ପଛୁଆବର୍ଗଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସଂଶୋଧିତ ଆଇନ ରାଜ୍ୟପାଳଙ୍କ ମୋହର, ବିଜ୍ଞପ୍ତି ଜାରି

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ଲାଗି କେତେ ପ୍ରତିଶତ ଆସନ ସଂରକ୍ଷଣ ରହିବ ତାକୁ ନେଇ ଯେଉଁ ଦ୍ବନ୍ଦ୍ବ ଉପୁଜୁଥିଲା ତାହାର ପୂର୍ଣ୍ଣଚ୍ଛେଦ ପଡିଛି। ଏନେଇ ଚଳିତମାସ ୮ରେ ମୌସୁମି ଅଧିବେଶନ କାଳରେ ସରକାରଙ୍କ ପକ୍ଷରୁ ପଞ୍ଚାୟତ ସଂରକ୍ଷଣ ସଂଶୋଧନ ବିଧେୟକ ଗୃହୀତ ହୋଇଥିବାବେଳେ ବୁଧବାର ଏଥିରେ ରାଜ୍ୟପାଳଙ୍କ ମୋହର ବାଜିଛି। ରାଜ୍ୟପାଳଙ୍କ ସ୍ବୀକୃତି ମିଳିବାପରେ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି।
ଏଥିରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ରାଧାକ୍ରିଷ୍ଣ ପଟ୍ଟନାୟକ ଦର୍ଶାଯାଇଛନ୍ତି ଯେ ରାଜ୍ୟପାଳଙ୍କ ସ୍ବୀକୃତି ପରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ସଂଶୋଧନ କରାଯାଇଛି। ଏଥିରେ ସମ୍ବିଧାନର ଅନୁଚ୍ଛେଦ ୨୪୩-ଘ’ ଅନୁଯାୟୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକରେ ସ୍ଥାନ ସଂରକ୍ଷଣ ଲାଗି ଥିବା ବ୍ୟବସ୍ଥାର ସଂଶୋଧନ କରାଯାଇଛି। ଉପରୋକ୍ତ ବ୍ୟବସ୍ଥା ଅନୁଯାୟୀ ଗ୍ରାମ ପଞ୍ଚାୟତଗୁଡିକରେ ପଛୁଆ ବର୍ଗ ନାଗରିକଙ୍କ ପାଇଁ ୨୭ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ କରାଯିବ ନାହିଁ ଏବଂ ଗ୍ରାମ ପଞ୍ଚାୟତରେ ସମୁଦାୟ ଆସନର ୫୦ପ୍ରତିଶତ ପର୍ଯ୍ୟନ୍ତ ଆସନ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ରହିବ। ସେଥିରେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗଙ୍କ ସହିତ ପଛୁଆବର୍ଗଙ୍କୁ ମିଶାଇ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ।
ସେହିପରି ଓଡିଶା ଗ୍ରାମ ପଞ୍ଚାୟତ ସମିତି ଅଧିନିୟମ-୧୯୫୯ ଓ ଓଡିଶା ଜିଲା ପରିଷଦ ଅଧିନିୟମ-୧୯୯୧ରେ କେବଳ ପଛୁଆ ବର୍ଗ ନାଗରିକଙ୍କ ପାଇଁ ଅତି ବେଶିରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ହୋଇପାରିବ। ମାତ୍ର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ପାଇଁ ସମ୍ବିଧାନର ବ୍ୟବସ୍ଥା ମୁତାବକ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ ରହିବ। ତେବେ କେତେକ ପଞ୍ଚାୟତିରାଜ ଅନୁଷ୍ଠାନରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂରକ୍ଷଣ ପ୍ରତିଶତ ୫୦ ପ୍ରତିଶତରୁ ଅଧିକ ହେବାକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ବିଜ୍ଞପ୍ତି ପରେ ଦୂର ହୋଇଛି। ଗ୍ରାମପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମିତି ଏବଂ ଜିଲା ପରିଷଦ ସଭାପତିଙ୍କ କ୍ଷେତ୍ରରେ ଅନୁରୂପ ଭାବେ ଆସନ ସଂରକ୍ଷଣ ରହିବ ବୋଲି ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.