ୩୦୯୩ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ମୋଟ ୫୭୧୯୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ପଞ୍ଜୀକରଣ କରିଥିବା ଜଣାଯାଇଛି। ପ୍ରଥମ ସିଟିଂ ପୂର୍ବାହ୍ଣ ୧୦ଟାରୁ ୧୧ଟା ଯାଏ (କେବଳ ଗଣିତରେ ଅଧିକ ୧୫ ମିନିଟ) ପରୀକ୍ଷା ହେବ। ଯାହାର ଉତ୍ତର ପରୀକ୍ଷାର୍ଥୀମାନେ ଓଏମ୍‍ଆର୍‍ ଫର୍ଦରେ ଗୋଲେଇକୁ କଳା କରି ଦେବାକୁ ହେବ। ଏକା ସମୟରେ ମଧ୍ୟମା ଛାତ୍ରଛାତ୍ରୀଙ୍କ ସମେଟିଭ

ଆସେସମେଣ୍ଟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ୨ୟ ସିଟିଂ ଦିବା ୧୨ଟାରୁ ଅପରାହ୍ଣ ୧ଟା (କେବଳ ଗଣିତରେ ଅଧିକ ୧୫ ମିନିଟ) ଯାଏ ମଧ୍ୟମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଏହି ପରୀକ୍ଷା ୮ରେ ଶେଷ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ଦିନରେ ଗଣିତ ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଗଚ୍ଛିତ ରଖିବାକୁ ରାଜ୍ୟରେ ୩୧୧ଟି ନୋଡାଲ କେନ୍ଦ୍ର କରାଯାଇଛି। ନୋଡାଲ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଦଶମ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବାକୁ ଥିବାରୁ ପ୍ରତି ବିଷୟରେ ଉଦ୍ଦିଷ୍ଟ ପ୍ରଶ୍ନପ୍ରତ୍ର ନୋଡାଲ କେନ୍ଦ୍ରରୁ ନିଆଯାଇ ସକାଳ ୬.୩୦ରୁ ସକାଳ ୮.୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ କୋଭିଡ୍‍ ଗାଇଡ୍‍ ଲାଇନ ପାଳନ କରି ପରୀକ୍ଷା ପରିଚାଳନା କରାଯିବ। ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ଗୋଟିଏ କୋଠରୀରେ ବସି ପରୀକ୍ଷା ଦେବେ। ଏଥିସହ ପରିଷଦ ପକ୍ଷରୁ ୬୨ଟି ଫ୍ଲାଇଂ ସ୍କ୍ୱାଡ୍‍, ୪୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍‍ କରାଯିବା ସହ ଜିଲା ପ୍ରଶାସନ ପକ୍ଷରୁ ଗଠିତ ସ୍କ୍ୱାଡ୍‍ ପରୀକ୍ଷା ପରିଚାଳନାକୁ ତଦାରଖ କରିବେ। ଏହାବାଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତ ନୋଡାଲ ଅଧିକାରୀମାନେ ମଧ୍ୟ ଅଚାନକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ। ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ ଫୋନ୍‍ ବ୍ୟବହାରକୁ ନିଷେଧ କରାଯାଇଛି ।

Comments are closed.