ବିଦ୍ୟୁତ ସଂଯୋଗ ନାହିଁ, ବିଲ୍‍ ଆସୁଛି

ଖପ୍ରାଖୋଲ: ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବିପିଏଲ୍‍ ଲାଇନର ବ୍ୟବସ୍ଥା କରିଛନ୍ତି। ମାତ୍ର କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇ ନଥିଲେ ମଧ୍ୟ ବିଦ୍ୟୁତ ବିଲ ଆସୁଥିବା ନେଇ ଅଭିଯୋଗ ହୋଇଛି।

ଖପ୍ରାଖୋଲ ଗ୍ରାମର ନେପାଲ ଗଡତ୍ୟାଙ୍କ ଘରକୁ ବିପିଏଲ୍‍ ଲାଇନ୍‍ ସଂଯୋଗୀକରଣ ହୋଇ ନଥିବା ବେଳେ ତାଙ୍କ ନିକଟକୁ ବିଲ୍‍ ଆସିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନା ମତେ ନେପାଲ ଗଡତ୍ୟା ତାଙ୍କ ଘରକୁ ବିପିଏଲ୍‍ ଲାଇନ ନେବା ନିମନ୍ତେ ଆବେଦନ କରିଥିବା ଜଣାପଡ଼ିଛି। ଏଥିପାଇଁ ସାତମାସ ପୂର୍ବେ ତାଙ୍କ ଘରେ ଠିକା ସଂସ୍ଥା ପକ୍ଷରୁ ମିଟର ବସାଯାଇଥିଲା। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ଘରକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ମାତ୍ର ଡିସେମ୍ବର ମାସର ବିଦ୍ୟୁତ ବିଲ ୨୬୫ ଟଙ୍କା ଆସିଥିବା ବେଳେ ୩୧ ଜାନୁୟାରୀ ସୁଦ୍ଧା ଏହି ବିଲ ପୈଠ କରିବାକୁ ବିଲରେ ଉଲ୍ଲେଖ କରାଯାଇଛି। ଘରକୁ ବିଦ୍ୟୁତ ସଂଯୋଗ ହୋଇ ନଥିବା ବେଳେ ବିଲ୍‍ କିପରି ଆସିଲା ଏହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ଏ ନେଇ ଖପ୍ରାଖୋଲ ବିଦ୍ୟୁତ ବିଭାଗ ସେକ୍‍ସନ ଅଫିସର ପବିତ୍ର ବିଶ୍ୱାଳଙ୍କୁ ପଚାରିବାରୁ ଯଦି ତ୍ରୁଟି ହୋଇଥାଏ ତେବେ ଆମେ ସଂଶୋଧନ କରିଦେବୁ ବୋଲି କହିଛନ୍ତି।

Comments are closed.