୧୮ରେ ଶ୍ରୀମନ୍ଦିର ସୁରକ୍ଷା ଅନୁଧ୍ୟାନ କରିବ ଏନ୍‍ଏସ୍‍ଜି

ପୁରୀ: ଚଳିତ ମାସ ୧୮ତାରିଖ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବ ନ୍ୟାସ୍‍ନାଲ୍‍ ସିକ୍ୟୁରିଟି ଗାର୍ଡ (ଏନ୍‍ଏସ୍‍ଜି)। ଶ୍ରୀମନ୍ଦିର ଭିତରେ ଏବଂ ଚତୁଃପାର୍ଶ୍ବରେ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯିବ। ଏନ୍‍ଏସ୍‍ଜି ମହାନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସୂଚନା ଦିଆଯାଇଛି। ଏନ୍‍ଏସ୍‍ଜିର ତିନି ଜଣ ଅଧିକାରୀ ପୁରୀ ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସେମାନେ ଅନୁଧ୍ୟାନ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ପୁଲିସ ଆଇଜି (ଅପରେସନ୍‍) ଅମିତାଭ ଠାକୁର, ପୁରୀ ଏସ୍‍ପି କନୱର ବିଶାଲ ସିଂ ଏବଂ ଏଏସ୍‍ଆଇ ଅଧୀକ୍ଷକ ଅରୁଣ କୁମାର ମଲିକଙ୍କ ସହ ସେମାନେ ଆଲୋଚନା କରିବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଘରୋଇ କୋଠା ଏବଂ ମଠ ଉଚ୍ଛେଦ ପରେ ଏନ୍‍ଏସ୍‍ଜି ଅଧିକାରୀଙ୍କ ଏହିଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦିର ମେଘନାଦ ପ୍ରାଚୀରକୁ ଲାଗି ରହିଥିବା କୋଠାଗୁଡିକୁ ଉଚ୍ଛେଦ କରିବା ପାଇଁ ଏନ୍‍ଏସ୍‍ଜି ପକ୍ଷରୁ ପୂର୍ବରୁ ପରାମର୍ଶ ଦିଆଯାଇଥିଲା। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ସମ୍ଭାବନା ଥିବାରୁ ପ୍ରତିଷେଧକ ତଥା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି କେନ୍ଦ୍ରୀୟ ସୁରକ୍ଷା ବାହିନୀ। ଏନ୍‍ଏସ୍‍ଜି ଅଧିକାରୀଙ୍କୁ ଆଗାମୀ ୧୮ତାରିଖ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ସମୟରେ ସହଯୋଗ କରିବାପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.