ସ୍ୱାଧୀନତାର ୭୪ ବର୍ଷ ପରେ , ବିକାଶଠୁ ଦୂରରେ ଓଡ଼ାସାହି

-ଗାଁକୁ ନାହିଁ ରାସ୍ତା, ମିଳୁନି ବିଶୁଦ୍ଧ ପାନୀୟଜଳ -ପରିମଳ, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାଲିଅନ୍ତା : ରାଜଧାନୀରେ ବାଣ ଫୁଟିଲେ ଏମାନଙ୍କର କି ଯାଏ ? ପଶୁ ଭଳି ଜୀବନ ବିତାଉଛନ୍ତି ରାଜଧାନୀ ଉପକଣ୍ଠ ବାସିନ୍ଦା । ମାତ୍ର କେଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁର ବାସିନ୍ଦା ସ୍ୱାଧୀନତାର ୭୪ ବର୍ଷ ପରେ ବି ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି ।  ଅଦ୍ୟାବଧି ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ଧୂଳିଧୂସର, ମାଟି କାଦୁଅରରେ ଘାଣ୍ଟି ହେଉଛନ୍ତି। ଏଭଳି ପଶୁଭଳି ଜୀବନ ଜିଉଁଛନ୍ତି ଖୋର୍ଦ୍ଧା ଜିଲା କାକରୁଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଓଡ଼ାସାହିର ବାସିନ୍ଦା। ସରକାର ଗାଁ ବିକାଶରେ ରାଜ୍ୟ ଓ ଦେଶର ବିକାଶ ଯୋଜନା ଡିଣ୍ଡିମ ପିଟୁଥିବା ବେଳେ ଏ ଗାଁରେ ଅଦ୍ୟାବଧି ବିକାଶ ପହଞ୍ଚି ପାରିନାହିଁ ।
ଏଠାରେ ପାଇପ୍‌ ଜଳ ଦୂରର କଥା ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। କୂଅ, ପୁଷ୍କରିଣୀ ଉପରେ ନିର୍ଭର ଚଳୁଛନ୍ତି ଓଡ଼ାସାହି ବାସିନ୍ଦା। ସେହିପରି ଗାଁକୁ ପକ୍କା ରାସ୍ତା ନଥିବାରୁ ଲୋକ ହିଡ଼ ରାସ୍ତାରେ ଯିବା ଆସିବା କରନ୍ତି। ଜରୁରୀକାଳୀନ ସମୟରେ ଗାଁକୁ ଦମକଳ କିମ୍ବା ଆମ୍ବୁଲାନ୍ସ ଯାଇ ପାରେନାହିଁ। ଫଳରେ ରୋଗୀଙ୍କୁ ବାଇକ୍ ଏବଂ ସାଙ୍ଗିଭାରରେ ବୁହାହୋଇ ମେଡିକାଲ ଅଣାଯାଇଥାଏ। ଶିକ୍ଷା ବିକାଶ କଥା ନ କହିବା ଭଲ ।  ପିଲାମାନେ ସ୍କୁଲ, କଲେଜ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନଥିବାରୁ ବର୍ଷାଦିନେ ଅଧାଦିନ ପାଠପଢ଼ାରେ ଡୋରି ବନ୍ଧାଯାଉଛି। ବିକଳ୍ପ ବ୍ୟବସ୍ଥା ନଥିବାରୁ କାଦୁଅ ଓ ପଙ୍କରେ ଯାତାୟାତ କରିଥାନ୍ତି ଗ୍ରାମବାସୀ। ପରିମଳ ବ୍ୟବସ୍ଥା କ’ଣ ଏମାନେ ଜାଣନ୍ତି ନାହିଁ । ଗାଁରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ପରିମଳ। ଗ୍ରାମକୁ ଯିବାକୁ ହେଲେ ପ୍ରଥମେ ୨୦୦ ମିଟର ଜଙ୍ଗଲ ମଧ୍ୟରେ ଯିବାକୁ ପଡ଼ିଥାଏ। କୌଣସି ଗୁଣରେ ପାହାଡ଼ିଆ ଗ୍ରାମ୍ୟ ଜୀବନଠାରୁ କମ୍‌ନୁହେଁ । ଏଠାକାର ଲୋକେ ଜଙ୍ଗଲୀ ଜୀବନ ବିତାଉଥିବା କହନ୍ତି ଓଡ଼ାସାହି ବାସିନ୍ଦା ।
ନିର୍ବାଚନ ଆସିଲେ ମାଳମାଳ ନେତା ଏହି ଗାଁକୁ ଆସି ରାସ୍ତା କରି ଦେବା, ପାଣି ବ୍ୟବସ୍ଥା, ପକ୍କା ଘର ଆଲୋକ ବ୍ୟବସ୍ଥା କରିଦେବା ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ସରିଲେ ସବୁ ପ୍ରତିଶ୍ରୁତି ଭୁଲିଯାଆନ୍ତି। ଭଲ ରାସ୍ତାଟିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଏବଂ ଜିଲାପାଳଙ୍କୁ ନେହୁରା ହେଉଛନ୍ତି ଓଡ଼ାସାହି ବାସିନ୍ଦା; କିନ୍ତୁ କେହି ହେଲେ ସେମାନଙ୍କ ଦୁଃଖ ଶୁଣି ନାହାନ୍ତି। ସେହିପରି ଦୂଷିତ ପାନୀୟଜଳ ପିଇ ଅନେକ ଲୋକ ବେମାରରେ ପଡ଼ୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରକାର କେବେ ଦୃଷ୍ଟିଦେବେ ତାହାକୁ ଚାହିଁ ରହିଛନ୍ତି ଗ୍ରାମବାସୀ ।

Comments are closed.