ଆନ୍ଧ୍ର ପାଇଁ ଭୋଟ ଦେଲେ କୋଟିଆବାସୀ

ପଟାଙ୍ଗି : କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆଜି ଆନ୍ଧ୍ର ରାଜ୍ୟ ବିଜୟନଗରମ ଜିଲା ପ୍ରଶାସନ ପକ୍ଷରୁ ବେଆଇନ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆନ୍ଧ୍ର ପୁଲିସ ଛାଉଣୀରେ କୋଟିଆ ପଞ୍ଚାୟତ ଫାଟୁସିନେରୀରେ ପ୍ରାୟ ୬୦ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି।
କୋଟିଆ ପଞ୍ଚାୟତ ୪୦ଟି ଗାଁ ( ୨୮ଟି ରାଜସ୍ବ ଗ୍ରାମ ଓ ୧୨ଟି ପଡ଼ା ଗ୍ରାମ)କୁ ନେଇ ଗଠିତ ହୋଇଥିବାବେଳେ ସେଥିରୁ ୨୧ଟି ରାଜସ୍ବ ଗ୍ରାମ ଓ ୬ଟି ପଡ଼ା ଗ୍ରାମ ବିବାଦ ଘେରରେ ରହିଛି। ୧୯୬୮ରୁ ସୀମାନ୍ତ ଗ୍ରାମକୁ ନେଇ ମାମଲା ବିଚାରାଧିନ ରହିଛି। ଦୀର୍ଘବର୍ଷ ପରେ ମଧ୍ୟ ସୀମାନ୍ତ ଗ୍ରାମ ବିବାଦର ସମାଧାନ ହୋଇ ନ ଥିବାବେଳେ ପଡ଼ୋଶୀ ଆନ୍ଧ୍ର ଦାଦାଗିରି ନୀତିରେ କୋଟିଆରେ ବିବାଦୀୟ ଗ୍ରାମକୁ ବିଭିନ୍ନ ପଞ୍ଚାୟତରେ ବିଭକ୍ତ କରି ଜୋରଜବରଦସ୍ତ ଭାବେ ନିର୍ବାଚନ କରାଇ ଆସୁଥିବା ଜଣାପଡ଼ିଛି।
ଆନ୍ଧ୍ରପ୍ରଦେଶର ଚଳିତ ପଞ୍ଚାୟତ ନିର୍ବାଚନରେ ତଳ ଗଞ୍ଜେଇପଦର, ଫାଟୁସିନେରି ଏବଂ ଫଗୁଣ ସିନେରୀ ପଞ୍ଚାୟତ ମଧ୍ୟରୁ ତଳଗଞ୍ଜେଇପଦର ଏବଂ ଫଗୁଣ ସିନେରୀ ପଞ୍ଚାୟତରେ ଅପ୍ରତିଦ୍ୱନ୍ଦୀ ଭାବେ ଦୁଇ ସରପଞ୍ଚ ପ୍ରାର୍ଥୀ ନିର୍ବାଚିତ ହୋଇଥିବାବେଳେ ଫାଟୁସିନେରୀ ପଞ୍ଚାୟତରେ ଦୁଇ ପ୍ରତିଦ୍ୱନ୍ଦୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଆଜି ସେମାନଙ୍କ ପାଇଁ ମତଦାନ ହୋଇଛି। ଫାଟୁ ସିନେରୀ, ମାଡ଼କାର, ଡ଼ାଲିଆମ୍ବ, ଚିକାପାର, କନାଦୋରା, ଡ଼ଙ୍ଗଲ ଏଲୁଙ୍ଗୁୱାଲସା, ପାନସୱାଲସା, କମେଟି ୱାଲସା, ଗୁଞ୍ଜିମାଡ଼ା, ଲଭିଙ୍ଗବାଦ୍ରା ଆଦି ୧୦ଖଣ୍ଡ ଗ୍ରାମ ଫାଟୁସିନେରୀ ପଞ୍ଚାୟତରେ ଥିବାବେଳେ ଏହାର ଭୋଟର ସଂଖ୍ୟା ୧୦୨୫। ଆଜି ଏହି ଭୋଟରଙ୍କ ମଧ୍ୟରୁ ୬୧୫ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ୩୦୬ଜଣ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଥିବାବେଳେ ୩୦୯ଜଣ ପୁରୁଷ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିଛନ୍ତି। ଫାଟୁସିନେରୀଠାରେ ଆନ୍ଧ୍ର ସରକାରଙ୍କ କୌଣସି ସରକାରୀ ଗୃହ ନ ଥିବା ଯୋଗୁଁ ସେଠାରେ ନବନିର୍ମାଣଧିନ ଏକ ଚର୍ଚ୍ଚ ଗୃହରେ ସକାଳ ୬.୩୦ ମିନିଟ୍‍ରୁ ଦିନ ଗୋଟାଏ ଯାଏଁ ଭୋଟ ଗ୍ରହଣ ହୋଇଥିଲା।
ବିଜୟନଗରମ୍‍ ଜିଲା ଅନ୍ତର୍ଗତ ସାଲୁରୁ ମଣ୍ଡଳ ଅଧିନରେ ଥିବା ଏହି ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ରର ନିର୍ବାଚନ ଅଧିକାରୀ ଭାବେ ଟି. ଜନାର୍ଦ୍ଦନ ରାଓ ପରିଚାଳନା କରିଥିବାବେଳେ ୮ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା। ଏହାକୁ ଆନ୍ଧ୍ରପ୍ରଦେଶର ୮ଜଣ ପିଇଓ ଏବଂ ୮ଜଣ ଏପିଓଙ୍କ ଦ୍ୱାରା ପରିଚାଳନା କରାଯାଇ ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଥିଲା। ସରପଞ୍ଚ ପ୍ରାର୍ଥିନୀ କଣ୍ଡାପେଲି ପାଇଡ଼ି ପାଲିଆମା ଏବଂ ସଦାରାପୁ କାମିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଫାଟୁସିନେରୀ ଗ୍ରାମନିବାସୀ ସଦାରାପୁ କାମି ବିଜୟୀ ହୋଇଥିଲେ ା ଆଜି ଏହି ଆନ୍ଧ୍ରର ଭୋଟ ଗ୍ରହଣରେ ବିଜୟନଗରମ୍‍ ଆରକ୍ଷୀ ଅଧିକ୍ଷକ ବି. ରାଜକୁମାରୀଙ୍କ ଫୋର୍ସ ଘଟଣାସ୍ଥଳ ତଦାରଖ କରିଥିବାବେଳେ ବହୁ ପୁଲିସ ଫୋର୍ସ ମୁତୟନ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲା ପ୍ରଶାସନ ନିର୍ଦେଶକ୍ରମେ ଡ଼ିପିଓ ସ୍ୱଦେଶ ପଟ୍ଟନାୟକ, ପଟାଙ୍ଗି ବିଡ଼ିଓ ଦିବାକର ପୁରୋହିତ, ତହସିଲଦାର ହରିପଦ ମଣ୍ଡଳ, ବରିଷ୍ଠ କିରାଣୀ ଭାସ୍କର ଡ଼ାକୁଆ ପ୍ରମୁଖ ଉପସ୍ଥିତ ଥିଲେ ା ବିଜେପିନେତା ଜୟରାମ ପାଙ୍ଗି, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟଙ୍କ ସମେତ ପୂର୍ବତନ ସାଂସଦ ତଥା କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପ୍ରଦିପ ମାଝୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ, ପୂର୍ବତନ ଜିଲାପାଳ ତଥା କୋଟିଆ ବିକାଶ ଆବାହାକ ଗଦାଧର ପରିଡ଼ାଙ୍କ ସମେତ ସମାଜସେବୀ ରଞ୍ଜିତ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ରାଜ୍ୟ ସରକାରଙ୍କ ଅପାରଗତା କଥା କହୁଥିଲେ ସିନା କେହି ନିର୍ବାଚନକୁ ରୋକିପାରି ନ ଥିଲେ।
ଏହି ଅବସରରେ ଓଡ଼ିଶା ପୁଲିସ ପକ୍ଷରୁ ସୁନାବେଡ଼ା ଏସ୍‍ଡ଼ିପିଓ ନିରଞ୍ଜନ ବେହେରା, ପଟାଙ୍ଗି ଥାନା ଅଧିକାରୀ ବିଜୟରାଜ ମାଝିଙ୍କ ସହ ଆଇଆରବି ପୁଲିସ ଫୋର୍ସ ମଧ୍ୟ ମୁତୟନ ଥିଲେ। ଆନ୍ଧ୍ର ପୁଲିସ ନିର୍ବାଚନ ପରିଚାଳନା ସମ୍ପୂର୍ଣ୍ଣ ରୂପେ ତଦାରଖ କରୁଥିବାବେଳେ ଭୋଟ ଗ୍ରହଣର ୧୦୦ମିଟର ପରିଧିରେ ଓଡ଼ିଶା ପକ୍ଷରୁ ଉପସ୍ଥିତ ଥିବା ନେତା ଏବଂ ଅଧିକାରୀ ସମସ୍ତଙ୍କୁ ହଟାଇ ଦେଇଥିଲେ। ଓଡ଼ିଶାର କୋଟିଆ ସମସ୍ତେ ଡ଼ିଣ୍ଡିମ ପିଟୁଥିଲେ ହେଁ ଆନ୍ଧ୍ରର ଦାଦାଗିରି ସମ୍ମୁଖରେ ଯେମିତି ସମସ୍ତେ ଚୁପ୍‍ ଥିଲେ ା ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆନ୍ଧ୍ର ଓଡ଼ିଶା ଭିତରେ ପଶି ନିର୍ବାଚନ କରି ଚାଲିଯିବାରେ ସଫଳ ହେଲା ବୋଲି ସେମାନେ ଅଭିଯୋଗ କରିଥିଲେ ା ସନ୍ଧ୍ୟାରେ କୁନ୍ଦୁଲିରେ କଂଗ୍ରେସ ଓ ବିଜେପିନେତା ଓ କର୍ମୀ ଏହି ପ୍ରସଙ୍ଗରେ ରାସ୍ତାରୋକ କରିଥିବା ଦେଖାଯାଇଥିଲା।

Comments are closed.