ଶବକୁ ମନା ସ୍ୱର୍ଗଦ୍ୱାର, କଟକଣା ଜାରି କଲେ ପୁରୀ ଜିଲ୍ଲାପାଳ

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଆସନ୍ତା କିଛି ଦିନ ଯାଏଁ ଶବ ଦାହ ଉପରେ କଟକଣା ଜାରି କରାଯାଇଛି। ଏ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି। ସେ କହିଛନ୍ତି ଯେ ପୁରୀ ସ୍ୱର୍ଗଦ୍ୱାରରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶବ ସତ୍କାର ପାଇଁ ଲୋକମାନେ ଆସିଥାନ୍ତି ଏବଂ ଏହାକୁ ନେଇ ମଧ୍ୟ ଆଧ୍ୟାତ୍ମିକ ବିଶ୍ୱାସ ରହିଛି ଓ ମହୋଦଧିରେ ଅସ୍ଥି ଵିସର୍ଜନାର ପରମ୍ପରା ରହିଛି କିନ୍ତୁ ବର୍ତ୍ତମାନ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନ କରିବାକୁ କୁହାଯାଇଛି। ଆସନ୍ତାକାଲି ଠାରୁ ଅର୍ଥାତ ଜୁଲାଇ ୮ରୁ ଏହି କଟକଣା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେ କହିଛନ୍ତି ଯେ ମୃତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ କି ନାହିଁ ଓ ଶବ ସତ୍କାର ପାଇଁ ଆସୁଥିବା ସମ୍ପର୍କୀୟମାନେ କେଉଁ ପରିସ୍ଥିତିରେ ଅଛନ୍ତି ତାହା ଜାଣିବା ସମ୍ଭବ ନୁହେଁ ଏବଂ ସମସ୍ତେ ସେଠାରେ ଏକତ୍ରିତ ହେବା ଫଳରେ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଅଧିକ ଥିବାରୁ ପୁରୀ ଜିଲ୍ଲା ବାହାରୁ ସ୍ୱର୍ଗଦ୍ୱାରରେ କୌଣସି ଶବ ସତ୍କାର ପାଇଁ ଅନୁମତି ଦିଆଯିବ ନାହିଁ। ଜିଲ୍ଲାପାଳ ଏ ନେଇ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିନମ୍ର ନିବେଦନ କରିଛନ୍ତି।

Comments are closed.