ଶିଳ୍ପ ନଗରୀରେ ସ୍ଥାନୀୟଙ୍କୁ ମିଳୁନି ନିଯୁକ୍ତି

ଭିଟାମାଟି ଛାଡୁଛନ୍ତି ବାଳ ଶ୍ରମିକ,ହଜାରେରୁ ଊର୍ଦ୍ଧ୍ବ ଶ୍ରମିକ ଏବେ ବେକାର

ସୁକିନ୍ଦା : ଯାଜପୁର ଜିଲାରେ ଜାରି ରହିଛି ଶିଳ୍ପର ମହାକୁମ୍ଭ। ଏଠାରେ ମାଳ ମାଳ କାରଖାନା ସତ୍ତ୍ବେ ସ୍ଥାନୀୟ ଲୋକେ ନିଯୁକ୍ତିରୁ ବଞ୍ଚିତ। ଶିଳ୍ପ ନଗରୀରେ ସ୍ଥାନୀୟଙ୍କୁ ରୋଜଗାର ମିଳୁ ନ ଥିବାରୁ ପେଟକୁ ଗ​‌େ​‌ଣ୍ଡେ ଦାନା ପାଇଁ ସେମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ା ଦୁଇ ଦିନ ତଳେ ଶିଳ୍ପ ଓ ଖଣି ଖାଦାନରେ ଭରା ସୁକିନ୍ଦା ଅଞ୍ଚଳର କିଛି ବାଳ ଶ୍ରମିକ ଓ ଯୁବକଯୁବତୀ ଦାଦନ ଖଟିବା ନିମନ୍ତେ ନିଜର ଭିଟା ମାଟି ଛାଡିଥିବା ଜଣାପଡ଼ିଛି। ସୂଚନା ମୁତାବକ ଗତ ୨୨ ତାରିଖରେ ସୁକିନ୍ଦା ନିକଟରୁ ଏକ ଗାଡିରେ ତାମିଲନାଡୁ ଚାଲାଣ ହେଉଥିବା ୬୮ ଦାଦନ ଶ୍ରମିକଙ୍କ ମଧ୍ୟରୁ ୧୬ ଜଣ ବାଳ ଶ୍ରମିକ ରହିଥିଲେ।
ସୂଚନା ଅନୁଯାୟୀ ଯାଜପୁର ଜିଲାରେ ସରକାରୀ ପଞ୍ଜିକୃତ ୧୫ଟି ବୃହତ ଶିଳ୍ପ ଥିବା ବେଳେ ୧୪ଟି ମଧ୍ୟମ ଓ ୨,୩୧୬ଟି କ୍ଷୁଦ୍ର ଶିଳ୍ପ ରହିଛି। ସେଥିମଧ୍ୟରୁ ୮୦ ପ୍ରତିଶତ ସଂସ୍ଥାନ କଳିଙ୍ଗନଗର ଓ ଖଣି ଅଞ୍ଚଳରେ ଅବସ୍ଥିତ। ଏହି ସମସ୍ତ ଶିଳ୍ପ ସମେତ ଖଣି ଖାଦାନରେ ଲକ୍ଷାଧିକ ନିଯୁକ୍ତିର ଭରପୂର ସୁଯୋଗ ରହିଛି। ସଠିକ ଭାବରେ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ସୁଯୋଗ ମିଳିଲେ ସୁକିନ୍ଦା ଅଞ୍ଚଳ ସମେତ ଯାଜପୁର ଜିଲାରେ ବେରୋଜଗାର ହ୍ରାସ ପାଇପାରନ୍ତା। ସରକାରଙ୍କ ସହିତ ଶିଳ୍ପ କାରଖାନାଗୁଡିକ କରିଥିବା ଏମଓୟୁ ଅନୁଯାୟୀ ୯୦ ପ୍ରତିଶତ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀ, ୬୦ ପ୍ରତିଶତ କୁଶଳୀ ଏବଂ ୩୦ ପ୍ରତିଶତ ଅଧିକାରୀଙ୍କ ନିଯୁକ୍ତି ସ୍ଥାନୀୟ ଜନସାଧାରଣଙ୍କୁ ମିଳିବା ଆବଶ୍ୟକ। କାଗଜପତ୍ରରେ ସମସ୍ତ କାରଖାନା ଏବଂ ଖଣି କର୍ତ୍ତୃପକ୍ଷ ଏହି ସରକାରୀ ନିର୍ଦେଶକୁ ମାନିଥିବା ଦର୍ଶାଇଛନ୍ତି। ତେବେ ବାସ୍ତବରେ ଏହି ନିଯୁକ୍ତି ସମଗ୍ର ଓଡିଶାକୁ ସ୍ଥାନୀୟ ବୋଲି ଧରାଯାଇଛି। ୨୦୨୦/୨୧ରେ ବିଭିନ୍ନ କ୍ଷେତ୍ରରେ ସୁକିନ୍ଦା ଅଞ୍ଚଳର ୨,୭୫୭୭ ଜଣ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣ କୁଶଳୀ ଭାବରେ କାର୍ଯ୍ୟ କରୁଥିବା ବେଳେ ୫,୦୪୩ ଜଣ କୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଘରୋଇ ଶ୍ରମିକ ଭାବରେ ୩,୩୭୪ ଜଣ କାର୍ଯ୍ୟ କରୁଛନ୍ତି। ତେବେ ବାସ୍ତବରେ ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କାର୍ଯ୍ୟରୁ ବହିଷ୍କାର ଅବା ଶିଳ୍ପ ବନ୍ଦ ହୋଇଯିବା କାରଣରୁ ବେରୋଜଗାର ହୋଇ ରାଜ୍ୟ ବାହାରକୁ ଦାଦନ ଖଟିକୁ ଯାଇଛନ୍ତି। ସେହିପରି ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ହଜାରେ ଊର୍ଦ୍ଧ୍ବ ଶ୍ରମିକ ଏବେ ବେକାର ହୋଇପଡିଛନ୍ତି। କାରଣ ଏକାଧିକ କମ୍ପାନୀ ଖଣି ଲିଜ ସମାପ୍ତ ହେବାପରେ ସେମାନଙ୍କ ସ୍ଥାନରେ ନୂତନ କମ୍ପାନୀ ଲିଜ ପାଇଛନ୍ତି। ଏମାନେ ଅଧିକ ଟଙ୍କାରେ ନିଲାମ ନେଇ ସେହି କ୍ଷତିର ଭରଣା କରିବା ପାଇଁ ଯନ୍ତ୍ର ଦ୍ୱାରା କାର୍ଯ୍ୟ କରିବା ସପକ୍ଷରେ ଅଛନ୍ତି । ତେଣୁ ସେମାନେ ଅନେକ ଶ୍ରମିକଙ୍କୁ ହଟାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସେମାନେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ବି କର୍ଣ୍ଣପାତ କରିନଥିଲେ ବୋଲି କ୍ଷୋଭର ସହ କହିଛନ୍ତି । ଆହୁରି ମଧ୍ୟ ମନରେଗା ଭଳି ଯୋଜନାରେ ସରକାର ଗରିବ ଖଟିଖିଆଙ୍କୁ ଶହେ ଦିନର କାର୍ଯ୍ୟ ପ୍ରଦାନକରିବା ନିମନ୍ତେ ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟ ଗୁଡିକ ମେସିନରେ କାମ ହେଉଛି।
ଶିଳ୍ପ ସମୃଦ୍ଧ ତଥା ଖଣି ଖାଦାନ ଭରା ସୁକିନ୍ଦା ଅଞ୍ଚଳରେ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ବହୁ କର୍ମଚାରୀ ଓଡିଶା ବାହାରୁ ଆସି କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଜନସାଧାରଣ ସରକାରୀ ଅବହେଳାର ଶିକାର ହେଉଛନ୍ତି। ଏଥିପ୍ରତି ଯଥାଶୀଘ୍ର ଦୃଷ୍ଟି ପ୍ରଦାନ କରାନଗଲେ ଆଗାମୀ ଦିନରେ ସରକାରଙ୍କ ଦ୍ୱାରା ‘ଗାଁକୁ କାମ’ ନାରା କେବଳ ନାରାରେ ହିଁ ସୀମିତ ରହିଯିବ ବୋଲି ଆଲେଶଚନା ହେଉଛି।

Comments are closed.