ଦଶମୀ ତିଥିରେ ମାଣିକେଶ୍ୱରୀଙ୍କ ନବାନ୍ନ ଭୋଗ

ଭବାନୀପାଟଣା, ଜୟପାଟଣା, ଲାଞ୍ଜିଗଡ ଓ ଥୁ.ରାମପୁର ବାସୀ ଆନନ୍ଦ ଉଲ୍ଲାସରେ ନୂଆଁ ଖାଇଲେ

ଭବାନୀପାଟଣା : କରୋନାର ଭୟ ଓ ବହୁବିଧ କଟକଣା ସତ୍ତେ୍ୱ କଳାହାଣ୍ଡିର ଘରେ ଘରେ ପାଳିତ ହୋଇଛି ନୂଆଁଖାଇ। ଯଦିଓ ଏଥିରେ ସାମୂହିକ ଜୁହାର ଭେଟ୍, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇ ପାରିନାହିଁ । ପେଟପାଟଣାର ପର୍ବ, ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ନୂଆଁଖାଇର ମହତ୍ତ୍ୱ ପ୍ରତିଟି ଲୋକର ମନରେ, ହୃଦୟରେ। ଭାଇଚାରା ଓ ମିଳନର ପର୍ବରେ ଯଦିଓ ଲୋକେ ପରସ୍ପର ସହ ମିଶି ପାରି ନାହାନ୍ତି, କିନ୍ତୁ ଭାତୃତ୍ୱ ବଜାୟ ରହିଛି। ସଂସ୍କୃତି ଓ ସ୍ୱାଭିମାନର ପର୍ବରେ ଯଦିଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳିନାହିଁ କିନ୍ତୁ ସ୍ୱାଭିମାନ ଅତୁଟ ରହିଛି। ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ୱତନ୍ତ୍ର, ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି କଳାହାଣ୍ଡିର ପ୍ରତିଟି ଗାଁ ଓ ସହରରେ, ପ୍ରତି ଘରେ ଓ ପରିବାରରେ। ସବୁ ମନୋମାଳିନ୍ୟ ଭୁଲି ଏକାଠି ନୂଆ ଖାଇଛନ୍ତି ଆବାଳବୃଦ୍ଧ ବନିତା। ନୂଆଁଖାଇ ପରେ ଭଲ ସମୟ ଆସିବ। ମହାମାରୀରୁ ନିସ୍ତାର ମିଳିବ। ଆଗକୁ ପୂରା ବର୍ଷ ଭଲରେ କଟିବ ଆଶା ଓ ବିଶ୍ୱାସ ରଖି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ପ୍ରତିପଦା, ପଞ୍ଚମୀ, ସପ୍ତମୀ, ନବମୀ ତିଥିରେ ନୂଆଁଖାଇ ସାରିଥିବା ବେଳେ ଜିଲ୍ଲାର ଭବାନୀପାଟଣା, ଜୟପାଟଣା, ଲାଞ୍ଜିଗଡ ଓ ଥୁ.ରାମପୁର ସହରର ଗୁରୁବାର ଦଶମୀ ତିଥିରେ ମାଣିକେଶ୍ୱରୀଙ୍କ ପାଖରେ ସକାଳ ଘ.୮.୦୦ ରୁ ଘ.୯.୦୦ ମଧ୍ୟରେ ନବାନ୍ନ ଭୋଗ ଲାଗିବା ପରେ ଦିବା ୧୦.୩୬ ରୁ ୧୨.୪୪ ଘଣ୍ଟା ମଧ୍ୟରେ ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସରେ ନୂଆଁ ଖାଇଥିବା ଦେଖିବାକୁ ମିଳିଥିବା ବେଳେ ଗତ ୧୫ ତାରିଖ ନବମୀ ତିଥିରେ ମଦନପୁର ରାମପୁର ସହରରେ ସ୍ଥାନୀୟ ଦେବାଦେବୀଙ୍କ ନିକଟରେ ପୂର୍ଜାର୍ଚ୍ଚନାପରେ ନବାନ୍ନ ଖାଇଥିଲେ।

ପୂର୍ବରୁ ନୂଆଁଖାଇ ଆସିଲେ ଜିଲ୍ଲା ଓ ରାଜ୍ୟ ବାହାରେ ଥିବା ପ୍ରତ୍ୟେକ ଶ୍ରେଣୀର ମଣିଷ ଯାହା ରୋଜଗାର କରିଥିବା ଅର୍ଥକୁ ଧରି ନୂଆଁ ଖାଇବା ସହିତ ବନ୍ଧୁ ବାନ୍ଧବ ପରିବାର ବର୍ଗଙ୍କୁ ଏକ ସହିତ ମିଶିବା ଓ ଭାବ ଆଦାନ ପ୍ରଦାନ କରିବା ପାଇଁ ପିଲାଛୁଆ ଧରି ନିଜର ଭିଟା ମାଟିକୁ ଫେରି ଆସିଥାନ୍ତି। ସେହିପରି ଚଳନ୍ତି ବର୍ଷ ମଧ୍ୟ କରୋନାର ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ଓ ଜିଲ୍ଲା ବାହାରେ ଥିବା ପ୍ରବାସୀ ମାନେ ନୂଆଁଖାଇବାକୁ ବହୁ ଆଗରୁ ନିଜ ଘରକୁ ଫେରି ଆସିଛନ୍ତି। ସବୁକିଛି ଭୁଲି ବର୍ଷକୁ ଥରେ ଆସୁଥିବା ନୂଆଁଖାଇକୁ ଖୁବ୍ ଜାକଜକମରେ ପାଳିବା ପାଇଁ ଗତ କିଛି ଦିନ ଧରି ଆରମ୍ଭ ହୋଇଥିଲା କିଣାବିକା। ନୂଆଧାନ, ନୂଆ ଚୁଡା, ହାଣ୍ଡି, କୁଲାଟୁପା, ନୂଆଧାନ, କୁରେଇପତ୍ର ଏବଂ ବିଶେଷ କରି ନୂଆ କପଡା କିଣା ପାଇଁ କିଛି ଦିନ ହେଲା ଜମି ଥିଲା ଭବାନୀପାଟଣା ସହର ସମେତ ବିଭିନ୍ନ ଅଞ୍ଚଳର ନୂଆଁଖାଇ ବଜାର। ୧୬ ତାରିଖ ଗୁରୁବାର ଦଶମୀ ତିଥି ଜିଲ୍ଲାର ଭବାନୀପାଟଣା ଜିଲ୍ଲା ସଦର ମହକୁମା ଏବଂ ଏହି ୩ ଟି ବ୍ଲକ ସଦର ମହକୁମା ଅଞ୍ଚଳରେ ନୂଆଚୁଡାରେ ତିଆରି ଖିରି ନିଜ ନିଜର ଇଷ୍ଟଦେବୀଙ୍କୁ ସମର୍ପଣ ପରେ ନୂଆଁଖାଇ ପର୍ବ ପାଳିତ ହୋଇଥିଲା। କରୋନା କଟକଣା ଯୋଗୁଁ କୌଣସି ପ୍ରକାର ସାମୁହିକ ଭେଟଘାଟ  ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା। ନୂଆଁଖାଇ ସାରିବା ପରେ ଘରର ବଡଲୋକ ତଥା ଆତ୍ମୀୟ ସ୍ୱଜନ ଗୁରୁଜନ ମାନଙ୍କୁ ଯାଇ କନିଷ୍ଠ ମାନେ ଯାଇ ଭୂମିଷ୍ଟ ପ୍ରଣାମ କରିବା ସହିତ ଆର୍ଶୀବାଦ ଭିକ୍ଷା କରିଥିଲେ। ଏଠାରେ ସୂଚନା ଥାଉ ଯେ, କଳାହାଣ୍ଡି ଜିଲ୍ଲାର ପ୍ରଥମ ନୂଆଁଖାଇ କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପଥର୍ଲା ଗ୍ରାମବାସୀ ପ୍ରତିପଦା ତିଥିରେ ପାଳନ କରିଥିଲେ। ପର୍ଥଲା ସହିତ ପଲକାପଡା ଓ ବାହାଦୂରପଦର ଗ୍ରାମବାସୀ ମଧ୍ୟ ଏହି ପ୍ରତିପଦା ତିଥିରେ ନୂଆଁଖାଇଥିଲେ। ଐତିହାସିକ କଥା ବସ୍ତକୁ ଆଧାର କରି ନାଗବଂଶ ଓ ଗଙ୍ଗବଶୀ ରାଜାଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ପଥର୍ଲା ଗୌନ୍ତିଆ ନାଗ ବଂଶୀ ମହାରାଜାଙ୍କ ପକ୍ଷରେ ରହି ଶତ୍ରୁପକ୍ଷ ସହିତ ସାହାସରେ ଲଢେଇ କରି ବିଜୟ ହାସଲ କରିଥିଲୋ। ତାଙ୍କ ସତ୍ସାହାସ ଓ ପରାକ୍ରମକୁ ସ୍ୱୀକୃତି ପ୍ରଦାନ କରି ରାଜା ଗୌନ୍ତିଆଙ୍କୁ ସର୍ବାଗ୍ରେ ନୂଆଁଖାଇ ଲାଗି ଆଦେଶ ଦେଇଥିଲେ। ଏହା ପରଠାରୁ କଳାହାଣ୍ଡି ମହାରାଜାଙ୍କ ଆଦେଶ କ୍ରମେ ପଥର୍ଲା ଏବଂ ପଲକାପଡା ଓ ବାହାଦୂର ପଦର ଗ୍ରାମବାସୀ ଗ୍ରାମବଦେବତାଙ୍କ ଠାରେ ନବାର୍ନ୍ନ ଅର୍ପଣ କରି ନୂଆଁଖାଇ ଥିଲେ।
ସେହିପରି ପଞ୍ଚମୀ ଏବଂ ସପ୍ତମୀ ତିଥିରେ ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା, ଜୁନାଗଡ, କଲମପୁର, କୋକସରା, ଧର୍ମଗଡ, ଗୋଲାମୁଣ୍ଡା ବ୍ଲକ ଏବଂ ଭବାନୀପାଟଣା, ମଦନପୁର ରାମପୁର, ଲାଞ୍ଜିଗଡ, ଜୟପାଟଣା, ଥୁ.ରାମପୁର ବ୍ଲକର କେବଳ ଭବାନୀପାଟଣା, ମ.ରାମପୁର, ଜୟପାଟଣା, ଥୁ.ରାମପୁର ଏବଂ ଲାଞ୍ଜିଗଡ ସହରାଞ୍ଚଳ ସମେତ ତାର ଆଖପାଖ ଅଞ୍ଚଳକୁ ଛାଡି ଦେଲେ ଏହି ସବୁ ବ୍ଲକର ସମସ୍ତ ଗ୍ରାମାଞ୍ଚଳରେ ନିଜ ନିଜର ଗ୍ରାମଦେବୀ, ଲଙ୍କେଶ୍ୱରୀ, ଭଣ୍ଡାର ଘରଣୀ, ମାଁ ଡୋକରୀ ଆଦି ଦେବୀଙ୍କ ଠାରେ ପୂଜାପାଠ ଏବଂ ନବାନ୍ନ ଭୋଗ ଲାଗିବା ପରେ ନୂଆଁ ଖାଇ ଥିଲେ। ସେହିପରି ୧୫ ତାରିଖ ଦିନ ମ.ରାମପୁର ଅଞ୍ଚଳବାସୀ ନୂଆଁଖାଇ ଥିବା ବେଳେ ୧୬ ତାରିଖ ଗୁରୁବାର ଦିନ ଦଶମୀ ତିଥିରେ ଭବାନୀପାଟଣା, ଜୟପାଟଣା, ଥୁ.ରାମପୁର ଏବଂ ଲାଞ୍ଜିଗଡ ସହରାଞ୍ଚଳ ସମେତ ତାର ଆଖପାଖ ଅଞ୍ଚଳବାସୀ ମାଁ ମାଣିକେଶ୍ୱରୀ ଏବଂ ଉକ୍ତ ଅଞ୍ଚଳରେ ଥିବା ଗ୍ରାମର ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଦେବା ପରେ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି ନୂଆଁଖାଇଥିଲେ।

Comments are closed.