ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଞ୍ଚିପାରିବା: କୃଷିମନ୍ତ୍ରୀ

ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଓଏଆଇସି ୱେବ୍‌ସାଇଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଦୂରଦୃଷ୍ଟି ପାଇଁ ଓଡ଼ିଶା ବିଗତ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଜାତୀୟ ସ୍ତରରେ ଅନେକ ପୁରସ୍କାର ହାସଲ କରିଛି । ନିକଟରେ ଓଡ଼ିଶା ମାଣ୍ଡିଆ ସମେତ କ୍ଷୁଦ୍ରଶସ୍ୟ ଚାଷକୁ ପ୍ରୋତ୍ସାହନ କ୍ଷେତ୍ରରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି । ତେବେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଞ୍ଚିପାରିବା ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।
ଆଜି ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମର େୱବ୍‌ସାଇଟ୍‌ ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ବର୍ତ୍ତମାନ କୃଷି କ୍ଷେତ୍ରରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ରହିଛି । ନିଜର ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହ ଶିକ୍ଷିତ ଯୁବକଯୁବତୀ ନିଜ ଅଞ୍ଚଳରେ ଅର୍ଥ ଉପାର୍ଜନ ସହ ସମ୍ମାନର ସହ ଜୀବନ ଜିଇଁ ପାରିବେ ବୋଲି କହିଥିଲେ । ବର୍ତ୍ତମାନ ସମୟରେ କୃଷି ଯନ୍ତ୍ରପାତିର ଚାହିଦା ବୃଦ୍ଧି ପାଇଥିବାବେଳେ ଏହା ଉପରେ ଅଧିକ ଜ୍ଞାନ ଆହରଣ ଯୁବବର୍ଗଙ୍କ ଆତ୍ମନିର୍ଭରଶୀଳ କରାଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କୃଷି ଏବଂ କୃଷି ଯନ୍ତ୍ରପାତି କ୍ଷେତ୍ରରେ ଅଧିକ ତାଲି କାର୍ଯ୍ୟକ୍ରମ ସହ ଶିକ୍ଷିତ ତାଲିମପ୍ରାପ୍ତ ମାନବସମ୍ବଳର ଏକ ଡାଟାବେସ୍‌ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ । ଉପଦେଷ୍ଟା କୃତିବାସ ପାତ୍ର ତାଲିମ ନେବାକୁ ଆସିଥିବା ଯୁବକମାନଙ୍କୁ ଉଦ୍‌ବୋଧନ ଦେଇ ନିଷ୍ଠା ଓ ଆନ୍ତରିକ ଉଦ୍ୟମ ଯେ କୌଣସି କଠିନ କାର୍ଯ୍ୟକୁ ସଫଳ କରିବାରେ ସକ୍ଷମ ବୋଲି କହିଥିଲେ । କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ରାଜ୍ୟ ସରକାର ଏବଂ ନିଗମ ପକ୍ଷରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ କହିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଦିଆଯାଉଥିବା ବିଭିନ୍ନ କୃଷି ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଓ ମରାମତି ନିମନ୍ତେ ଦକ୍ଷ ମାନବସମ୍ବଳର ଆବଶ୍ୟକ ଥିବାରୁ ଏହି ତାଲିମ କାର୍ଯ୍ୟକ୍ରମ ବେଶ୍‌ ଉପଯୋଗୀ ବୋଲି କହିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ପାୱାର ଟିଲର୍‌, ପମ୍ପ, ଧାନକଟା ଯନ୍ତ୍ର ଏବଂ ଯନ୍ତ୍ରଚାଳିତ ୱିଡର ଯନ୍ତ୍ରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟର ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ପାଇଁ ଆଜି ଭୁବନେଶ୍ୱରଠାରେ ୧୨ ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ୫ଟି ବ୍ୟାଚ୍‌ରେ ୧୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ ।
ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ବାଙ୍କବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରଞ୍ଜନା ପଣ୍ଡାଙ୍କ ସମେତ ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ, କୃଷି ମୁଖ୍ୟଯନ୍ତ୍ରୀ ଓ ନିଗମର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments are closed.