କରୋନା ପ୍ରଭାବ : ସମ୍ବଲପୁରରେ ମିଳୁନି ସାନିଟାଇଜର

ସମ୍ବଲପୁର : ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ଭୂତାଣୁକୁ ରୋକିବା ପାଇଁ ବାରମ୍ବାର ହାତକୁ ସାବୁନ ଓ ସାନିଟାଇଜରରେ ଧୋଇବା ଓ ମାସ୍କ ଲଗାଇବା ପାଇଁ ଜନତାଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି । ଏଣୁ ଏବେ ବଜାରରେ ମାସ୍କ, ସାବୁନ ଓ ସାନିଟାଇଜରର ଚାହିଦା ବହୁ ଗୁଣରେ ବଢ଼ି ଯାଇଛି । ଯାହା ଫଳରେ ବଜାରରେ ବହୁ ଦିନରୁ ସାନିଟାଇଜର ଓ ମାସ୍କର ବ୍ୟାପକ ଅଭାବ ପରିଲକ୍ଷିତ ହେଉଛି । ସାନିଟାଇଜର ଓ ମାସ୍କର ଅଭାବକୁ ଧ୍ୟାନରେ ରଖି ଅସାଧୁ ବ୍ୟବସାୟୀ ମାନେ କଳାବଜାର ଆରମ୍ଭ କରିବାରୁ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସ ଜାରି କରି ମାସ୍କ ଓ ସାନିଟାଇଜରର ଦାମକୁ ନିର୍ଦ୍ଧାରିତ କରିଛନ୍ତି। ଏହି ଦାମରୁ ଅଧିକ ଦାମରେ କେହି ବିକ୍ରି କଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମ୍ବଲପୁର ଜିଲାରେ ସାନିଟାଇଜରର ଅଭାବ ପ୍ରଥମରୁ ହିଁ ଦେଖାଯାଉଛି। ଏହି ଅଭାବକୁ ପୁର୍ଣ୍ଣ କରିବା ପାଇଁ ପ୍ରଶାସନ ମଧ୍ୟ ସଫଳ ହୋଇ ପାରୁ ନାହିଁ ।

ପ୍ରଶାସନ ପକ୍ଷରୁ ଜାରି ଅତ୍ୟାବଶ୍ୟକୀୟ ସାମଗ୍ରୀର ସୂଚୀରେ ସାନିଟାଇଜରକୁ ସ୍ଥାନିତ କରାଯାଇଛି । କିନ୍ତୁ ତାର କୌଣସି ପ୍ରକାରର ଦରଦାମ ଏହି ସୂଚୀରେ ଉଲ୍ଲେଖ୍ୟ କରା ନ ଯାଇ ତାହା ଉପଲବ୍ଧ ନାହିଁ ବୋଲି ଦର୍ଶାଇ ଯାଇଛି । ସାନିଟାଇଜରର ଅଭାବ ପୂର୍ବରୁ ପରିଲକ୍ଷିତ ହେଉଥିବା ବେଳେ ଏବେ ନିଜେ ଖୋଦ ଜିଲା ପ୍ରଶାସନ ମଧ୍ୟ ପରୋକ୍ଷରେ ହେଉ ପଛେ ସମ୍ବଲପୁର ବଜାରରେ ସାନିଟାଇଜର ଉପଲବ୍ଧ ନ ଥିବାର ସ୍ବୀକାର କରୁଛି । ସରକାର ସାନିଟାଇଜରର ଦର ନିର୍ଦ୍ଧାରିତ କରି ଜନତାଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲା ପ୍ରଶାସନ ଏହି ନିର୍ଦ୍ଦେଶକୁ ପ୍ରକୃତ କ୍ଷେତ୍ରରେ କାର୍ଯ୍ୟକାରୀ କରିବାରେ ସଫଳ ହୋଇ ନ ଥିବାର ଦେଖାଯାଉଛି । ଏହା ସହିତ ରାଜ୍ୟରେ ପ୍ରଥମ ଘଟଣାରେ ସମ୍ବଲପୁର ଠାରୁ ହିଁ ନକଲି ସାନିଟାଇଜର ଧରା ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ସେହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Comments are closed.