ମୃତ୍ୟୁକୁ ପରାଜିତ କରିଥିବା ସେବିକା

ମୃତ୍ୟୁକୁ ଭୟ ବା କାହାର ନାହିଁ, ହେଲେ ସମ୍ମୁଖରେ ମରଣର ବିଭୀଷିକା ବାରମ୍ବାର ଦେଖି ଜୀବନ ଫେରିପାଇବା ପ୍ରକୃତରେ ଭାଗ୍ୟର କଥା। ସେହିଭଳି ମୁହୂର୍ତ୍ତକୁ ସାମ୍ନା କରିଥିବା ବ୍ୟକ୍ତିତ୍ବ ହେଲେ ଆର୍ଜେଣ୍ଟିନାର ଭାଇଓଲେଟ୍ ଜେସପ୍, ୮୩ ବର୍ଷ ବୟସରେ ଇଂଲଣ୍ଡରେ ସେ ପ୍ରାଣ ହରାଇଥିଲେ। ତିନି ଥର ଜାହାଜ ଯାତ୍ରା କରି ମୃତ୍ୟୁ ସହ ଲଢ଼ି ଯେପରି ଜୀବନ ଫେରି ପାଇଥିଲେ ଭାଇଓଲେଟ୍, ପାଠପଢ଼ା ଶେଷ ପରେ ୧୯୦୮ରେ ସେ ପ୍ରଥମେ ଏକ ସିପିଙ୍ଗ୍ କମ୍ପାନୀରେ ସେବିକା ଭାବେ କାମ ଆରମ୍ଭ କଲେ। ମାତ୍ର ୨୧ ବର୍ଷ ବୟସର ଯୁବତୀ, ଅନ୍ୟ କେତୋଟି କମ୍ପାନୀରୁ ମଧ୍ୟ ତାଙ୍କୁ ସୁଯୋଗ ମିଳିଲା। ୧୯୧୧ରେ ‘ଆର୍‌ଏମ୍‌ଏସ୍‌ ଅଲିମ୍ପିକ୍’ରେ ସେ କାମ କଲେ, ଯାତ୍ରା ସମୟରେ ସେପ୍ଟେମ୍ବର ୨୦ରେ ଅଲିମ୍ପିକ୍ ଜାହାଜ ଅନ୍ୟ ଏକ ଯୁଦ୍ଧ ଜାହାଜ ସହ ଦୁର୍ଘଟଣାଗ୍ରସ୍ତ ହେଲା। ଜାହାଜଟି ମଝିସମୁଦ୍ରରେ କ୍ଷତିଗ୍ରସ୍ତ ହେଲା, କିନ୍ତୁ କେହି ଏଥିରେ ମୃତାହତ ହୋଇନଥିଲେ। ପ୍ରଥମଥର ଭାଇଓଲେଟ୍ ଅଲିମ୍ପିକ୍ ଦୁର୍ଘଟଣାରୁ ବତ୍ତିଲେ, ସେ ଏହି ଜାହାଜ ଯାତ୍ରା ସମ୍ପର୍କରେ ନିଜ ଅନୁଭୂତିକୁ କାହା ଆଗରେ ପ୍ରକାଶ କରିନଥିଲେ। ଦ୍ବିତୀୟଥର ୧୯୧୨ ଏପ୍ରିଲ୍ ୧୦ରେ ଭାଇଓଲେଟ୍ ‘ଆର୍‌ଏମ୍‌ଏସ୍ ଟାଇଟାନିକ୍’ରେ ଯାତ୍ରା କଲେ, ଏପ୍ରିଲ୍ ୧୪ରେ ଜାହାଜ ବରଫଖଣ୍ଡ ସହ ଧକ୍କା ଖାଇ ବୁଡ଼ିଲା। ଲାଇଫ୍‌ବୋଟ୍‌ରେ ଅନ୍ୟ ମହିଳା ଯାତ୍ରୀଙ୍କୁ ସହାୟତା ନିମନ୍ତେ ଭାଇଓଲେଟ୍‌ଙ୍କୁ କ୍ୟାପଟେନ୍ ଯିବା ପାଇଁ ଅନୁମତି ଦେଲେ, ଲାଇଫ୍‌ବୋଟ୍‌ରେ ଆସୁଥିବା ସମୟରେ ବିରାଟ ଜାହାଜ ଟାଇଟାନିକ ସମୁଦ୍ର ଗର୍ଭରେ ଲୀନ ହେବାର ଦୃଶ୍ୟକୁ ସେ ଦେଖିଥିଲେ। ଟାଇଟାନିକ୍ ଦୁର୍ଘଟଣା ପରେ ଭାଇଓଲେଟ୍ କିଛି ବର୍ଷ ପର୍ଯ୍ୟନ୍ତ କାମ କରିବାକୁ ଚାହିଁଲେନାହିଁ, ପ୍ରଥମବିଶ୍ବଯୁଦ୍ଧବେଳକୁ ସେ ପୁଣି କାମ କରିବାକୁ ମନସ୍ଥ କଲେ। ୧୯୧୬ରେ ସେ ଏଚ୍‌ଏମ୍‌ଏସ୍‌ ବ୍ରିଟାନିକ୍‌ରେ ସେବିକା ଭାବେ ନିଯୁକ୍ତି ପାଇଲେ, ଦୁର୍ଭାଗ୍ୟବଶତଃ ଏଇ ଜାହାଜଟି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ଭାଗ୍ୟବଳରେ ଭାଇଓଲେଟ୍ ଯେପରି ତୃତୀୟଥର ପୁନର୍ଜୀବନ ପାଇଲେ। ବ୍ରିଟାନିକ୍ ଦୁର୍ଘଟଣା ସମୟରେ ଜୋସେଫ୍‌ ମଧ୍ୟ ଆହତ ହେଲେ, ତାଙ୍କ ମସ୍ତିଷ୍କର ବାମ ପାଖ ଆଘାତ ହେବାରୁ କିଛିଦିନ ସେ ସଂଜ୍ଞାହୀନ ଅବସ୍ଥାରେ ଚିକିତ୍ସିତ ହୋଇଥିଲେ। ସୁସ୍ଥ ହେବା ପରେ ପୁନର୍ବାର ସେ ଆଉ ଜାହାଜରେ ସେବିକା କିମ୍ବା ଅନ୍ୟ କୌଣସି ପଦରେ କାମ କରିବାକୁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିପାରିଲେନାହିଁ। ମନରେ ଭୟ ବସା ବାନ୍ଧି ରହିଲା ଯେ, ସେ ଜାହାଜରେ ଚାକିରି କରିବେ ତ’ ନିଶ୍ଚିତ ଭାବେ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବ। ବାରମ୍ବାର ମୃତ୍ୟୁର ବିଭୀଷିକାକୁ ଆଖି ସାମ୍ନାରେ ଦେଖିବାର ସାହସ ଆଉ ତାଙ୍କ ପାଖେ ନଥିଲା, ୧୯୨୧ବେଳକୁ ସେ ପ୍ରଥମେ କାମ ଆରମ୍ଭ କରିଥିବା ସିପିଙ୍ଗ୍ କମ୍ପାନୀରେ ପୁନର୍ବାର ଯୋଗ ଦେଲେ। ଅବସର ନେବା ପର୍ଯ୍ୟନ୍ତ ସେଇଠାରେ ହିଁ ଭାଇଓଲେଟ୍ କାମ କଲେ, ତାଙ୍କ ଅଙ୍ଗେନିଭା ୩ ଜାହାଜର ଘଟଣାକୁ ନେଇ ବିଭିନ୍ନ ଖବରକାଗଜ, ନ୍ୟୁଜ୍ ଚ୍ୟାନେଲ୍‌ ପ୍ରକାଶ କଲା। ଭାଇଓଲେଟ୍ ବାରମ୍ବାର ସେହି ଦୁର୍ଘଟଣାର ଦୃଶ୍ୟକୁ ସାକ୍ଷାତକାର୍‌ରେ କହିବାକୁ ଅନିଚ୍ଛା କରି ଶେଷରେ ଲୋକଲୋଚନରୁ ନିଜକୁ ଦୂରେଇ ରଖି ଜୀବନ ଅତିବାହିତ କଲେ।

Comments are closed.