ସିଏଜି ବିବରଣୀ : ୧୯ ବ୍ଲକରେ ନାହିଁ ମହାବିଦ୍ୟାଳୟ

୧୯୯୧ରୁ ପ୍ରତିଷ୍ଠା ହୋଇନି ସରକାରୀ ମହାବିଦ୍ୟାଳୟ

-୨୬୩ ବ୍ଲକରେ କେବଳ ବେସରକାରୀ ମହାବିଦ୍ୟାଳୟ
-୧୫ ବ୍ଲକରେ କୌଣସି ଡିଗ୍ରୀ ମହାବିଦ୍ୟାଳୟ ନାହିଁ
-ରାଜ୍ୟରେ ଜାତୀୟହାରଠାରୁ ଲିଙ୍ଗଗତ ସମାନତା କମ

ଭୁବନେଶ୍ବର : ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୩୨ଟି ବ୍ଲକରେ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଥିବାବେଳେ ୧୯ ବ୍ଲକରେ ଗୋଟିଏ ହେଲେ ମହାବିଦ୍ୟାଳୟ ନାହିଁ। ୧୯୯୧ ମସିହା ଓଡ଼ିଶା ଶିକ୍ଷା ପ୍ରତିଷ୍ଠା, ସ୍ବୀକୃତି ଏବଂ ବେସରକାରୀ ମହାବିଦ୍ୟାଳୟ ନିୟମ(ଜିଆଇ) ଅନୁଯାୟୀ ପ୍ରତି ବ୍ଲକ, ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳରେ ନୂତନ ମହାବିଦ୍ୟାଳୟ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଷ୍ଟର ପ୍ଳାନ ପ୍ରସ୍ତୁତି କରାଯିବା ବ୍ୟବସ୍ଥା ରହିଥିଲା। ହେଲେ ନୂତନ ମହାବିଦ୍ୟାଳୟ ଖୋଲିବା ପାଇଁ ବିଭାଗ ପକ୍ଷରୁ କୌଣସି ଯୋଜନା ପ୍ରସ୍ତୁତ କରାଗଲା ନାହିଁ। ୧୯୯୧ ପରେ ଗୋଟିଏ ହେଲେ ସରକାରୀ ମହାବିଦ୍ୟାଳୟ ରାଜ୍ୟରେ ପ୍ରତିଷ୍ଠା କରାଯାଇ ନାହିଁ। ଦୀର୍ଘ ବର୍ଷର ବ୍ୟବଧାନ ପରେ ୨୦୧୬-୧୭ ବର୍ଷରେ ରାଜ୍ୟରେ ଶିକ୍ଷାଗତ ପଛୁଆ ଜିଲାରେ ୮ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ବିବରଣୀରେ ଏହି ତଥ୍ୟ ପ୍ରକାଶ ପାଇଛି।
୧୯୯୧ ଜିଆଇ ନିୟମ ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ପ୍ରତିବର୍ଷ ବ୍ଲକ, ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳଗୁଡିକୁ ତାଲିକାଭୁକ୍ତ କରି ଯେଉଁଠାରେ କୌଣସି ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ନଥିବ ଏବଂ ନୂତନ ମହାବିଦ୍ୟାଳୟ ପ୍ରତିଷ୍ଠା ଆବଶ୍ୟକ ଥିବ ସେଠାରେ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା ତିଆରି କରାଯିବାର ବ୍ୟବସ୍ଥା ରହିଛି। ସମୀକ୍ଷା (ଅଡିଟ)ରୁ ଜଣାପଡିଛି ଯେ, ୨୦୧୮-୧୯ ସୁଦ୍ଧା ଝାରସୁଗୁଡା, ଜଗତସଂିହପୁର ଓ କେନ୍ଦ୍ରାପଡା ଜିଲା ସରକାରୀ ମହାବିଦ୍ୟାଳୟରୁ ବଞ୍ଚିତ। ଗ୍ରାମାଞ୍ଚଳର ୪୯ ସରକାରୀ ମହାବିଦ୍ୟାଳୟ ମଧ୍ୟରୁ ୬ଟି କାର୍ଯ୍ୟକ୍ଷମ ଥିଲା। ଉଚ୍ଚଶିକ୍ଷା ଅନୁଷ୍ଠାନ ବ୍ଲକ ଭିତ୍ତିକ ଆବଶ୍ୟକତାକୁ ଆକଳନ ପାଇଁ ବିଭାଗ କୌଣସି ଭୌଗୋଳିକ ନିର୍ଦ୍ଧାରଣ କରି ନଥିଲା। ବ୍ଲକଗୁଡିକରେ ସରକାରୀ ମହାବିଦ୍ୟାଳୟ ବଣ୍ଟନ ଅସମାନ ରହିଛି। ଯେଉଁ ୧୯ ବ୍ଲକରେ ମହାବିଦ୍ୟାଳୟ ନାହିଁ ୨୦୧୮ ଜାନୁଆରୀରେ ନୀତି ଆୟୋଗ ଦ୍ବାରା ଚିହ୍ନିତ ୬ଟି ଉଚ୍ଚାକାଂକ୍ଷୀ ଜିଲାର ୧୩ଟି ବ୍ଲକ ସେଥିରେ ଅନ୍ତର୍ଭୁକ୍ତ। ୨୬୩ ବ୍ଲକରେ କେବଳ ବେସରକାରୀ ମହାବିଦ୍ୟାଳୟ ଶିକ୍ଷାଦାନ କରୁଛି। ଏସବୁ ବ୍ଲକଗୁଡିକରେ ଛାତ୍ରଛାତ୍ରୀ ସରକାରୀ ମହାବିଦ୍ୟାଳୟରୁ ସୁଲଭ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବେସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ନିର୍ଭରଶୀଳ। ଫଳସ୍ବରୂପ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ଛାତ୍ରଛାତ୍ରୀଙ୍କ ପାଖରୁ ଅଧିକ ଫି ଆଦାୟ କରୁଥିବା ସିଏଜି ବିବରଣୀରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ ୨୦୧୧-୧୯ ମସିହା ମଧ୍ୟରେ ରାଜ୍ୟରେ ମହାବିଦ୍ୟାଳୟ ସାନ୍ଦ୍ରତା ୨୩ରେ ହିଁ ସୀମିତ ରହିଛି।
ସିଏଜିଙ୍କ ବିବରଣୀ ୨୦୧୪-୧୫ରୁ ୨୦୧୮-୧୯ମସିହା ପର୍ଯ୍ୟନ୍ତ ଅବଧି ମଧ୍ୟରେ ଉଚ୍ଚଶିକ୍ଷାର ସ୍ଥିତିକୁ ନେଇ ୨୦୧୯ ଅକ୍ଟୋବରରୁ ୨୦୨୦ ଜାନୁଆରୀ ମଧ୍ୟରେ ଅନୁସନ୍ଧାନ କରାଯାଇଥିଲା। ରାଜ୍ୟର ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଜନସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ। ୬୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟା ବିଶିଷ୍ଟ ୬ଟି ଜିଲାର ୧୫ଟି ବ୍ଲକରେ କୌଣସି ଡିଗ୍ରୀ ମହାବିଦ୍ୟାଳୟ ନାହିଁ। ରାଜ୍ୟରେ ୧୭.୧୩ ପ୍ରତିଶତ ଅନୁସୂଚିତ ଜାତି ଓ ୨୨.୮୫ ପ୍ରତିଶତ ଜନଜାତି ବର୍ଗର ଲୋକସଂଖ୍ୟା ଥିଲେ ମଧ୍ୟ ମହାବିଦ୍ୟାଳୟ ଗୁଡ଼ିକରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁପାତ ଜାତୀୟହାରଠାରୁ କମ୍ ରହିଛି। ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ଜାତୀୟସ୍ତରରେ ୦.୯୨ରୁ ୧.୦୦କୁ ଲିଙ୍ଗଗତ ସମାନତା ସୂଚକାଙ୍କ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ଲିଙ୍ଗଗତ ସମାନତା ସୂଚକାଙ୍କ ୦.୮୧ରୁ ୦.୮୨କୁ ବୃଦ୍ଧି ପାଇଛି। ଯଦ୍ଦ୍ବାରା ରାଜ୍ୟରେ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗଙ୍କ ଲିଙ୍ଗଗତ ସମାନତା ସୂଚକାଙ୍କ ଜାତୀୟହାରଠାରୁ କମ ରହିଥିଲା। ସିଏଜି ତାଙ୍କ ବିବରଣୀରେ ସୁପାରିସ୍ କରିଛନ୍ତି ଯେ, ଗ୍ରାମାଞ୍ଚଳ-ସହରାଞ୍ଚଳ ବିଭେଦ ତଥା ଉଚ୍ଚଶିକ୍ଷା କ୍ଷେତ୍ରରେ ଅସମାନତାକୁ ଦୂର କରିବା ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବା ଆବଶ୍ୟକ। ଯେଉଁ ଅଞ୍ଚଳଗୁଡ଼ିକ ସରକାରୀ ମହାବିଦ୍ୟାଳୟରୁ ବଞ୍ଚିତ ଓ ବେସରକାରୀ ମହାବିଦ୍ୟାଳୟ ଉପରେ ନିର୍ଭରଶୀଳ ସେଠାରେ ଉଚ୍ଚଶିକ୍ଷାକୁ ସୁଲଭ ପାଇଁ ସରକାର ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ଦେୟ ପ୍ରଣାଳୀକୁ ନିୟନ୍ତ୍ରିତ କରିପାରିବେ। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୃଷ୍ଟି ପାଇଁ ପ୍ରଦାନ କରାଯାଉଥିବା ପାଣ୍ଠିକୁ କେବଳ ସେହି ଉଦ୍ଦେଶ୍ୟରେ ଓ ଅଗ୍ରାଧିକାର ଭିତ୍ତିରେ ବିନିଯୋଗ କରିବା ଉଚିତ। ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟଗୁଡିକରେ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ମୌଳିକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବା ପାଇଁ ବିଚାର କରିବା ଦରକାର ବୋଲି ସିଏଜି କହିଛନ୍ତି ।

Comments are closed.