କୃଷିଭିତ୍ତିକ ଗଣପର୍ବ ନୂଆଖାଇ; ଅତୀତ ଓ ବର୍ତ୍ତମାନ

ରେଙ୍ଗାଲିକ୍ୟାମ୍ପ : ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପାରମ୍ପରିକ ପର୍ବ । କୃଷି କ୍ଷେତ୍ରରେ ଫସଲକୁ ଦେଖି କୃଷକ ଧାନ ଅମଳର ଖୁସିକୁ ପରିବାର ମଧ୍ୟରେ ବାଣ୍ଟିବା ପାଇଁ ଏହି ପର୍ବର ପରିକଳ୍ପନା କରାଯାଇଥିଲା । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ, ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ । ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଶରତ ଋତୁରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ପଶ୍ଚିମ ଓଡ଼ିିଶାରେ ନୂଆଖାଇ ପର୍ବ । ନୂଆଖାଇ ପାଳନ ନିମନ୍ତେ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ । ଅତୀତରେେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆ ଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । ସ୍ଥାନ ବିଶେଷରେ ଏହା ଭିନ୍ନ ଭିନ୍ନ ଦିିନରେ ପାାଳିତ ହେଉଥିଲା । ତେଣୁ ଗୋଟିଏ ସ୍ଥାନର ନୂଆଖାଇ ପର୍ବ ସାାରିବା ପରେ ଲୋକେ ନିଜର ବନ୍ଧୁମାନଙ୍କ ଘରକୁ ଯାଉଥିଲେ। ନୂଆଖାଇ ପାଳନ କରିବା ପାଇଁ ବନ୍ଧୁ ବର୍ଗମାନଙ୍କୁ ଡକା ଯାଉଥିଲା । ଏକ ନର୍ଦ୍ଦିଷ୍ଟ ତିଥିରେ ପାଳିତ ନହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ।

ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । କାରଣ ଏହି ନବାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ବ୍ୟବହୃତ ହୋଇଥାଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ଶ୍ରାଦ୍ଧ ଦେବାର ବ୍ୟବସ୍ଥା ଅଛି । ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୋଇଥାଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା, ଝିଅମାନଙ୍କର ପୁଚି ଖେଳ, ହୁମୋବାଉଳି, ପୁରୁଷମାନଙ୍କ ଗୁଡୁ ଖେଳ, କସରତ ଖେଳ ଆଦି ଅନୁଷ୍ଠିତ ହେଉଥିଲା । ଗ୍ରାମର ଆବାଳ ବୃଦ୍ଧ ବନିତା ଏହା ଦେଖିବା ପାଇଁ ରୁଣ୍ଡ ହେଉଥିଲେ । ଏହା ବଡ କୌତୁହଳପୂର୍ଣ୍ଣ ଓ ମନୋରଞ୍ଜନଧର୍ମୀ ଥିଲା । ଏହା ବ୍ୟତୀତ ଲୋକଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁଥିଲା। ପରସ୍ପର ମଧ୍ୟରେ ଥିବା ପୂର୍ବର ରାଗ ରୋଷ ସବୁ ଭୁଲି ପୁଣି ଏକାଠି ହେବାର ସୁଯୋଗ ଦେଉଥିଲା ।

ନୂଆଖାଇ ପରଦିନକୁ ନୂଆଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ଆଇଁଷ ଖାଇଥାନ୍ତି । କିନ୍ତୁ ସମୟକ୍ରମେ ପୂର୍ବରୁ ଚାଲିଆସୁଥିବା ଏହି ପର୍ବର ରୀତି ନୀତିରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ଆଧୁନିକ ବିଜ୍ଞାନର ଉନ୍ନତି, ଯନ୍ତ୍ରାଂଶର ବ୍ୟବହାର, ମୋବାଇଲର ବହୁଳ ବ୍ୟବହାର ଓ ସର୍ବୋପରି ମଣିଷର ବ୍ୟସ୍ତତାପୂର୍ଣ୍ଣ ଜୀବନ ଶୈଳୀ ବହୁ ମାତ୍ରାରେ ଏଥିପାଇଁ ଦାୟୀ କୁହାଯାଇପାରେ । ଆଜି ସମସ୍ତେ ଶିକ୍ଷିତ ହୋଇ ପ୍ରାୟ ୬୦ ପ୍ରତିଶତ ଲୋକ ବାହାରେ ଦେଶ ବିଦେଶରେ ରହି ଚାକିରୀ କରୁଛନ୍ତି । ତେଣୁ ବେଳେ ବେଳେ କାର୍ୟ୍ୟ ବ୍ୟସ୍ତତା ହେଉ ବା ନିୟମ ପ୍ରତିବନ୍ଧକ ସାଜିଛି । ଅନେକ ପରିବାର ଏଥିପାଇଁ ଏକତ୍ରିତ ହୋଇପାରୁ ନାହାନ୍ତି ନୂଆଖାଇରେ । ଦ୍ବିତୀୟତଃ ଖାଦ୍ୟର ରୁଚି ମଧ୍ୟ ବଦଳି ଯାଇଛି । ଅତୀତରେ ଯାହା ସବୁ ଖାଦ୍ୟ ତିଆରି ହେଉଥିଲା ତାହା ଶରୀର ପାଇଁ ସୁଷମ ଖାଦ୍ୟ ଯୁକ୍ତ ଥିଲା । କିନ୍ତୁ ଆଜିକାଲି ସବୁ ଅଧିକ ମସଲା ତଥା ତେଲ ଜାତୀୟ ଖାଦ୍ୟ ଲୋକଙ୍କ ରୁଚି ହୋଇଛି । ଯାହା ଶରୀର ପାଇଁ କ୍ଷତିକାରକ । ଏହା ବ୍ୟତୀତ ଆଗ କାଳରେ ଲୋକେ ଖୋଲା ଆକାଶ ତଳେ, ମୁକ୍ତ ବାୟୁରେ ଖେଳ କୁଦ କରୁଥିଲେ ଯାହା ଶରୀର ପାଇଁ ବ୍ୟାୟାମ ରୂପେ କାର୍ଯ୍ୟ କରୁଥିଲା । ଘର ଘର ଯାଇ ବଡମାନଙ୍କୁ ମୁଣ୍ଡିଆ ହୋଇ ନୂଆଖାଇ ଜୁହାର କରି ଆଶୀର୍ବାଦ ନେଉଥିଲେ । ଗାଁମାନଙ୍କରେ ପାଲା, ଦାସକାଠିଆ, ସଂକୀର୍ତ୍ତନ ଆଦି ହେଉଥିଲା । ଯାହା ଛୋଟ ଛୋଟ ପିଲାମାନଙ୍କ ମନରେ ନୈତିକତା ଗୁଣର ବିକାଶ କରୁଥିଲା । କିନ୍ତୁ ଆଜିକାଲି ମୋବାଇଲରେ ନୂଆଖାଇର ବାର୍ତାଟିଏ ପଠେଇ ଦେଇ ବେଶ୍ ଖୁସି ଅନୁଭବ କରୁଛନ୍ତି । ଘର ଘର ଯାଇ ବା ଗାଁ ଦାଣ୍ଡରେ ପାଦ ଛୁଇଁ ପ୍ରଣାମ କରିବା ଆଉ ବିଶେଷ ଦେଖିବାକୁ ମିଳୁନାହିଁ । ଅପର ପକ୍ଷରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ବି ହେଉଛି, କିନ୍ତୁ ଯେଉଁ ସବୁ ନୃତ୍ୟ ଗୀତ ପରିବେଷିତ ହେଉଛି ସେଥିରେ ଅଶ୍ଳୀଳତା ପରିଲକ୍ଷିତ ହେଉଛି। ଯାହା ମଣିଷ ମନରେ ତାମସିକ ଭାବନା ଜାଗ୍ରତ କରୁଛି । ଛୋଟ ଛୋଟ ପିଲାମାନେ ଘରେ ବସି ମୋବାଇଲରେ ଖେଳ ଖେଳୁଛନ୍ତି, ଫଳରେ ବାହ୍ୟ ଜ୍ଞାନର ଘୋର ଅଭାବ ରହିବକ୍ଷ ସହ ଶରୀର ହୃଷ୍ଟ ପୁଷ୍ଟ ହୋଇପାରୁନାହିଁ । ରୋଗ ପ୍ରତିରୋଧକ କ୍ଷମତା କମିଯାଇଛି । ସ୍ବାସ୍ଥ୍ୟ ବେଶୀ ପରିମାଣରେ ଖରାପ ହେଉଛି । କିନ୍ତୁ ଏହି ନୂଆଖାଇ ପର୍ବ ଆଜି ଦେଶ ବିଦେଶରେ ରହୁଥିବା ଅଞ୍ଚଳର ଲୋକେ ଏକତ୍ରିତ ଭାବରେ ପାଳନ କରୁଛନ୍ତି। ଫଳରେ ବିଦେଶୀମାନେ ମଧ୍ୟ ନୂଆଖାଇର ପରମ୍ପରା ବିଷୟରେ ଜାଣୁଛନ୍ତି, ଯାହା ପଶ୍ଚିମ ଓଡ଼ିଶା ପାଇଁ ଏକ ଗର୍ବର କଥା । ଯାହା ବି ହେଉ, ପାଳନରେ ନୂତନତା ହେଉ ବା ପୁରାତନତା, କୋଣ ଅନୁକୋଣରେ ଏହି ପର୍ବର ମାନ୍ୟତା ଆଜି ରହିଛି ଓ ଆଗକୁ ମଧ୍ୟ ରହିବ ଏଥିରେ ସନ୍ଦେହ ନାହିଁ ।

Comments are closed.