ନ୍ୟୁଟ୍ରିସନ ଗାର୍ଡେନ ଚାରା ଯୋଗାଣରେ ବ୍ୟାପକ ଦୁର୍ନୀତି !

୫ ହଜାର ଟଙ୍କାର ଚେକ୍ ପାଇଁ ଅଗ୍ରୀମ ମିଳୁଛି ଏକ ହଜାର ଟଙ୍କା: ତଦନ୍ତ ଦାବି

ଦେବଗଡ଼ : ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିଯୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ନିମନ୍ତେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକରେ ନ୍ୟୁଟ୍ରିସନ ଗାର୍ଡେନ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁଥିବା ଦେବଗଡ ଜିଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟ ନ୍ୟୁଟ୍ରିସନ ଗାର୍ଡେନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମଧ୍ୟାହ୍ନ ଭୋଜନ ଯୋଜନାରୁ ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟଗୁଡିକୁ  ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ମାତ୍ର ନ୍ୟୁଟ୍ରିସନ ଗାର୍ଡେନ ନିର୍ମାଣ ନ ହେଉଣୁ ଚାରା ଯୋଗାଣ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଏପରିକି ଅନୁଗୁଳ ଜିଲାର ଏକ ନିର୍ଦ୍ଦିଷ୍ଟ ଫାର୍ମ  ଅଧିକ ଟଙ୍କା ନେଇ ନିମ୍ନମାନ ଓ କମ୍ ମୂଲ୍ୟର ଚାରା ବା ମଞ୍ଜି(ବିହନ) ଯୋଗାଣ ନେଇ ବହୁ ବିଦ୍ୟାଳୟରେ ବିଶୃଙ୍ଖଳା ଦେଖାଦେବା ସହ ଆପତ୍ତି ଉଠାଇ ସେମାନେ ଉକ୍ତ ଚାରା ଓ ମଞ୍ଜି ଆଦିକୁ ଗ୍ରହଣ ନ କରି ଫେରସ୍ତ କରୁଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଏହି ଦୁର୍ନୀତିରେ କେତେକ ନିର୍ଦ୍ଦିଷ୍ଟ ଅସାଧୁ ସି.ଆର୍.ସି.ସି. ଓ ଏପରିକି ଖୋଦ ଜିଲା ଶିକ୍ଷା ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା କତେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିବାଳନା କମିଟ ଅଭିଯୋଗ କରିଛନ୍ତି। ତେବେ ବହୁ ପ୍ରଧାନ ଶିକ୍ଷକ ଭୟରେ ମୁହଁ ଖୋଲୁନଥିଲେ ମଧ୍ୟ ଆଗାମୀ ଦିନରେ ସମ୍ପୃକ୍ତ ସି.ଆର୍.ସି.ସି. ଓ ଜିଲା ଶିକ୍ଷା ଅଧିକାରୀଙ୍କ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ କରିବାର ଅଭାସ ମିଳିଲାଣି।

ମିଳିଥିବା ସୂଚନା ଅନୁଯାୟୀ, ସକାରଙ୍କ ଗାଇଡଲାଇନ ଅନୁଯାୟୀ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲୁଥିବା  ଖୋଲା ତଥା ବ୍ୟବହାର ଉପଯୋଗୀ ସ୍ଥାନ ଓ ପାଚେରୀ ସହ ଜଳ ଯୋଗାଣର ବ୍ୟବସ୍ଥା ଥିବା ଦେବଗଡ ଜିଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନ୍ୟୁଟ୍ରିସନ ଗାର୍ଡେନ ନିର୍ମାଣ ପାଇଁ  ଇତିମଧ୍ୟରେ ୫ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ମଧ୍ୟାହ୍ନ ଭୋଜନ ଯୋଜନାରୁ ଏହି ଟଙ୍କା ଉପରୋକ୍ତ ବିଦ୍ୟାଳୟ ଗୁଡିକର ବ୍ୟାଙ୍କ ଏକାଉଂଟ ମାନଙ୍କରେ ଜମା କରାଯାଇଛି। ସେହିପରି  ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟିର ଅନୁମୋଦନ କ୍ରମେ ଏହି ନ୍ୟୁଟ୍ରିସନ ଗାର୍ଡେନ ନିର୍ମାଣ ହେବାର ବ୍ୟବସ୍ଥା ରହିଛି। ମାତ୍ର ଅନୁଗୁଳ ଜିଲାର ପାତ୍ରପଡା ସ୍ଥିତ ‘ଚଣ୍ଡି ଫାର୍ମ ହାଉସ’ (ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ ଅଧିନରେ ପଞ୍ଜିକୃତ) ପକ୍ଷରୁ ଜିଲାର ଶତାଧିକ ବିଦ୍ୟାଳୟରେ ଲେମ୍ବୁ, ଅମୃତଭଣ୍ଡା, ନଡିଆ, କଦଳୀ, ପଣସ, ସଜନାଛୁଇଁ, ଭେଜିଟେବଲ ସିଡ୍ କିଟ୍ ତଥା ଭର୍ମିକମ୍ପୋଷ୍ଟ, ଫର୍ଟିଲାଇଜର ଓ ପ୍ଲାଂଟଣ୍ଟ ପ୍ରୋଟେକ୍ସନ୍ କିଟ୍ ଆଦି ଯୋଗାଣ ବାବଦରେ ବିଦ୍ୟାଳୟ ମାନଙ୍କରୁ ୫ ହଜାର ଟଙ୍କା ଲେଖାଏଁ  ସଂଗ୍ରହ କରୁଥିବା ଜଣାପଡିଛି। ସମ୍ପୃକ୍ତ ଫାର୍ମ ହାଉସ ପକ୍ଷରୁ ପ୍ରଦାନ କରାଯାଉଥିବା ରସିଦ(କ୍ୟାଶ ମେମୋ)ରେ  ଲେମ୍ବୁ ଗଛ(ଗୋଟି ଭେରାଇଟୀ) ଗୋଟିଏକୁ ୫୦ ଟଙ୍କା ହିସାବରେ ୫ଟିକୁ ୨୫୦ ଟଙ୍କା, ଅମୃତ ଭଣ୍ଡା (ହାଇବ୍ରିଡ)ଗୋଟିଏକୁ ୫୦ ଟଙ୍କା ହିସାବରେ ୬ ଟିକୁ  ୩୦୦ ଟଙ୍କା, ଡ୍ରମଷ୍ଟିକ ଗୋଟିଏକୁ ୫୦ ଟଙ୍କା ହିସାବରେ ୪ଟିକୁ ୨୦୦ଟଙ୍କା, ନଡିଆ ଗଛ(ଡ୍ରାଫ୍ଟ)ଗୋଟିଏକୁ ୩୫୦ ଟଙ୍କା ହିସାବରେ ୪ଟିକୁ ୧୪୦୦ ଟଙ୍କା, ଜ୍ୟାକ ଫ୍ରୃତ(ଗ୍ରାଫ୍ଟେଡ)ଗୋଟିଏକୁ ୧୫୦ ଟଙ୍କା ହିସାବରେ ୨ଟିକୁ ୩ ୦୦ ଟଙ୍କା, ଭେଜିଟେବଲ ସିଡ୍ କିଟ୍ ଗୋଟିଏକୁ ୫୦୦ ଟଙ୍କା ହିସାବରେ   ୨ ଟିକୁ ୧୦୦୦ ଟଙ୍କା, କଦଳୀ(ଟିସୁ କଲଚର)ଗୋଟିଏକୁ ୫୦ ଟଙ୍କା ହିସାବରେ ୧୧ଟିକୁ ୫୫୦ ଟଙ୍କା  ଏବଂ ଭର୍ମିକମ୍ପୋଷ୍ଟ,ଫର୍ଟିଲାଇଜର ଓ ପ୍ଲାଂଟ ପ୍ରୋଟେକ୍ସନ୍ କିଟ୍ ବାବଦରେ ୧୦୦୦ ଟଙ୍କା ଅର୍ଥାତ ସମୁଦାୟ ୫୦୦୦ଟଙ୍କା ସଂଗ୍ରହ କରାଯାଉଥିବା ଉଲ୍ଲେଖ ରହିଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପଂଜିକୃତ ତଥା ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଫାର୍ମ ଗୁଡିକରେ ଏହାର ଉପରୋକ୍ତ ଚାରା, ମଞ୍ଜି , ଭେଜିଟେବଲ ସିଡ୍ କିଟ୍ ଓ ମୂଲ୍ୟ ଭର୍ମିକମ୍ପୋଷ୍ଟ, ଫର୍ଟିଲାଇଜର ଓ ପ୍ଲାଂଟ ପ୍ରୋଟେକ୍ସନ୍ କିଟ୍ର ମୁଲ୍ୟ ଉପରୋକ୍ତ ମୂଲ୍ୟଠାରୁ ଢେର କମ୍ ରହିଛି। ଏଣୁ ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟି ପକ୍ଷରୁ ଏନେଇ ଆପତ୍ତି ଉଠାଉଛନ୍ତି। ମାତ୍ର ଅନେକଙ୍କୁ ଏହାପଛରେ ସମ୍ପୃକ୍ତ କ୍ଲଷ୍ଟରର ସିଆର୍ସିସି ଓ ଏପରିକି  ଜିଲା ଶିକ୍ଷାଧିକାରୀଙ୍କ ସ୍ୱାର୍ଥ ରହିଥବା ଦର୍ଶାଯାଇ ଚାରା ଓ ମଂଜି କିଣିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ଆଉ ଏହା ସତ୍ୱେ ଯେଉଁ ଶିକ୍ଷକ କିମ୍ବା ପରିଚାଳନା କମିଟି ସଭାପତିମାନେ ଚାରା  ଓ ମଞ୍ଜି କିଣିବାକୁ ରାଜି ହେଉନାହାନ୍ତି ସେମାନଙ୍କୁ ଚୁପ ରଖିବା ପାଇଁ ଏକ ହଜାର ଟଙ୍କାର ଉତ୍କୋଚର ଲୋଭ ଦେଖାଯାଉଛି। ନ୍ୟୁଟ୍ରିସନ ଗାର୍ଡେନ ନିମନ୍ତେ ଉପରୋକ୍ତ ଚାରା, ମଞ୍ଜି କଟ ଓ ଫର୍ଟିଲାଇଜର ଓ ପ୍ଲାଂଟ ପ୍ରୋଟେକ୍ସନ୍ କିଟ୍ କ୍ରୟ ବାବଦକୁ ଚେକ ଜରିଆରେ ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା ରହିଛି। ମାତ୍ର ଚାରା  ଓ ମଞ୍ଜି କିଣିବାକୁ ରାଜି ହେଉ ନ ଥିବା ଶିକ୍ଷକ ଓ ପରିଚାଳନା କମିଟି ସଭାପତି ମାନଙ୍କୁ ଅଗ୍ରୀମ ଆକାରରେ କମିଶନ ବାବଦକୁ ପ୍ରଥମେ ନଗଦ ଏକ ହଜାର ଟଙ୍କା ପ୍ରଦାନ କରାଯାଇ ପରେ ସେମାନଙ୍କ ଠାରୁ ୫ ହଜାର ଟଙ୍କାର  ଚେକ ସଂଗ୍ରହ କରାଯାଉଥିବା ବିସ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି। ଅନେକ କ୍ଷେତ୍ରରେ ଚାରା ଯୋଗାଣକାରୀ ସଂସ୍ଥା ଚଣ୍ଡି ଫାର୍ମର୍ ହାଉସ ପକ୍ଷରୁ ପ୍ରଦାନ କରାଯାଉଥିବା ରସିଦ( କ୍ୟାଶ ମେମୋ)ରେ ବିଦ୍ୟାଳୟର ନାମ ଉଲ୍ଲେଖ କରାଯାଉନାହିଁ ଓ ଏପରିକି ଉକ୍ତ ସଂସ୍ଥାର ମାଲିକ/ପ୍ରତିନିଧିଙ୍କର ସ୍ୱାକ୍ଷର ମଧ୍ୟ ରହୁନଥିବାରୁ ଚାରା ଯୋଗାଣ ନାମରେ ଏକ ବଡଧରଣର ଦୁର୍ନୀତି ହେଉଥିବା ସନ୍ଦେହ ଅଧିକ ଦୃଢିଭୂତ ହେଉଛି। ତେବେ ଅଭିଯୋଗ ସମ୍ପର୍କରେ ଚଣ୍ଡି ଫାର୍ମ ହାଉସକୁ ଯୋଗାଯୋଗ କରିବାରୁ ଦୁର୍ନୀତି ଅଭିଯୋଗକୁ ଅସ୍ୱୀକାର କରାଯିବା ସହ ଚାରା, ମଞ୍ଜି କିମ୍ବା ଅନ୍ୟାନ୍ୟ ସାମଗ୍ରୀ କ୍ରୟ ପାଇଁ କାହାରିକୁ ବାଧ୍ୟ କରାଯାଉନଥିବା ଓ ବହୁ ବିଦ୍ୟାଳୟ ପକ୍ଷରୁ ତାଙ୍କ ସଂସ୍ଥା ଦ୍ୱାରା ଯୋଗାଇ ଦିଆଯାଇଥିବା ଚାରା, ମଞ୍ଜି କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ଗ୍ରହଣ କରାନଯାଇ ଫେରସ୍ତ କରିଥିବା ଉକ୍ତ ସଂସ୍ଥା ପକ୍ଷରୁ ରଞ୍ଜନ ସାହୁ ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ସ୍କୁଲରେ ହିଁ ଉପରୋକ୍ତ ସାମଗ୍ରୀ ପହଂଚାଇବାକୁ ପଡୁଥିବାରୁ ଗାଡିଭଡା ଓ ଖର୍ଚ୍ଚ ଓ ଓ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଚାରା ଯୋଗାଣ ଯୋଗୁଁ  ସ୍କୁଲ ମାନଙ୍କରୁ ଅଧିକ ମୂଲ୍ୟ ଆଦାୟ କରୁଥିବା ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ଏ ଘଟଣାରେ ସମ୍ପୃକ୍ତି ନେଇ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ମତାମତ ଲୋଡିବାରୁ ସେ କୌଣସି ଅନିୟମିତତାରେ ସମ୍ପୃକ୍ତ ନଥିବା ପ୍ରକାଶ କରିଛନ୍ତି। ତେବେ ଦେବଗଡ ଜିଲାପାଳ ନିଜେ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।

Comments are closed.