ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅ ସିଲଭିଆ

ଖଲ୍ଲିକୋଟ : ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳଛି। ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିଥିବା ଏକ ଚଳଚ୍ଚିତ୍ରର ସେଟ ଡିଜାଇନ କରି ଓଡ଼ିଆ ଝିଅ ଜଣକ ରାତାରାତି ହଲିଉଡରେ ଚହଳ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲା ଖଲ୍ଲିକୋଟ ସହର କରଣ ସାହିନିବାସୀ ପ୍ରଫେସର ଅଜିତ ମହାପାତ୍ରଙ୍କ ଜ୍ୟେଷ୍ଠ କନ୍ୟା ସିଲଭିଆ ମହାପାତ୍ର।
ଗତ ଡିସେମ୍ବର ୧୭ ତାରିଖରେ ଦେଶବିଦେଶରେ ମୁକ୍ତିଲାଭ କରିଥିବା ମାର୍ଭେଲଙ୍କ ମେଗା ସିନେମା ପ୍ରକଳ୍ପ ‘ସ୍ପାଇଡର ମ୍ୟାନ୍-ନୋ ୱେ ହୋମ୍’ ବକ୍ସ ଅଫିସରେ ଧମାକା ଦେଖାଇ ଗତ ୧୦ ଦିନ ମଧ୍ୟରେ ୭୫୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ଭାରତରେ ଏହି ସମୟ ମଧ୍ୟରେ ଏହି ଚଳଚ୍ଚିତ୍ର ୧୬୫ କୋଟି ଟଙ୍କାର ବ୍ୟବସାୟ କରି ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଏହି ସିନେମାରେ ଗଞ୍ଜାମ ଜିଲା ଖଲ୍ଲିକୋଟ ସହର କରଣ ସାହିର ଝିିଅ ସିଲଭିଆ ମହାପାତ୍ରଙ୍କ ଅବଦାନ ଅତୁଳନୀୟ। ସେ ଏହି ସିନେମାର ସେଟ୍ ଡିଜାଇନ୍ କରି ସିନେପ୍ରେମୀ ଦର୍ଶକଙ୍କ ମନ ମୋହିଛନ୍ତି। ଆମେରିକାର ଜର୍ଜିଆ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ଅଜିତ ମହାପାତ୍ର ଏବଂ ମା ନଳିନୀ ପଟ୍ଟନାୟକଙ୍କ ଜ୍ୟେଷ୍ଠ କନ୍ୟା ହେଉଛନ୍ତି ସିଲଭିଆ। ଜାମ୍ବିଆ, ବୋଷ୍ଟନ ଏବଂ ଆମେରିକାର ଆଟଲାଣ୍ଟାସ୍ଥିତ ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜିରେ ସିଲଭିଆ ଶିକ୍ଷାଲାଭ କରିଛନ୍ତି। ଏହି ସିନେମାରେ ସେ ସକ୍ରିୟ କାର୍ଯ୍ୟ କରିଥିବାରୁ ବହୁତ ଖୁସି ଏବଂ ଆଗାମୀ ଦିନରେ ହଲିଉଡ୍ ଚଳଚ୍ଚିତ୍ରରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।

Comments are closed.