ଏନଆରସି ଓ ସିଏଏ ପରେ ଏବେ ଏନପିଆରକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ; ପଶ୍ଚିମବଙ୍ଗ ଓ କେରଳରେ ବିରୋଧ

ଥିରୁଭାନନ୍ତପୁରମ: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)କୁ ନେଇ ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଏହି ଆଇନକୁ ନେଇ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି। ଏହା ମଧ୍ୟରେ ମୋଦୀ ସରକାର ଜାତୀୟ ଜନସଂଖ୍ୟା ପଞ୍ଜୀକରଣ(ଏନପିଆର) କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ କରିବା ଲାଗି ଗୃହ ମନ୍ତ୍ରଣାଳୟ କେନ୍ଦ୍ର କ୍ୟାବିନେଟକୁ ୩୯୪୧ କୋଟି ଟଙ୍କା ମାଗିଛି। ଦେଶର ସାଧାରଣ ଜନତାଙ୍କ ବ୍ୟାପକ ପରିଚୟକୁ ନେଇ ଡାଟାବେସ୍‌ ପ୍ରସ୍ତୁତ କରିବା ଏନପିଆରର ମୂଳ ଲକ୍ଷ୍ୟ। ଏହି ଡାଟାବେସରେ ଜନସଂଖ୍ୟା ସହିତ ବାୟୋମେଟ୍ରିକ ତଥ୍ୟ ମଧ୍ୟ ଉପଲବ୍ଧ ରହିବ।

କିନ୍ତୁ ସରକାରଙ୍କ ଏହି ଉଦ୍ଦେଶ୍ୟ ସଫଳ ହେବା ସହଜ ନୁହେଁ। କାରଣ ଅଣବିଜେପି ଶାସିତ ରାଜ୍ୟ ସିଏଏ ଏବଂ ଏନଆରସିକୁ ଯେପରି ବିରୋଧ କରୁଛନ୍ତି ସେହିପରି ଏନପିଆର ବାଟ ମଧ୍ୟ ଓଗାଳିବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବି ଏନପିଆର ଉପରେ ଜାରି ରହିଥିବା କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ରାଜ୍ୟ ସରକାର ଏନପିଆରକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏନପିଆର ଜରିଆରେ ଏନଆରସି ଲାଗୁ କରାଯିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

କେରଳ ସରକାର ଶୁକ୍ରବାର ରାତିରେ ଏକ ବିବୃତିରେ କହିଛନ୍ତି, ଏନପିଆର ସହ ଜଡ଼ିତ ସମସ୍ତ ଗତିବିଧି ଉପରେ ରୋକ ଲଗାଇବାକୁ ଆଦେଶ ଦିଆଯାଇଛି। ନାଗରିକତା ଆଇନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଯେଉଁ ଆଶଙ୍କା ପ୍ରକାଶ ପାଇଛିତ ତାହାକୁ ଦୃଷ୍ଟିରେ ରଖି ଏନଆରସିକୁ ଏନପିଆର ସହିତ ଯୋଡ଼ାଯିବାର ସମ୍ଭାବନା ରହିଥିବା ଜଣାପଡ଼ୁଛି। ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ଏନପିଆର କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି।

Comments are closed.