ଟାଟା ସନ୍ସ ବୋର୍ଡରେ ଯୋଗଦେବେ ନୋଏଲ ଟାଟା

ରତନ ଟାଟାଙ୍କ ସାବତ ଭାଇ ନୋଏଲ

ମୁମ୍ବଇ: ଟାଟା ଗ୍ରୁପ୍‍ କହିଲେ ସମସ୍ତେ ରତନ ଟାଟାଙ୍କୁ ଜାଣନ୍ତି। କିନ୍ତୁ ତାଙ୍କର ଜଣେ ସାବତ ଭାଇ ନୋଏଲ ଟାଟା ଅଛନ୍ତି, ଏହା କ୍ୱଚିତ ଲୋକ ଜାଣନ୍ତି। ଟାଟା ସନ୍ସ ବୋର୍ଡରେ ନୋଏଲ ଟାଟା ଯୋଗଦେବା ଖବର ପ୍ରସାରତ ହେବାପରେ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ଟାଟା ସନ୍ସ ହେଉଛି ଟାଟା ଗ୍ରୁପ୍‍ ଅଧୀନରେ ଥିବା ସମସ୍ତ କମ୍ପାନୀର ହୋଲଡିଂ କମ୍ପାନୀ। ୬୩ ବର୍ଷ ବୟସ୍କ ନୋଏଲ ଟାଟା ହେଉଛନ୍ତି ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କର ସାବତ ଭାଇ। ତାଙ୍କ ସମ୍ପର୍କରେ କେବଳ କମ୍ପାନୀର କିଛି ଲୋକ ଜାଣନ୍ତି। ଅନ୍ୟପକ୍ଷରେ ରତନ ଟାଟା ସମୁଦାୟ ଟାଟା ସାମ୍ରାଜ୍ୟର ବ୍ୟକ୍ତିତ୍ୱ ଭାବରେ ପରିଚିତ ହୋଇଆସିଛନ୍ତି। ଏପରିକି ଗ୍ରୁପ୍‍ର ଅଧ୍ୟକ୍ଷ ପଦରୁ ଅବସନ ନେବାପରେ ମଧ୍ୟ ସେ ପୂର୍ବଭଳି ଚର୍ଚ୍ଚିତ ହୋଇ ରହିଛନ୍ତି।
ତେବେ ରତନ ଓ ନୋଏଲଙ୍କ ମଧ୍ୟରେ ସମ୍ପର୍କ ଅନେକଙ୍କ ପାଇଁ ଅଜଣା। ନୋଏଲ ହେଉଛନ୍ତି ରତନଙ୍କ ସାବତ ଭାଇ। ରତନ ଟାଟାଙ୍କ ବାପା ଥିଲେ ନୱଲ ଟାଟା। ନୱଲଙ୍କୁ ଏକ ଅନାଥାଶ୍ରମରୁ ରତନଜୀ ଟାଟା ଏବଂ ନୱାବାଇ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ। ନୱଲ ବଡ ହେବାପରେ ସୁନୁ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇ ପୁଅ ଜନ୍ମ ହୋଇଥିଲେ। ସାନପୁଅର ନାମକୁ ସେ ଜିମ୍ମି ରଖିଥିବାବେଳେ ବଡ ପୁଅର ନାମ ନିଜ ବାପାଙ୍କ ନାମ ଅନୁସାରେ ରତନ ରଖିଥିଲେ। ୧୯୪୦ ଦଶକ ମଧ୍ୟଭାଗରେ ନୱଲ ଏବଂ ସୁନୁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଲା ଏବଂ ତାହାର ଦଶବର୍ଷ ପରେ ନଓ୍‍ବଲ ସିମନ ନାମକ ଜଣେ ମହିଳାଙ୍କୁ ବିବାହ କଲେ। ସିମନ୍‍ ଜଣେ ସ୍ୱିଜରଲାଣ୍ଡ ନାଗରିକ ଥିଲେ ଏବଂ ସେ ଭାରତକୁ ଆସିବା ସମୟରେ ନୱଲଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ନୱଏ ଏବଂ ସିମନଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା। ଏହିଭଳି ଭାବରେ ନୋଏଲ ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ।
ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ, ନୋଏଲ କଣ କରୁଛନ୍ତି। ନୋଏଲ ତାଙ୍କ ସାବତ ଭାଇ ରତନଙ୍କ ଭଳି ସବୁବେଳେ ଚର୍ଚ୍ଚାରେ ରହିନଥିଲେ ମଧ୍ୟ ଟାଟା ଗ୍ରୁପ୍‍ର ଅନେକ କମ୍ପାନୀରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସେ ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନର ଅଧ୍ୟକ୍ଷ, ଟାଇଟାନ ଇଣ୍ଡଷ୍ଟ୍ରିଜର ଉପାଧ୍ୟକ୍ଷ, ୱେଷ୍ଟସାଇଡର ମାଲିକାନା କମ୍ପାନୀ ଟ୍ରେଣ୍ଟର ଅଧ୍ୟକ୍ଷ, ଟାଟା ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ ରହିଛନ୍ତି। ସସେକ୍ସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ନୋଏଲ ଟାଟା ମଧ୍ୟ ଫ୍ରାନ୍ସର ସମ୍ମାନଜନକ ସ୍କୁଲ ଆଇଏନଏସଇଏଡିରେ ଇଣ୍ଟରନ୍ୟାସନାଲ ଏକଜିକ୍ୟୁଟିଭ ପ୍ରୋଗ୍ରାମ ଅଧ୍ୟୟନ କରିଛନ୍ତି। ସେ ଟାଟା ଇଣ୍ଟରନ୍ୟାସନାଲରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି କମ୍ପାନୀ ଟାଟା ଗ୍ରୁପର ବିଦେଶୀ ବ୍ୟବସାୟ ଦେଖାଶୁଣା କରିଥାଏ। ପରେ ସେ ତାଙ୍କ ମାନ’ ସିମନଙ୍କ ଦ୍ୱାରା ସ୍ଥାପିତ କମ୍ପାନୀ ଟ୍ରେଣ୍ଟର ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୋଷାକ ରିଟେଲ ଷ୍ଟୋର ୱେଷ୍ଟସାଇଡର ମୂଳ କମ୍ପାନୀ। ସେ ଟାଇଟାନ ଇଣ୍ଡଷ୍ଟ୍ରିଜ ଏବଂ ଭୋଲଟାସର ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଥିଲେ। ନୋଏଲ ଟାଟା ୨୦୧୦ରେ ଟାଟା ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ ହେବେ। ରତନଙ୍କ ସ୍ଥାନ ସେ ନେବେ ବୋଲି ଚର୍ଚ୍ଚା ଚାଲିଥିବାବେଳେ ନୋଏଲଙ୍କ ଶାଳକ ସାଇରସ ମିସ୍ତ୍ରୀ ସେଠାରେ ଅବସ୍ଥାପିତ ହୋଇଥିଲେ। ସାଇରସ୍‍ ହେଉଛନ୍ତି ନୋଏଲଙ୍କ ପତ୍ନୀ ଆଲୁ ମିସ୍ତ୍ରୀଙ୍କ ଭାଇ। ସାଇରସଙ୍କ ବାପା ପାଲୋନଜୀ ମିସ୍ତ୍ରୀ ହେଉଛନ୍ତି ଟାଟା ସନ୍ସର ଏକକ ସର୍ବବୃହତ ଅଂଶୀଦାର। ତେବେ ପାଞ୍ଚବର୍ଷ ପରେ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ସାଇରସଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଟିସିଏସର ପୂର୍ବତନ ମୁଖ୍ୟ ନଟରାଜନ ଚନ୍ଦ୍ରଶେଖରନଙ୍କୁ ଦାୟିତ୍ୱ ଦିଆଯାଇଥିଲା।

Comments are closed.