କରୋନା ଯୋଦ୍ଧାଙ୍କୁ ଅବହେଳା: ଧାରଣାରେ ବସିଲେ ଏମକେସିଜି ମେଡିକାଲ ନର୍ସ, ଉପଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଓହରିଲେ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କାର୍ଯ୍ୟରତ ଅଗଧାଡିର କରୋନା ଯୋଦ୍ଧାଙ୍କୁ ଅଣଦେଖା କରାଯାଉଛି। ଯାହାକୁ ନେଇ କୋଭିଡ ହସ୍ପିଟାଲରେ କାଯ୍ୟରତ ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହା ପ୍ରତିବାଦରେ ସୋମବାର ସମସ୍ତ ନର୍ସ ଏକତ୍ରିତ ହୋଇ ଏମକେସିଜି ମେଡିକାଲ କଲେଜରେ ଧାରଣା ଦେଇଥିଲେ। କିନ୍ତୁ ଉପଜିଲାପାଳ ପହଞ୍ଚି ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଓହରିଥିଲେ।

ଗଞ୍ଜାମରେ ରାଜ୍ୟର ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସୋମବାର ସୁଦ୍ଧା ୧୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରତିଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତ ରୋଗୀଙ୍କୁ ସିତଲାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ସେଠାରେ ଏମକେସିଜିର ଷ୍ଟାଫ ନର୍ସଙ୍କ ସହ କୋଭିଡ-୧୯ ପାଇଁ ନିଯୁକ୍ତି ପାଇଥିବା ନର୍ସମାନେ କାର୍ଯ୍ୟରତ ଅଛନ୍ତି । ହେଲେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଏହି ନର୍ସମାନଙ୍କୁ ସୁରକ୍ଷା ଉପକରଣ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ସେମାନକୁ ପିପିଇ, ଆବଶ୍ୟକ ମାସ୍କ, ଗ୍ଲୋବ୍‌ସ ପ୍ରଦାନ କରାଯାଉ ନ ଥିବାବେଳେ କୋଭିଡ ହସ୍ପିଟାଲରେ ପାନୀୟଜଳର ବ୍ୟବସ୍ଥା ନ ଥିବା ନର୍ସମାନେ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରକାର ସୁବିଧା ପ୍ରଦାନ ଦାବିରେ ଆଜି ସକାଳୁ ନର୍ସମାନେ ଏମକେସିଜି ମେଡିକାଲ ଅଧୀକ୍ଷକଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

Comments are closed.