ଟୋକିଓ ଅଲିମ୍ପିକ୍‌ସରୁ ଓହରିଲା ଉତ୍ତର କୋରିଆ

ଟୋକିଓ: ଏଠାରେ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସରୁ ଉତ୍ତର କୋରିଆ ଓହରି ଯାଇଛି । କରୋନା ଭୂତାଣୁ ସଂକ୍ରମଣ ପୁନର୍ବାର ଭୟାବହ ରୂପ ନେଉଥିବାରୁ ଟୋକିଓ ଅଲିମ୍ପିକ୍‌ସରୁ ଓହରି ଯିବାକୁ ନିଷ୍ପତ୍ତି ହୋଇଥିବା ଉତ୍ତର କୋରିଆ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପୂର୍ବରୁ ୧୯୮୮ରେ ମଧ୍ୟ ଦକ୍ଷିଣ କୋରିଆର ସିଓଲ୍‌ରେ ଆୟୋଜିତ ଅଲିମ୍ପିକ୍‌ସରୁ ଉତ୍ତର କୋରିଆ ଓହରି ଯାଇଥିଲା। ଦକ୍ଷିଣ କୋରିଆ ସହ ସଂପର୍କ ଭଲ ନ ଥିବାରୁ ଉତ୍ତର କୋରିଆ ସିଓଲ ଅଲିମ୍ପିକ୍‌ସରୁ ଓହରି ଯାଇଥିଲା। ଉତ୍ତର କୋରିଆ ଟୋକିଓ ଅଲିମ୍ପିକ୍‌ସରୁ ଓହରି ଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌-ଜାଇ-ଇନ୍‌।

ଶୀତଳ ଯୁଦ୍ଧ ଯୋଗୁଁ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ସଂପର୍କ ଭଲ ନ ଥିବା ବେଳେ ଟୋକିଓ ଅଲିମ୍ପିକ୍‌ସରେ ଉତ୍ତର କୋରିଆ ଦଳ ଭାଗ ନେଇଥିଲେ ସେହି ସମୟରେ ସେଠାରେ ଉପସ୍ଥିତ ଏହି ଦଳର ଅଧିକାରୀ ଓ ଦକ୍ଷିଣ କୋରିଆ ଅଧିକାରୀଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇପାରିଥାନ୍ତା ବୋଲି ମୁନ୍‌ କହିଛନ୍ତି। ତେବେ ଉତ୍ତର କୋରିଆ ଟୋକିଓ ଅଲିମ୍ପିକ୍‌ସରୁ ଓହରି ଯାଇଥିବାରୁ ଶାନ୍ତି ଆଲୋଚନାର ସମ୍ଭାବନା ଶେ​‌ଷ ହୋଇଯାଇଥିବା ସେ ଦର୍ଶାଇଛନ୍ତି। ସେହିପରି ୨୦୩୨ରେ ମିଳିତ ଭାବେ ଉତ୍ତର ଓ ଦକ୍ଷିଣ କୋରିଆ ଅଲିମ୍ପିକ୍‌ସ ଆୟୋଜନ ପାଇଁ ଯୋଜନା ରଖିଥିବା ବେଳେ ଟୋକିଓ ଅଲିମ୍ପିକ୍‌ସରୁ ଉତ୍ତର କୋରିଆ ଓହରି ଯିବା ଏହି ମିଳିତ ଆୟୋଜନ ପ୍ରୟାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.