ମୁମ୍ବଇ ସମାବେଶ ପାଇଁ ଓୱେସିଙ୍କୁ ଅନୁମତି ମିଳିଲା ନାହିଁ

ମୁମ୍ବଇ: ମହାରାଷ୍ଟ୍ରରେ ମୁସଲମାନଙ୍କ ପାଇଁ ସଂରକ୍ଷଣ ଦାବିରେ ମୁମ୍ବଇରେ ଏକ ସମାବେଶ ଆୟୋଜନ କରିବାକୁ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦ ମୁସଲିମିନ (ଏଆଇଏମଆଇଏମ) ସଭାପତି ଆସାଦୁଦ୍ଦିନ ଓୱେସିଙ୍କୁ ଅନୁମତି ମିଳିଲା ନାହିଁ । ଚଳିତ ମାସ ୨୭ ତାରିଖରେ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏହି ସମାବେଶ ଆୟୋଜିତ ହେବାର ଥିଲା । ତେବେ କୋଭିଡ ମହାମାରୀ ଏବଂ ସେଥିପାଇଁ ଜାରି କରାଯାଇଥିବା କଟକଣା କାରଣରୁ ସମାବେଶ ପାଇଁ ଓୱେସିଙ୍କୁ ଅନୁମତି ଦେବାକୁ ମନା କରିଦେଇଛି ମୁମ୍ବଇ ପୁଲିସ । ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଭିଡ-୧୯ ମହାମାରୀ କାରଣରୁ ମୁମ୍ବଇ ମେଟ୍ରୋପଲିଟାନ ଅଞ୍ଚଳ ମଧ୍ୟରେ ସମସ୍ତ ପ୍ରକାର ସମାବେଶକୁ ନିଷେଧ କରାଯାଇଛି । ତାହାଛଡା ନିକଟରେ ରାଜ୍ୟର କେତେକ ଜିଲାରେ ଜନସାଧାରଣ ବିକ୍ଷୋଭ ଆଳରେ ହିଂସାକାଣ୍ଡ ଘଟାଇଛନ୍ତି ।
ମହାରାଷ୍ଟ୍ରରେ ମୁସଲମାନଙ୍କର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ପରେ ଗତ ୧୮ ତାରିଖରେ ଓୱେସି ସାମ୍ବାଦିକମାନଙ୍କୁ କହିଥିଲେ ଯେ ମୁସଲମାନ ସଂପ୍ରଦାୟର ୫୦ଟି ଜାତିଙ୍କୁ ସଂରକ୍ଷଣ ଦିଆଯିବା ଉଚିତ ବୋଲି ଅଦାଲତ ସ୍ୱୀକାର କରିଛନ୍ତି । ତେବେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମରାଠା ସମୁଦାୟଙ୍କୁ ସମର୍ଥନ କରୁଥିବାବେଳେ କେହି ମୁସଲମାନଙ୍କ ପାଇଁ ସଂରକ୍ଷଣ ବିଷୟରେ କହୁନାହାନ୍ତି । ସେଥିପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଏକ ସମାବେଶ ଆୟୋଜନ କରାଯିବ ବୋଲି ସେ ଘୋଷଣା କରିଥିଲେ । ଏହି ଅବସରରେ ସେ ଏହା ମଧ୍ୟ କହିଥିଲେ ଯେ ମହାରାଷ୍ଟ୍ରରେ ମରାଠା ସମୁଦାୟ ଦୀର୍ଘଦିନ ହେଲା ନୀରବ ରହିଛନ୍ତି । ସେମାନେ ମଧ୍ୟ ସଂରକ୍ଷଣ ପାଇଁ ବିରୋଧ କରିବା ଆବଶ୍ୟକ ଏବଂ ସେମାନଙ୍କୁ ଏଆଇଏମଆଇଏମ ସମର୍ଥନ କରିବ ।

Comments are closed.