ରାମୁଙ୍କ ‘ଥ୍ରୀଲର’ରେ ଓଡ଼ିଆ ପୁଅ ରକ୍‌

ଭୁବନେଶ୍ବର: ଓଡ଼ିଆ ସୁନ୍ଦରୀ ଅପ୍ସରା ରାଣୀଙ୍କ ପରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ସୁଯୋଗ ଦେଇଛନ୍ତି ବଲିଉଡ ନିର୍ଦେଶକ ରାମଗୋପାଳ ବର୍ମା। ସମ୍ପ୍ରତି ହାଇଦରାବାଦରେ ସୁଟିଂ ଚାଲିଥିବା ରାମୁଙ୍କ ‘ଥ୍ରୀଲର’ ଚିତ୍ରରେ ଅପ୍ସରାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ନବରଙ୍ଗପୁର ଉମରକୋଟର ରକ୍‌ କାଚି। ସେ ଜଣେ ମଡେଲ। ପୂର୍ବରୁ ମିଷ୍ଟର ମହାରାଷ୍ଟ୍ର ହେବା ସହ ନିଜର ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

କିଛି ଦିନ ପୂର୍ବରୁ ରାମୁ ଓଡ଼ିଆ ସୁନ୍ଦରୀ ଅପ୍ସରାଙ୍କୁ ‘ଥ୍ରୀଲର’ରେ ସୁଯୋଗ ଦେବା ପରିପ୍ରେକ୍ଷୀରେ ଟ୍ବିଟରରେ ଓଡ଼ିଶା ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଓଡ଼ିଶାରେ ବେଶ୍‌ ପ୍ରତିକ୍ରିୟା ହୋଇଥିଲା। ଏହା ପରେ ରାମୁ ରକ୍‌ଙ୍କୁ ସୁଯୋଗ ଦେଇ ଓଡ଼ିଶାକୁ ପ୍ରଶଂସା କରିବା ସହ ଓଡ଼ିଶାର ଏଭଳି ଅଧିକରୁ ଅଧିକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି।

ଉମରକୋଟରେ ଜନ୍ମିତ ରକ୍‌ଙ୍କ ବାପା ୟାସିନ୍‌ କାଚି ଓ ମା’ ସୱାନ କାଚି। ରକ୍‌ଙ୍କ ଦୁଇ ଭାଇ ଜାଭେଦ ଓ ଅଦନାନ ଅଛନ୍ତି। ବାପା ଜଣେ ବ୍ୟବସାୟୀ। ସେମାନେ ପ୍ରଥମେ ଛତିଶଗଡ଼ର କାଙ୍କେର ଓ ଏବେ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାନ କରୁଛନ୍ତି। ରକ୍‌ଙ୍କ ପଢ଼ାପଢ଼ି କୋହ୍ଲାପୁରରେ ହିଁ ହୋଇଛି। ସେ ଏମ୍‌ବିଏ ସମାପ୍ତ କରିଛନ୍ତି। କଲେଜରେ ପଢ଼ିଲା ବେଳେ ​ବେଶ ଭଲ ଆଙ୍କରିଂ କରୁଥିଲେ। ବିଭିନ୍ନ ମଞ୍ଚ କାର୍ୟ୍ୟକ୍ରମର ଆକର୍ଷଣ ସାଜୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ସୁନ୍ଦର ଚେହେରା ପାଇଁ ସେ ମଡେଲିଂରେ ସାମିଲ ହୋଇଥିଲେ। କିଛି ୟୁ ଟ୍ୟୁବ୍‌ ଚିତ୍ରରେ ମଧ୍ୟ ସେ କାର୍ୟ୍ୟ କରିଛନ୍ତି।

ରାମୁଙ୍କ ‘ଥ୍ରୀଲର’ ପାଇଁ ସେ ଅଡ଼ିସନ ଦେଇଥିଲେ। ଏଥିରେ ମନୋନୀତ ହେବା ପରେ ତାଙ୍କୁ ନେଇ ରାମୁ ସୁଟିଂ ଚଳାଇଛନ୍ତି। ଏଭଳି ଜଣେ ଖ୍ୟାତିସମ୍ପନ୍ନ ନିର୍ଦେଶକଙ୍କ ଚିତ୍ରରେ କାମ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି କହିବା ସହ ଏହାକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ ବୋଲି ରକ୍‌ ଟ୍ବିଟ୍‌ କରି ଦର୍ଶାଇଛନ୍ତି। ଏହି ଚିତ୍ର ପରେ ଏବେ ରକ୍‌ଙ୍କ ହାତରେ ବେଶ୍‌ କିଛି ଚିତ୍ରର ସୁଯୋଗ। ତେବେ ରାମୁଙ୍କ ଚିତ୍ର ସମାପ୍ତି ପରେ ସେ ଯାହା କିଛି ସାଇନ୍‌ କରିବେ ବୋଲି କହିଛନ୍ତି।

ଓଡ଼ିଆ ପୁଅ ଭାବେ ଗର୍ବିତ ଅନୁଭବ କରୁଥିବା ରକ୍‌ ଓଡ଼ିଶାର ଟେକ ବଜାୟ ରଖିବେ ବୋଲି କହିଛନ୍ତି। ମୋ ଓଡ଼ିଶାକୁ ମୁଁ ଭଲ ପାଏ ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

Comments are closed.