ରୋଜଗାର ଚିନ୍ତାରେ ମୂର୍ତ୍ତି କାରିଗର, ବିକ୍ରି ହେଉନି ଭାଲୁକୁଣୀ ମୂର୍ତ୍ତୀ

ବାଙ୍କୀ: କୋଭିଡ-୧୯ ପ୍ରଭାବରେ ଦୀର୍ଘ ଦିନ ଧରି ବଜାର ବନ୍ଦ ରହିବା ଏବଂ କୋଭିଡ କଟକଣା କଡାକଡି ଥିବା ହେତୁ ବାଙ୍କୀ ଅଂଚଳର ମୂର୍ତ୍ତୀ କାରିଗର ଏବେ ଦୁର୍ଦିନରେ। ରୋଜଗାର ହରାଇ ପରିବାର ପ୍ରତି ପୋଷଣ ଚିନ୍ତାରେ। ଦୀର୍ଘ ୭୦ବର୍ଷରୁ ଉର୍ଦ୍ଧ କାଳ ଧରି ବାଙ୍କୀ ଚର୍ଚ୍ଚିକା ଗାଁର ସ୍ୱର୍ଗତଃ ଇନ୍ଦ୍ରମଣି ସାହୁଙ୍କ ପରିବାର ମାଟିର ମୂର୍ତ୍ତୀ ନିର୍ମାଣ କରି ପରିବାର ପାଇଁ ରୋଜଗାର ଯୋଗାଡ କରିଥିଲେ। ବାପାଙ୍କ ଠାରୁ ପୁଅ ଗଦାଧର ସାହୁ ଏବଂ ପଠାଣି ସାହୁଙ୍କ ପରିବାର ମଧ୍ୟ ମୂର୍ତ୍ତିକଳା ଶିକ୍ଷା କରି ବଜାରରେ ଗଣେଷ,ସରସ୍ୱତୀ ଓ ଭାଲୁକୁଣୀ ମୂର୍ତ୍ତୀ ତିଆରି କରି ବିକୁଥିଲା ବେଳେ ଗଜଲକ୍ଷ୍ମୀ ପୂଜା ସମୟରେ ମଧ୍ୟ ଗଜଲକ୍ଷ୍ମୀ ନିର୍ମାଣ କରି ଅଂଚଳରେ ବେଶ ପରିଚିତ ଥିଲେ। ଗାଁ ଗଣ୍ଡାରେ ଗଣେଶ ପୂଜା ହେଉ ଅବା ସରସ୍ୱତୀ ପୂଜା ହେଉ କିମ୍ବା ଭାଦ୍ରବ ମାସର ଖୁଦୁରୀକୁଣୀ ଓଷା ପାଇଁ ଭାଲୁକୁଣି ମୂର୍ତ୍ତୀ କିଣିବା ପାଇଁ ପଠାଣି ଓ ଗଦାଧରଙ୍କ ପାଖରେ ଭିଡ ଜମୁଥିଲା।

ହେଲେ କୋଭିଡ ପ୍ରଭାବରେ ନିର୍ମାଣ ହୋଇଥିବା ମୂର୍ତ୍ତୀ କିଣିବା ପାଇଁ ଗରାଖଙ୍କର ଭିଡ ନଥିବା ଦେଖିବାକୁ ମିଳିଛି। ଛୋଟ ବଡ କରି ୩୦୦ ରୁ ଅଧିକ ଭାଲୁକୁଣୀ ମୂର୍ତ୍ତୀ ପ୍ରସ୍ତୁତୀ ଶେଷ ହୋଇଥିଲେ ମଧ୍ୟ ଗ୍ରାହକଙ୍କର ଆଗମନ ନଥିବା କହିଛନ୍ତି ଗଦାଧର। ଦୋକାନ ଆଗରେ ଧାଡି ଧାଡି ଭାଲୁକୁଣୀ। ବିଗତ ବର୍ଷରେ ୧୫୦ ରୁ ୨୦୦ଟଙ୍କାରେ ବିକ୍ରି କରାଯାଉଥିବା ଭାଲୁକୁଣୀ ମୂର୍ତ୍ତୀକୁ ବାଧ୍ୟ ହୋଇ ଶସ୍ତା ଦରରେ ନବିକିଲେ ରଙ୍ଗ ଓ ମାଟି ଖର୍ଚ୍ଚ ଓଠିବ ନାହିଁ ବୋଲି କହିଛନ୍ତି। ପାରିଶ୍ରମିକ ପାଇବାର ଆଶା ନାହିଁ। ପାରମ୍ପରିକତାକୁ ବଞ୍ଚାଇ ରଖିଥିବା କହିଛନ୍ତି। ୩ ଦିନ ପରେ ରବିବାର ପ୍ରଥମ ପାଳି ଖୁଦୁରୁକୁଣୀ। ଶନି ଓ ରବି ସଟ୍‍ ଡାଉନ ପ୍ରଭାବ ହେତୁ ବନ୍ଦ। ମାତ୍ର ଗୁରୁ ଓ ଶୁକ୍ର ୨ଦିନର ବ୍ୟବସାୟରେ ମୂର୍ତ୍ତୀ ବିକ୍ରି ହେବା ନେଇ ଆଶା ହରାଇଛନ୍ତି ମୂର୍ତ୍ତୀ ଶିଳ୍ପୀ।

Comments are closed.