ଇସ୍ରୋର ଓଡ଼ିଆ ବୈଜ୍ଞାନିକଙ୍କୁ ହତ୍ୟା ଷଡ଼ଯନ୍ତ୍ର; ଖାଦ୍ୟରେ ଦିଆଯାଇଥିଲା ବିଷ

ନୂଆଦିଲ୍ଲୀ: ଇସ୍ରୋରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ହୋଇଛି। ଶ୍ରୀ ମିଶ୍ର ଏ ନେଇ ନିଜେ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି। ତାଙ୍କୁ ୨୦୧୭ରେ ଖାଦ୍ୟରେ ବିଷ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ କିଏ ଏବଂ କାହିଁକି ବିଷ ଦେଇଛନ୍ତି ସେ ବିଷୟରେ ତାଙ୍କୁ ଜଣାନାହିଁ ବୋଲି ମିଶ୍ର କହିଛନ୍ତି।

ମିଶ୍ର ‘ଲଙ୍ଗ୍‌ କେପ୍‌ଟ ସିକ୍ରେଟ୍‌’ ଶିରୋନାମାରେ ଉଲ୍ଲେଖ କରିଛନ୍ତି ଯେ, ବେଙ୍ଗାଲୁରୁରେ ଏକ ପ୍ରମୋଶନ ଇଣ୍ଟର୍ଭ୍ୟୁ ସମୟରେ ସକାଳ ଜଳଖିଆରେ ମୋତେ ବିଷ ଦିଆଯାଇଥିଲା। ଏହି ବିଷ ଅଜୈବିକ ଥିଲା। ଏହାର ୧ ଗ୍ରାମ ଯେକୌଣସି ବ୍ୟକ୍ତିଙ୍କୁ ମାରିବା ପାଇଁ ଯଥେଷ୍ଟ। ଏହି ଘଟଣା ପରେ ୨ ବର୍ଷ ଧରି ମୁଁ ଚିକିତ୍ସିତ ହୋଇଥିଲି। ସେଥିଲାଗି ଘଟଣା ବିଷୟରେ କାହାକୁ କହି ନ ଥିଲି। ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରୁଛି, କାରଣ ଏହି ବିଷ ଶରୀରରେ ପ୍ରବେଶ କରିବା ପରେ କେହି ବଞ୍ଚନ୍ତି ନାହିଁ।

ସେ ଆହୁରି କହିଛନ୍ତି, ମୁଁ ଜାନୁୟାରୀରେ ଅବସର ନେବି। ତେଣୁ ଏ ବିଷୟରେ ଲୋକମାନେ ଜାଣନ୍ତୁ ବୋଲି ମୁଁ ଚାହୁଁଛି। ଯଦି ବି ମୁଁ  ମରିଯାଏ, ତେବେ ମୋ ସହିତ କ’ଣ ହୋଇଥିଲା ତାହା ଅନ୍ୟମାନେ ଜାଣିପାରିବେ। ଇସ୍ରୋରେ ଆମକୁ ସମୟ ସମୟରେ ବଡ଼ ବଡ଼ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ସମ୍ପର୍କରେ ଖବର ମିଳେ। ୧୯୭୧ରେ ପ୍ରଫେସର ବିକ୍ରମ ସାରାଭାଇଙ୍କ ମୃତ୍ୟୁ ସନ୍ଦିଗ୍ଧ ଥିଲା। ୧୯୯୯ରେ ବିଏସଏସସିର ନିର୍ଦେଶକ ଡା. ଏସ. ଶ୍ରୀନିବାସଙ୍କ ମୃତ୍ୟୁକୁ ନେଇ ବି ପ୍ରଶ୍ନ ଉଠିଥିଲା। ୧୯୯୪ରେ ନମ୍ବି ନାରାୟଣଙ୍କ ମାମଲା ସମସ୍ତଙ୍କୁ ଜଣା। କିନ୍ତୁ ମୁଁ ନିଜେ ଜାଣି ନ ଥିଲି ଯେ, ମୁଁ ବି ଦିନେ ଏହି ରହସ୍ୟର ଅଂଶୀଦାର ହୋଇଯିବି।

ମିଶ୍ର ଫେସବୁକ ପୋଷ୍ଟରେ ଲେଖିଛନ୍ତି, ୨୦୧୭ ମେ ୨୩ରେ ମୋତେ ଘାତକ ଆର୍ସେନିକ ଟ୍ରାଇଅକ୍‌ସାଇଡ୍‌ ଦିଆଯାଇଥିଲା। ସେବେଠାରୁ ୨ ବର୍ଷ ପର୍ଯ୍ୟନ୍ତ ମୋ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ଇଣ୍ଟର୍ଭ୍ୟୁ ପରେ ମୁଁ ବହୁ କଷ୍ଟରେ ବେଙ୍ଗାଲୁରୁରୁ ଅହମଦାବାଦ ଫେରିଥିଲି। ଅହମଦାବାଦ ଫେରିବା ପରେ ମୋ ମଳଦ୍ବାରରୁ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ଅହମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ଶ୍ଵାସକ୍ରିୟାରେ ବି କଷ୍ଟ ଅନୁଭବ କରିଥିଲି। ଶରୀରର ଚର୍ମରୁ ଖୋଳପା ଛାଡ଼ୁଥିଲା। ହାତ ଏବଂ ଗୋଡ଼ର ନଖ ବାହାରିଯାଇଥିଲା। ଶରୀରର ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଙ୍ଗରେ ହାଇପୋକ୍ସିଆ, ହାଡ ଯନ୍ତ୍ରଣା, ସମ୍ବେଦନଶୀଳତା, ହୃଦଘାତ ଏବଂ ଫଙ୍ଗଲ୍ ସଂକ୍ରମଣ ଥିଲା ହୋଇଥିଲା। ପେଟରେ ଅଳ୍ପ କିଛି ପରିମାଣର ଆର୍ସେନିକ୍‌ ରହିବାରୁ ୨ ବର୍ଷ ଧରି ମୋ ଶରୀରରୁ ୩୦ରୁ ୪୦ ପ୍ରତିଶତ ରକ୍ତ ବାହାରି ଯାଇଥିଲା।

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, କେହି ଜଣେ ନିଶ୍ଚିତ ଭାବେ ଇସ୍ରୋର କିଛି କ୍ଷତି କରିବାକୁ ଚାହୁଁଛି। ଏହାର ଏକମାତ୍ର ସମାଧାନ ହେଉଛି ସେହି ଦୋଷୀକୁ ଧରି ଦଣ୍ଡିତ କରିବା। ଇସ୍ରୋରେ କାର୍ଯ୍ୟରତ ୨୦୦୦ ବୈଜ୍ଞାନିକଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ନାହିଁ। ଏହା ନିଶ୍ଚିତ ଯେ, ଏହା କୌଣସି ଗଳିକନ୍ଦିରେ ବୁଲୁଥିବା ଅପରାଧୀଙ୍କ କାମ ନୁହେଁ। ଆମ ପ୍ରତିଷ୍ଠାନ ଭିତରେ ଥିବା କିଛି ଅତ୍ୟାଧୁନିକ ଗୁପ୍ତଚର ସଂସ୍ଥା ଏହା ପଛରେ ରହିଛି ବୋଲି ସେ କହିଛନ୍ତି।

Comments are closed.