ନୂଆପଡାରେ ମନରେଗା କାର୍ଯ୍ୟରେ ରେକର୍ଡ

ଖଡିଆଳ : ନୂଆପଡା ଜିଲା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଉଦାହରଣ ସୃଷ୍ଟି କରିଛି। ଜିଲାରେ ପ୍ରଥମ କରି ଗୋଟିଏ ଦିନରେ ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ କାମ କରିଛନ୍ତି। ସୋମବାର ଜିଲାର ୫ ଗୋଟି ବ୍ଲକର ୩୨୯୮ ଗୋଟି ପ୍ରକଳ୍ପରେ ମୋଟ ୩୪ ହଜାର ୨୦୫ ଜଣ ଶ୍ରମିକ କାମ କରିଛନ୍ତି। ଶ୍ରମିକମାନେ ଗୋଟିଏ ଦିନରେ ୨୯୮ ଟଙ୍କା ପାରିଶ୍ରମିକ ପାଉଥିବା ବେଳେ କଠିନ ମାଟି ଖନନ ପାଇଁ ୫୭୫ ଟଙ୍କା ରହିଥିବା ଜଣାପଡିଛି। ବୋଡେନ ବ୍ଲକର ୧୫ ଗୋଟି ପଞ୍ଚାୟତରେ ୭୫୨ ଗୋଟି ପ୍ରକଳ୍ପରେ ୫୪୮୩ ଜଣ, ଖଡିଆଳ ବ୍ଲକର ୨୬ ଗୋଟି ପଞ୍ଚାୟତର ୬୫୨ ଗୋଟି ପ୍ରକଳ୍ପରେ ୫୬୩୫ ଜଣ, କୋମନା ବ୍ଲକର ୩୨ ଗୋଟି ପଞ୍ଚାୟତରେ ୧୦୭୦ ଗୋଟି ପ୍ରକଳ୍ପରେ ୮୪୦୭ ଜଣ, ନୂଆପଡା ବ୍ଲକର ୩୧ ଗୋଟି ପଞ୍ଚାୟତରେ ୫୨୪ ଗୋଟି ପ୍ରକଳ୍ପରେ ୬୨୬୭ ଜଣ ଏବଂ ସିନାପାଲି ବ୍ଲକର ୩୦୦ ଗୋଟି ପ୍ରକଳ୍ପରେ ୮୪୧୩ ଜଣ ଶ୍ରମିକ ନିୟୋଜିତ ଥିବା ନେଇ ତଥ୍ୟ ମିଳିଛି। ଅନ୍ୟପକ୍ଷରେ ସରକାର ମନରେଗା ଯୋଜନା ଜରିଆରେ ଗ୍ରାମୀଣ ଶ୍ରମିକମାନଙ୍କୁ ଅଧିକ କାମଧନ୍ଧା ଯୋଗାଇ ରୋଜଗାରକ୍ଷମ କରାଇବା ଫଳରେ ଦାଦନ ସମସ୍ୟାର ସମାଧାନ ହେବାର ଉଦ୍ଦେଶ୍ୟ ରଖି ଗତ ଡିସେମ୍ବର ମାସ ଠାରୁ ଓଡିଶା ସରକାର ବିଧିବଦ୍ଧ ଭାବରେ ରାଜ୍ୟର ଦାଦନ ପ୍ରବଣ ୪ ଗୋଟି ଜିଲା ଯଥା ନୂଆପଡା, କଲାହାଣ୍ଡି, ବଲାଙ୍ଗିର ଓ ବରଗଡ ଜିଲାରେ ସ୍ୱତନ୍ତ୍ର ଯୋଜନା ଚଳାଇଛନ୍ତି। ଏହି ଯୋଜନାକୁ ସଫଳିଭୂତ କରିବା ସକାଶେ ଏନଜିଓ ମାଧ୍ୟମରେ ଜିଲାର ପ୍ରତି ପଞ୍ଚାୟତମାନଙ୍କରେ ଜଣେ ଲେଖାଏଁ କମ୍ୟୁନିଟି ମୋଭିଲାଇଜର ପଦବୀ ସୃଷ୍ଟି କରି ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନଙ୍କ ନିଯୁକ୍ତି ପରେ ମନରେଗା କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମନରେଗା ଯୋଜନାରେ ଦିନକୁ ଦିନ ଅଧିକ ସଂଖ୍ୟକ ଶ୍ରମିକ ନିୟୋଜିତ ହୋଇ ମନରେଗା ଯୋଜନାକୁ ଶିର୍ଷରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

Comments are closed.